ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଶିଶକେଲା ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିଶକେଲା ଗାଁର ଥିବା ଅଧିକାଂଶ ହିତାଧିକାରୀ ଗତ ୨୦୨୨/୨୩ ଆର୍ଥିକ ବର୍ଷରେ ଜମି ଉନ୍ନତିକରଣ ବେଳେ ଦୀର୍ଘବର୍ଷ ବିତିଯାଇ ଥିଲେ ସୁଦ୍ଧା ହିତାଧିକାରୀମାନେ ପାଉଣା ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ହିତାଧିକାରୀ ଗୁରୁବାରୀ ରଣା, ଭୁବନେଶ୍ୱର ରଣା, ଶାନ୍ତ ବେହେରା, ସୁନ୍ଦର ରଣା, ସେବତୀ ରଣା, କରୁଣା ରଣା ପ୍ରମୁଖ ଶୀଘ୍ର ପାଉଣା ଦିଆଯାଉ ବୋଲି ବିଡ଼ିଓଙ୍କ ଠାରେ ଦାବୀ କରିଛନ୍ତି । ଶିଶକେଲା ଗାଁ ଗଉଡ଼ ପଡାକୁ ରାସ୍ତା ନ ଥିବା ଯୋଗୁଁ ଲୋକେ ଯିବା ଆସିବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି । କୌଣସି ବ୍ୟକ୍ତିକୁ ଯଦି ମେଡିକାଲକୁ ନେବାକୁ ହେଲେ ୨ ଶହ ମିଟର ଖଟ ସାହାଯ୍ୟରେ ନେବାକୁ ପଡ଼ୁଛି ବୋଲି ଗାଁର ରାଏଧର ରଣା ଅଭିଯୋଗ କରିଛନ୍ତି । ସେହିପରି ଚିଲବାହାଲି, ଭୋରପଡା ଓ ଘଣ୍ଟବାହାଲି ଗ୍ରାମବାସୀମାନେ ଶୀତ, ଗ୍ରୀଷ୍ମରତୁ ସମୟରେ ପିଡ଼ିଏସ୍ ଚାଉଳ ନେବା ପାଇଁ ୪ କିମି ଦୂର ଶିଶକେଲା ପଞ୍ଚାୟତକୁ ଆସୁଥିବା ବେଳେ ଗାଁର ବୁଢ଼ାବୁଢ଼ୀମାନେ ହଇରାଣ ହେଉଛନ୍ତି । ତେଣୁ ଉକ୍ତ ସ୍ଥାନରେ ଏକ ପିଡ଼ିଏସ୍ ସବ୍ ସେଣ୍ଟର ଖୋଲାଯାଉ ବୋଲି ୱାର୍ଡମେମ୍ବର ନନ୍ଦଲାଲ ବାଗ ଅଭିଯୋଗ ଉଠାଇଛନ୍ତି । ଏପରିକି ଗାଁର ଗ୍ରାମ୍ୟରାସ୍ତାଗୁଡିକର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଥିବାରୁ ତୁରନ୍ତ ମରାମତି କରାଯାଉ ବୋଲି ମେମ୍ବର ଶ୍ରୀ ବାଗ ଅଭିଯୋଗ କରିଛନ୍ତି । ସେହିପରି ଜାମତରା ଗାଁରେ ଚାଲିଥିବା ଭେରୁଆମୁଣ୍ଡା ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକମାନେ ପାଉଣା ମିଳିନାହିଁ ବୋଲି ଶ୍ରମିକ କୃଷ୍ଣ ଭୂଏ ଅଭିଯୋଗ କରିଛନ୍ତି । ଏପରିକି ଶିଶକେଲା ଗାଁରେ ଏକ ଆମ୍ବେଦକର କ୍ଲବ ଗୃହ ନିର୍ମାଣ ପାଇଁ ବିକି ଜି ନାଗ ଅଭିଯୋଗ କରିଥିଲେ । ଏହି ଶୁଣାଣିରେ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ରାସନ କାର୍ଡରେ ମଧ୍ୟ ଅନେକ ହିତାଧିକାରୀଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ । ଉକ୍ତ ଶୁଣାଣି ସମୟରେ ଅଧିକାଂଶ ବିଭାଗୀୟ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନ ଥିଲା । ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ମାଳତୀ ରଣା, ସମିତି ସଭ୍ୟ ଉମାକାନ୍ତ ରଣା, ନାଏବ ସରପଞ୍ଚ ସରୋଜ ନାଗ, ପୋଲିସ ଏଏସ୍ଆଇ ଅରକ୍ଷିତ ନାୟକ, ବେଲଗାଁ ଫାଣ୍ଡି ଅଧିକାରୀ ଜୀବର୍ଦ୍ଧନ ମେହେର, ବେଲଗାଁ ରାଜସ୍ୱ ନିରୀକ୍ଷକ ମମତା ଚିନ୍ଧା, ବିଏଲ୍ସି ଡୁଲଣା ବାଗ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ମତ୍ସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଖବନ୍ଧୁ ରଣା, ଗ୍ରାମ୍ୟ କୃଷି କର୍ମଚାରୀ ବିନିତା ବାର୍ଲା, ସମାଜ ମଙ୍ଗଳ ବିଭାଗର ଡିଓ ସୁବୋଧ ପ୍ରଧାନ, ୱାଟର ସେଟ ବିଭାଗର ପ୍ରଦୂଷ ସାହୁ, ରାଜକୁମାର ଧରୁଆ, ଯୋଗାଣ ବିଭାଗର ଡିଓ ସରୋଜ ସାହୁ, ମନରେଗା ଆସିଷ୍ଟାଣ୍ଟ ପୂର୍ଣ୍ଣ ସାହା, ଏଡ଼ିଓ ଶୋଭାଶିଷ ମିଶ୍ରଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ । ଏହି ଶୁଣାଣିରେ ୧୨୧ ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ ବହୁ ହିତାଧିକାରୀ ଆବାସ ଯୋଜନା ପାଇଁ ସିଧାସଳଖ ଅଭିଯୋଗ କରିଥିଲେ ।
Next Post