ହେ’ ଈଶ୍ୱର, ହେ’ ପରମେଶ୍ୱର

ଶରଦିନ୍ଦୁ ଭୂଷଣ ହୋତା

ବସ୍ତୁବାଦୀ ଜୀବନଚର୍ଯ୍ୟାର ପ୍ରଧାନ ଲକ୍ଷ୍ୟ ହେଉଛି ଯେ ତାହା ଭୋଗସର୍ବସ୍ୱ । ସୁଖପ୍ରାପ୍ତି ହିଁ ଚରମ ଲକ୍ଷ୍ୟ । ସୁଖଭୋଗ ପାଇଁ ବସ୍ତୁଗତ ଉପକରଣ ସଂଗ୍ରହରେ ଚଳନ୍ତି ସମାଜର ଅଧିକାଂଶ ବ୍ୟକ୍ତି ସଦାସର୍ବଦା ବ୍ୟସ୍ତ । ଭୋଗ ପାଇଁ ପ୍ରୟୋଜନ ହେଉଥିବା ବସ୍ତୁସମ୍ଭାର ଅର୍ଥର ବିନିମୟରେ ମିଳିପାରେ । ତେଣୁ ଅର୍ଥାଗମର ବ୍ୟବସ୍ଥା କରିବାରେ ସାଂପ୍ରତିକ ମଣିଷର ଅଧିକାଂଶ ଶକ୍ତି, ସମୟ ଓ ଚିନ୍ତା ନିୟୋଜିତ । ଆଧୁନିକ ମଣିଷର ଜୀବନଚର୍ଯ୍ୟାରେ ଆଜି ଅର୍ଥ ହିଁ ପରମାର୍ଥ, ପଇସା ହିଁ ପରମେଶ୍ୱର ।

ଅର୍ଥ ଆହରଣର ସମସ୍ତ ଉଦ୍ୟମ ଓ ଆୟୋଜନ ସତ୍ତେ୍ୱ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ଯେ ବର୍ତ୍ତମାନର ମଣିଷ ଅନୁଭବର ଜଗତରେ ଏକ ଅଭାବବୋଧ ଦ୍ୱାରା ପୀଡ଼ିତ । ହଜାର ବସ୍ତୁସମ୍ଭାର ମଧ୍ୟରେ ବାସ କରି ଓ ଇନ୍ଦ୍ରିୟ ଭୋଗ୍ୟ ସମସ୍ତ ଭୋଗସାମଗ୍ରୀ ହାତ ପାହାନ୍ତାରେ ପାଇ ମଧ୍ୟ ସେ ସତ୍ତାର ଜଗତରେ ଉପବାସୀ ହୋଇ ରହୁଛି । ଆନନ୍ଦର ଅନୁଭବ ଆଜି ବିଡ଼ମ୍ବିତ । ସ୍ୱାଭାବିକ ଆନନ୍ଦପ୍ରାପ୍ତି ପାଇଁ ତା’ର ଅସମର୍ଥତା କୃତ୍ରିମ ଉପାୟର କିଛି ଉଲ୍ଲାସ ସଂଗ୍ରହ କରିନେବାର ଅଭିଯାନରେ ତାକୁ ଗୋଟାପଣେ ପ୍ରମତ୍ତ କରି ରଖୁଛି ।

ବସ୍ତୁ ଜଗତର ସମସ୍ତ ପ୍ରାପ୍ତି ଓ ଉପଭୋଗ ସତ୍ତେ୍ୱ ସତ୍ତାର ଜଗତ ଏମିତି ଶୁଷ୍କ ଓ ବିଡ଼ମ୍ବିତ ରହିଯାଉଥିବାର ମୂଳ କାରଣକୁ ଅନୁଧ୍ୟାନ କରାଯାଉ । ବ୍ୟାପାରଟିର ବାସ୍ତବତା ସ୍ପଷ୍ଟ ସୂଚନା ଦିଏ ଯେ ଆଧୁନିକ ମଣିଷର ବସ୍ତୁ ଆହରଣ ଓ ଅର୍ଥ ଉପାର୍ଜନର ପ୍ରକ୍ରିୟା ମଧ୍ୟରେ କିଛି ମୌଳିକ ତ୍ରୁଟି ବା ବ୍ୟତିକ୍ରମ ରହିଯାଉଛି ।

ମଣିଷ ଦୁଇଟି ଉପାୟରେ ଅର୍ଥ ସଂପଦର ସଂଗ୍ରହ କରିପାରେ । ପ୍ରଥମତଃ ନିଜ ଯୋଗ୍ୟତାର ବିନିଯୋଗ କରି ତା’ର ଅବଦାନ ସ୍ୱରୂପ ସେ ଅର୍ଥ ସଂପଦ ଅର୍ଜନ କରିପାରେ । ଅପରପକ୍ଷେ ଦାମ୍ଭିକ ଓ ଚତୁର କୌଶଳ ପ୍ରୟୋଗ କରି ଛଳେ-ବଳେ-କୌଶଳେ କିଛି ଅର୍ଥ ସମ୍ପଦ ଉପରେ ଆପଣାର ମାଲିକାନା ସାବ୍ୟସ୍ତ କରିପାରେ । ଯେ କୌଣସି ଉପାୟର ଅବଲମ୍ବନରେ ସଂଗୃହୀତ ହୋଇଥିଲେ ମଧ୍ୟ ସଂଗୃହୀତ ଅର୍ଥ ସଂପଦ ଉପରେ ମଣିଷର ମାଲିକାନା ପ୍ରତିଷ୍ଠିତ ହୋଇଥାଏ । ସ୍ଥୂଳଦୃଷ୍ଟିରେ ଏଥିରେ ଥିବା ପାର୍ଥକ୍ୟଟି ଧରାପଡେ଼ ନାହିଁ । ଯେ କୌଣସି ଉପାୟରେ ସଂଗୃହୀତ ହୋଇ କିଛି ଅର୍ଥ ସଂପଦ ଆପଣା ଆୟତ୍ତ ମଧ୍ୟକୁ ଆସିଗଲେ ମଣିଷ ନିଜକୁ ସଂପଦଶାଳୀ ମନେ କରିଥାଏ ଏବଂ ସମାଜ ଦୃଷ୍ଟିରେ ତା’ର ଏହି ଧାରଣା ସ୍ୱୀକୃତି ମଧ୍ୟ ପାଇଥାଏ । ମାତ୍ର ସତ୍ତା ସମ୍ବର୍ଦ୍ଧନାର ପରିପ୍ରେକ୍ଷୀରେ ବିଚାର କରାଗଲେ ଉଭୟ ମଧ୍ୟରେ ଥିବା ମୌଳିକ ପ୍ରାର୍ଥକ୍ୟଟି ବୁଝା ପଡ଼ିଯାଏ ।

ମଣିଷର ଯୋଗ୍ୟତା କହିଲେ କ’ଣ ବୁଝିବା? ଯୋଗ୍ୟତା ବିନିମୟରେ ସଂପଦ ଆହରଣ କରିବା କିଭଳି ଭାବରେ ହୋଇଥାଏ? ମନୁଷ୍ୟତା ହେଉଛି ତା’ର ଅସଲ ଯୋଗ୍ୟତା । ଚେତନଶୀଳତା ମନୁଷ୍ୟତାର ମୂଳ ବିନିୟାଦ । ଅନ୍ତର୍ନିହିତ ଚେତନାର ସକ୍ରିୟ ପରିପ୍ରକାଶ ଘଟେ ଅସ୍ତିତ୍ୱର ପାଳନ, ପୋଷଣ, ସମ୍ଭୋଗର ବାସ୍ତବ ବିନିଯୋଗ ହୋଇଥାଏ ନିଃସ୍ୱାର୍ଥ ସେବାକର୍ମର ଭିତର ଦେଇ । ଅପର ଭାଷାରେ କହିଲେ ନିଃସ୍ୱାର୍ଥ ସେବାପ୍ରାଣତା ହିଁ ମନୁଷ୍ୟ ଜୀବନରେ ଯୋଗ୍ୟତାର ସକ୍ରିୟ ପରିପ୍ରକାଶ । ତାହା ବ୍ୟକ୍ତିତ୍ୱବୋଧର ଜାଗରଣ ଘଟାଏ । ସେବା ଉଦ୍‌ବୁଦ୍ଧ ଓ ଜାଗ୍ରତ ବ୍ୟକ୍ତିତ୍ୱ ବହୁଜୀବନ ମଧ୍ୟକୁ ସ୍ୱତଃ ହିଁ ସଂଚାରିତ ହୋଇଥାଏ । ଅନ୍ତର୍ନିହିତ ସତ୍ତା ଚାହିଦାକୁ ବିହିତ ଦକ୍ଷତା, ଦରଦ ଓ ବୋଧଦୃଷ୍ଟି ସହ ପୂରଣ କରିଚାଲିବା, ସେଭଳି ଜାଗ୍ରତ ଓ ଉଦ୍‌ବୁଦ୍ଧ ବ୍ୟକ୍ତିତ୍ୱ ସଂପନ୍ନ ବ୍ୟକ୍ତିମାନଙ୍କର ସ୍ୱାଭାବିକ ଅଭିନିବେଶ ହୋଇଥାଏ । ସେଭଳି ମଣିଷ ସମସ୍ତଙ୍କ ପାଇଁ ଶ୍ରଦ୍ଧାର୍ହ ଓ ଆଶାପ୍ରଦ ହୋଇଥାଏ । ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି ଓ ଭରସା କରିପାରନ୍ତି । ଲୋକପାଳୀ ବ୍ୟକ୍ତିତ୍ୱ ଓ ସେବାପ୍ରବଣ ଚରିତ୍ର ନେଇ ସେ ଲୋକଜୀବନର ଅନିବାର୍ଯ୍ୟ ସ୍ୱାର୍ଥକେନ୍ଦ୍ର ରୂପେ ସ୍ୱାଭାବିକ ପ୍ରତିଷ୍ଠା ପାଇଥାଏ । ଜନଜୀବନର ଅଯାଚିତ ଆଗ୍ରହ ଅବଦାନରେ ତା’ର ଜୀବନ ସଂବୃଦ୍ଧ ଓ ସମୃଦ୍ଧିତ ହୋଇଥାଏ ।

ସ୍ୱାର୍ଥପର ଭାବେ ନିଜ ପାଇଁ ସେ କିଛି ଚାହେଁ ନାହିଁ, ଅଥଚ ଦେଖାଯାଏ ଯେ ତା’ର ମଙ୍ଗଳକାମୀ ଓ ଲୋକପାଳୀ ସ୍ୱଭାବ ଅନ୍ୟମାନଙ୍କର ସ୍ୱାର୍ଥ, ସୁବିଧା ଓ ସମ୍ବର୍ଦ୍ଧନା କରିବା ଫଳରେ ଅବଦାନ ସ୍ୱରୂପ ସ୍ୱତ । ହିଁ ତା’ର ଭରଣ ପୋଷଣ ଓ ସମ୍ବର୍ଦ୍ଧନା ପାଇଁ ଜନ ଅନ୍ତରର ସଶ୍ରଦ୍ଧ ଲୋକ ଆକୃତିକୁ ଆକର୍ଷଣ କରେ ଏବଂ ତାହାରି ପରିଣାମ ସ୍ୱରୂପ ଅନନ୍ତ ଐଶ୍ୱର୍ଯ୍ୟ ତା’ର ଆପଣାର ହୋଇଯାଏ । ମଣିଷର ଯୋଗ୍ୟତା ଏବଂ ତାହାରି ବିନିମୟରେ ସଂପଦ ଅର୍ଜନ କରିବା ବୋଲି କହିଲେ ପ୍ରକୃତରେ ଏହି କଥାକୁ ହିଁ ବୁଝାଏ । ଏଭଳି ବ୍ୟକ୍ତିତ୍ୱବାନ୍‌ ମଣିଷ ଯୋଗ୍ୟତାର ବିନିଯୋଗରେ ଯେଉଁ ସଂପଦ ଲାଭ କରିଥାଏ, ନିଜେ ହିଁ ତା’ର ସ୍ରଷ୍ଟା । ସେଭଳି କ୍ଷେତ୍ରରେ ଅର୍ଜିତ ସଂପଦ ଅର୍ଜନକାରୀ ବ୍ୟକ୍ତିତ୍ୱର ଅନୁଗତ ଏବଂ ତାର ସେବା ଓ ସଂପୋଷଣ ପାଇଁ ଉଦ୍ଦିଷ୍ଟ । ଯୋଗ୍ୟତାଲବ୍ଧ ଏଭଳି ସଂପଦ ପ୍ରତିଦାନରେ ସେହି ଯୋଗ୍ୟତାର ହିଁ ରକ୍ଷଣାବେକ୍ଷଣ କରେ ଏବଂ ସତ୍ତାର ସଂପଦ ରୂପେ ଅସ୍ତିତ୍ୱକୁ ପୋଷଣ ଯୋଗାଏ । ସେଭଳି ସଂପଦର ଅର୍ଜନକାରୀ ବ୍ୟକ୍ତି ତାହାର ଅସ୍ତିତ୍ୱର ଜଗତରେ ଆଉ କୌଣସି ଶୂନ୍ୟତାବୋଧ ବା ଅଭାବବୋଧ ଦ୍ୱାରା ଆକ୍ରାନ୍ତ ହୁଏନାହିଁ । ଯୋଗ୍ୟତା ପ୍ରସ୍ତୁତ ସ୍ୱାଭାବିକ ଉପାର୍ଜନ ତାହାର ଅସ୍ତିତ୍ୱକୁ ସମ୍ୟକ୍‌ ଭାବେ ପରିପୂରିତ ଓ ତୃପ୍ତ କରି ରଖିପାରେ । ଛଳେ-ବଳେ-କୌଶଳେ ଅକ୍ତିଆର୍‌କୁ ଆଣି ତାହା ଉପରେ ମାଲିକାନା ସାବ୍ୟସ୍ତ କରାଯାଇଥିବା ବା ଅର୍ଥ ବା ସଂପଦ ମଧ୍ୟର ଯୋଗ୍ୟତାର ଛାପ ନଥାଏ । ସେଭଳି ସଂପଦ ପାଖରେ ବ୍ୟକ୍ତିର ବ୍ୟକ୍ତିତ୍ୱବୋଧ ବଳି ପଡ଼ିଯାଏ । ଆପଣା ସଂପଦର ଭାରରେ ସେ ନିଜେ ହିଁ ହୋଇଥାଏ ଅଶାନ୍ତ, ଉଦ୍‌ବିଗ୍ନ ଓ ଭାରାକ୍ରାନ୍ତ । ସେଭଳି ସଂପଦ ମଣିଷର ସେବା କରିବା ପରିବର୍ତ୍ତେ ମଣିଷକୁ ହିଁ ତା’ର ସେବାରେ ଖଟାଏ । ମଣିଷ ଦ୍ୱାରା ସୃଷ୍ଟ ହେବା ପରିବର୍ତ୍ତେ ତାହା ମଣିଷକୁ ହିଁ ଆପଣାର ଗୋଲାମ ରୂପେ ସୃଷ୍ଟି କରିଥାଏ । ଯୋଗ୍ୟତା ଦ୍ୱାରା ଅର୍ଜିତ ଅର୍ଥ ସଂପଦ ସତ୍ତାର ସଂପଦ ରୂପେ ଅସ୍ତିତ୍ୱକୁ ପୋଷଣ ଯୋଗାଉଥିବା ସ୍ଥଳେ କାଇଦା ଦ୍ୱାରା ଅଧିକୃତ ସଂପଦ ସତ୍ତାର ପୋଷଣ ନ କରି ପ୍ରବୃତ୍ତିର ଇନ୍ଧନ ରୂପେ ବ୍ୟୟିତ ହୋଇଥାଏ । ପରିଣାମ ସ୍ୱରୂପ ଦେଖିବାକୁ ମିଳିଥାଏ ଯେ ହଜାର ଖାଇପିନ୍ଧି ଓ ଭୋଗସମ୍ଭାର ମଧ୍ୟରେ ବାସ କରି ମଧ୍ୟ ଏଭଳି ଅଧିକୃତ ଅର୍ଥ ସଂପଦରେ ସମ୍ପଦଶାଳୀ ବୋଲାଉଥିବା ବ୍ୟକ୍ତି ସତ୍ତାର ଜଗତରେ ଶୁଖି ମରୁଥାଏ । ଯୋଗ୍ୟତାକୁ ଅବଗ୍ୟାଁ କରି କେବଳ କାଇଦା କୌଶଳକୁ ସଂପଦ ଆହରଣର ମାଧ୍ୟମ କରିଥିବା ସେଭଳି ଆତ୍ମସ୍ୱାର୍ଥୀ ଓ ଆପ୍ତସୁଖୀ ବ୍ୟକ୍ତିମାନେ ସେମାନଙ୍କ ଦ୍ୱାରା ଅଧିକୃତ ଅନନ୍ତ ବସ୍ତୁ ଭଣ୍ଡାର ଓ ଅର୍ଥସଂପଦ ମଧ୍ୟରୁ ଅସ୍ତିତ୍ୱର ପରିପୋଷଣ ପାଇଁ କାଣିଚାଏ ମଧ୍ୟ ଖୋରାକ ପାଇପାରନ୍ତି ନାହିଁ । ସେମାନଙ୍କ ପ୍ରବୃତ୍ତି ପରାୟଣ ଚରିତ୍ର କାଇଦା କୌଶଳ କରି ଯେତେ ଯାହା ଅକ୍ତିଆର କରିଥିଲେ ମଧ୍ୟ ତାହା ସତ୍ତା ସମ୍ବର୍ଦ୍ଧନାର ସହାୟକ ହୁଏନାହିଁ ।

ଯୋଗ୍ୟତାର ଅନୁଶୀଳନ ହିଁ ସାର୍ଥକ ସଂପଦ ଆହରଣର ପ୍ରସ୍ତୁତି । ଯୋଗ୍ୟତାକୁ ଅବଜ୍ଞା କରି ଅହେତୁକ ବସ୍ତୁବାଦ ଦ୍ୱାରା ଆକ୍ରାନ୍ତ ଆଧୁନିକ ମଣିଷ ସମସ୍ତ ଆଚରଣ ଓ ଐଶ୍ୱର୍ଯ୍ୟ ସତ୍ତେ୍ୱ ସତ୍ତା ଉପଭୋଗର କ୍ଷେତ୍ରରେ ଆଜି ଉପବାସୀ । ଅହେତୁକ ବସ୍ତୁବାଦକୁ ବିଦାୟ ଦେଇ ସତ୍ତାସମ୍ଭୁତ ଯୋଗ୍ୟତାର ଅନୁଶୀଳନ ହେଉ । ଯୋଗ୍ୟ ମଣିଷର ଯୋଗ୍ୟତା ଅର୍ଜିତ ସଂପଦରେ ଜୀବନ ଓ ଜଗତ ଉପଭୋଗ୍ୟ ହେଉ ।
ଭୁବନେଶ୍ୱର, ମୋ.ନଂ.୯୯୩୭୭୪୦୬୭୬

Leave A Reply

Your email address will not be published.