• ଚଳିତ ବର୍ଷ ଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହ୍ୟାକାଥନରେ ୧୫୦% ବୃଦ୍ଧି ରେକର୍ଡ କରାଯାଇଛି, ଫଳରେ ଏହା ବର୍ତ୍ତମାନସୁଦ୍ଧା ସର୍ବବୃହତ ସଂସ୍କରଣ ହୋଇଛି
ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ଆଇଏଚ୍)ର ସପ୍ତମ ସଂସ୍କରଣ ୧୧ ଡିସେମ୍ବର ୨୦୨୪ରୁ ଦେଶର ୫୧ଟି କେନ୍ଦ୍ରରେ ଆରମ୍ଭ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଉଦ୍ଘାଟନ କରିବେ । ଆମର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଏବଂ ଏହିପରି ଉତ୍ପାଦ ଉଦ୍ଭାବନର ସଂସ୍କୃତି ଏବଂ ସମସ୍ୟା ସମାଧାନ ମାନସିକତା ସୃଷ୍ଟି କରିବା ପାଇଁ ଏସ୍ଆଇଏଚ୍ ହେଉଛି ଏକ ଦେଶବ୍ୟାପୀ ପଦକ୍ଷେପ । ପୂର୍ବ ସଂସ୍କରଣ ଭଳି, ଛାତ୍ରଛାତ୍ରୀ ଦଳଗୁଡିକ ମନ୍ତ୍ରଣାଳୟ / ବିଭାଗ / ଶିଳ୍ପ ଦ୍ୱାରା ଦିଆଯାଇଥିବା ସମସ୍ୟା ସମାଧାନ ଉପରେ କାର୍ଯ୍ୟ କରିବେ କିମ୍ବା ୧୭ଟି ବିଷୟବସ୍ତୁ ମଧ୍ୟରୁ ଯେକୌଣସି ବିଷୟରେ ବିଦ୍ୟାର୍ଥୀ ଉଦ୍ଭାବନ ବର୍ଗରେ ସେମାନଙ୍କର ବିଚାର ପ୍ରସ୍ତୁତ କରିବେ । ଏସ୍ଆଇଏଚ୍ ୨୦୨୪ ପାଇଁ ୫୪ଟି ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଶିଳ୍ପ ସଂସ୍ଥା ଦ୍ୱାରା ୨୫୦ରୁ ଅଧିକ ସମସ୍ୟା ବିଷୟରେ ବିଚାର ଉପସ୍ଥାପନ କରାଯାଇଛି । ଚଳିତ ବର୍ଷ ଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହ୍ୟାକାଥନରେ ୧୫୦% ବୃଦ୍ଧି ରେକର୍ଡ କରାଯାଇଛି । ଏସ୍ଆଇଏଚ୍ ୨୦୨୩ରେ ୯୦୦ରୁ ଅଧିକ ବିଚାର ପ୍ରସ୍ତୁତ କରାଯାଇଥିବା ବେଳେ ଏସ୍ଆଇଏଚ୍ ୨୦୨୪ରେ ୨୨୪୭କୁ ବୃଦ୍ଧି ପାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ଏହା ସର୍ବବୃହତ ସଂସ୍କରଣରେ ପରିଣତ ହୋଇଛି । ଅନୁଷ୍ଠାନ ସ୍ତରରେ ଏସ୍ଆଇଏଚ୍ ୨୦୨୪ରେ ୮୬,୦୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଛନ୍ତି । ଜାତୀୟ ସ୍ତରର ରାଉଣ୍ଡ ପାଇଁ ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ପ୍ରାୟ ୪୯,୦୦୦ ବିଦ୍ୟାର୍ଥୀ ଦଳ (ପ୍ରତ୍ୟେକ ୬ ଜଣ ବିଦ୍ୟାର୍ଥୀ ଏବଂ ୨ ଜଣ ପରାମର୍ଶଦାତାଙ୍କୁ ନେଇ) ସୁପାରିସ କରାଯାଇଛି । ଏସ୍ଆଇଏଚ୍ ଗ୍ରାଣ୍ଡ ଫିନାଲେ ବିଭିନ୍ନ ମନ୍ତ୍ରଣାଳୟ/ସରକାରୀ ବିଭାଗର ଅଧିକାରୀ ଏବଂ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଖୋଲା ବାର୍ତ୍ତାଳାପ ପାଇଁ ଏକ ଖୋଲା ମଞ୍ଚ ରୂପେ କାର୍ଯ୍ୟ କରିଥାଏ । ଚିହ୍ନଟ ଏବଂ ସମାଧାନ କରାଯାଇଥିବା ଆହ୍ୱାନଗୁଡ଼ିକ ମଧ୍ୟରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଏବଂ ଜାତୀୟ ପ୍ରାଥମିକତା କ୍ଷେତ୍ର ସହିତ ଜଡିତ ୧୭ଟି ପ୍ରମୁଖ କ୍ଷେତ୍ର / ବିଷୟବସ୍ତୁ ଅନ୍ତର୍ଭୁକ୍ତ । ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟସେବା, ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍ସ, ସ୍ମାର୍ଟ ଟେକ୍ନୋଲୋଜି, ଐତିହ୍ୟ ଏବଂ ସଂସ୍କୃତି, ଦୀର୍ଘସ୍ଥାୟିତ୍ୱ, ଶିକ୍ଷା ଏବଂ ଦକ୍ଷତା ବିକାଶ, ଜଳ, କୃଷି ଏବଂ ଖାଦ୍ୟ, ଉଦୀୟମାନ ପ୍ରଯୁକ୍ତି ଏବଂ ବିପର୍ଯ୍ୟୟ ପରିଚାଳନା । ଏସ୍ଆଇଏଚ୍ ଭାରତର ଉଦ୍ଭାବନ କ୍ଷେତ୍ରକୁ ଗଭୀର ଭାବରେ ପ୍ରଭାବିତ କରିଛି, ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କୁ ବାସ୍ତବ ଦୁନିଆର ଆହ୍ୱାନର ମୁକାବିଲା କରିବାକୁ ସଶକ୍ତ କରିଛି । ଏହି ସଫଳତାକୁ ସୁନିଶ୍ଚିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଏସ୍ଆଇଏଚ୍ ଆଲୁମିନି ନେଟୱର୍କ । ଏହି ନେଟୱର୍କ ପୋର୍ଟାଲ (https://alumni.mic.gov.in/)ରେ ପରିବର୍ତ୍ତନକାରୀ ପରିଣାମକୁ ଦର୍ଶାଉଥିବା ସଫଳତା କାହାଣୀ ଉପଲବ୍ଧ । ଏସ୍ଆଇଏଚ୍ ପୂର୍ବ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନେକଗୁଡ଼ିଏ ସାମାଜିକ ଦିଗ ଥିବା ଷ୍ଟାର୍ଟଅପ୍ ସହିତ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରାଯାଇସାରିଛି ।