ନୂଆଦିଲ୍ଲୀ, (ପିଆଇବି) : ୨୫ ନଭେମ୍ବରରେ ନେଦରଲ୍ୟାଣ୍ଡସ୍ର ହେଗ୍ ଠାରେ ଆୟୋଜିତ ଅର୍ଗାନାଇଜେସନ୍ ଫର୍ ପ୍ରୋହିବିଶନ୍ ଅଫ୍ କେମିକାଲ୍ ୱେପନ୍ସ୍ (ଓପିସିଡବ୍ଲ୍ୟୁ)ର ରାଷ୍ଟ୍ର ପକ୍ଷଗୁଡ଼ିକର ସମ୍ମିଳନୀ (ସିଏସପି)ର ୨୯ତମ ଅଧିବେଶନ ଅବସରରେ ଭାରତୀୟ ରାସାୟନିକ ପରିଷଦ (ଆଇସିସି)କୁ ୨୦୨୪ ଓପିସିଡବ୍ଲ୍ୟୁ ଦି ହେଗ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୩ଟି ଦେଶର ପ୍ରତିନିଧି ଏବଂ ବିଶ୍ୱର ରାସାୟନିକ ଶିଳ୍ପର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ କୌଣସି ରାସାୟନିକ ଶିଳ୍ପ ସଂସ୍ଥାର ଉଦ୍ୟମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓପିସିଡବ୍ଲ୍ୟୁର ମହାନିର୍ଦ୍ଦେଶକ, ରାଷ୍ଟ୍ରଦୂତ ଫର୍ଣ୍ଣାଣ୍ଡୋ ଏରିଆସ୍ ଏବଂ ହେଗ୍ ମ୍ୟୁନିସିପାଲିଟିର ମେୟର ଜାନ୍ ଭାନ୍ ଜାନେନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପରିଷଦ ତରଫରୁ ଆଇସିସିର ମହାନିର୍ଦ୍ଦେଶକ ଡି ସୋତି ସେଲଭମ୍ ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ପ୍ରଦାନ ଉତ୍ସବରେ ଓପିସିଡବ୍ଲ୍ୟୁରେ ଭାରତର ରାଷ୍ଟ୍ରଦୂତ ଓ ସ୍ଥାୟୀ ପ୍ରତିନିଧି ଏବଂ ଭାରତର ଜାତୀୟ ରାସାୟନିକ ଅସ୍ତ୍ର ସମ୍ମିଳନୀ ପ୍ରାଧିକରଣର (ଏନଏସିଡବ୍ଲୁସି)ର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ରାସାୟନିକ ଅସ୍ତ୍ର ଚୁକ୍ତି (ସିଡବ୍ଲ୍ୟୁସି) ୧୯୯୭ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ବର୍ତ୍ତମାନ ଏଥିରେ ୧୯୩ଟି ଦେଶ ପକ୍ଷଭୁକ୍ତ ହୋଇଛନ୍ତି । ଓପିସିଡବ୍ଲ୍ୟୁର ସଚିବାଳୟ ହେଗ୍ରେ ରହିଛି ଏବଂ ଏହା ରାସାୟନିକ ଅସ୍ତ୍ରମୁକ୍ତ ବିଶ୍ୱ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ରାସାୟନିକ ଅସ୍ତ୍ର ଚୁକ୍ତିର କାର୍ଯ୍ୟକାରୀ ସଂସ୍ଥା ରୂପେ କାମ କରିଥାଏ । ଭାରତ ଏହି ଚୁକ୍ତିରେ ଏକ ମୂଳ ସ୍ୱାକ୍ଷରକାରୀ । ଏନଏସିଡବ୍ଲ୍ୟୁସି ହେଉଛି ଭାରତରେ ଏହି ସମ୍ମିଳନୀ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରଦାୟୀ ଜାତୀୟ କର୍ତ୍ତୃପକ୍ଷ । ରାସାୟନିକ ଅସ୍ତ୍ରଶସ୍ତ୍ର ବିଲୋପ କରିବା ପାଇଁ ବ୍ୟାପକ ପ୍ରୟାସ ନିମନ୍ତେ ୨୦୧୩ରେ ଓପିସିଡବ୍ଲ୍ୟୁକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଫଳତାର ପରମ୍ପରାକୁ ବଜାୟ ରଖିବା ପାଇଁ ଓପିସିଡବ୍ଲ୍ୟୁ ୨୦୧୪ ମସିହାରେ ହେଗ୍ ମ୍ୟୁନିସିପାଲିଟି ସହଯୋଗରେ ‘ଓପିସିଡବ୍ଲ୍ୟୁ – ଦ ହେଗ୍ ଆୱାର୍ଡ’ ପ୍ରତିଷ୍ଠା କରିଥିଲା । ରାସାୟନିକ ଅସ୍ତ୍ର ଚୁକ୍ତିର ଲକ୍ଷ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯାଏ । ରାସାୟନିକ ଶିଳ୍ପର ପ୍ରତିନିଧିତ୍ୱ କରୁଥିବା ଭାରତର ପ୍ରମୁଖ ସଂସ୍ଥା ଭାବରେ ଆଇସିସି ଭାରତୀୟ ରାସାୟନିକ ଶିଳ୍ପର ୮୦%ରୁ ଅଧିକ ପ୍ରତିନିଧିତ୍ୱ କରେ ଯାହାର ମୂଲ୍ୟ ୨୨୦ ବିଲିୟନ ଡଲାର । ରାସାୟନିକ ନିରାପତ୍ତାକୁ ପ୍ରୋତ୍ସାହିତ କରିବା, ଚୁକ୍ତିର ଅନୁପାଳନ ଏବଂ ଭାରତରେ ଶିଳ୍ପ ସୁରକ୍ଷା ଅଭ୍ୟାସ ବୃଦ୍ଧି କରିବାରେ ଆଇସିସିର ଭୂମିକାକୁ ଏହି ପୁରସ୍କାର ସମ୍ମାନ ଦେଇଥାଏ । ରାସାୟନିକ ଅସ୍ତ୍ର ଚୁକ୍ତି ହେଲ୍ପଡେସ୍କ ଭଳି ପଦକ୍ଷେପ ମାଧ୍ୟମରେ ଆଇସିସି ଶିଳ୍ପ ଅନୁପାଳନ ବୃଦ୍ଧି କରିବା ସହ ରାସାୟନିକ ଘୋଷଣା ପାଇଁ ଦକ୍ଷ ଇ – ଫାଇଲିଂ ସୁବିଧା ପ୍ରଦାନ କରିଛି । ଏହାବ୍ୟତୀତ ଆଇସିସିର ‘ନାଇସର ଗ୍ଲୋବ୍’ ପଦକ୍ଷେପ ଭାରତରେ ରାସାୟନିକ ପରିବହନ ନିରାପତ୍ତା ଉପରେ ଯଥେଷ୍ଟ ପ୍ରଭାବ ପକାଇଛି, ଯାହା ରିଅଲ୍ ଟାଇମ୍ ମନିଟରିଂ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ପ୍ରଦାନ କରୁଛି । ଆଇସିସି ଏହାର ‘ଦାୟିତ୍ୱସମ୍ପନ୍ନ ଯତ୍ନ’ (ଆରସି) କାର୍ଯ୍ୟକ୍ରମ ଏବଂ ଆରସିର ସୁରକ୍ଷା କୋଡ୍ ପ୍ରଚଳନ ମାଧ୍ୟମରେ ରାସାୟନିକ ସୁରକ୍ଷା ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକଳାପ ପରିଚାଳନା କରିଛି । ଶିଳ୍ପ ନିରାପତ୍ତା ବୃଦ୍ଧି ଏବଂ ବିଶ୍ୱର ଅନ୍ୟତମ ବୃହତ୍ତମ ରାସାୟନିକ କ୍ଷେତ୍ରରେ ସମ୍ମିଳନୀର ଜାତୀୟ କାର୍ଯ୍ୟକାରିତାକୁ ଆଗେଇ ନେବା ଉପରେ ଧ୍ୟାନ ଦେବା, ଦାୟିତ୍ୱବାନ ଶିଳ୍ପ ପରିଚାଳନା ଏବଂ ଏ ଦିଗରେ ସିଡବ୍ଲ୍ୟୁସିର ଲକ୍ଷ୍ୟ ପ୍ରତି ଏକ ଉଲ୍ଲେଖନୀୟ ପ୍ରତିବଦ୍ଧତାକୁ ଦର୍ଶାଏ ।
Prev Post