oom

ସରକାରଙ୍କ ବ୍ୟବସ୍ଥାରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ୁଛି : ଦଲାଲ ମାଲେମାଲ୍‌, ଚାଷୀ ବେହାଲ୍‌

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସମୟରେ କୃଷି ଶ୍ରମିକ ନଥାଇ ଚାଷୀ କରିଛି ପରିଶ୍ରମ । କ୍ଷେତରେ ଫଳେଇଛି ସୁନା । ତେବେ ସରକାରଙ୍କ ନିୟମ ଅଡ଼ୁଆ । ଅଣ ଜଳସେଚନ ଅଞ୍ଚଳରେ ଏକର ପ୍ରତି ୧୩ କୁଇଣ୍ଟାଲ ଓ ଜଳସେଚିତ ଅଞ୍ଚଳରେ ୧୯ କୁଇଣ୍ଟାଲ ଧାନ କିଣିବେ ସରକାର । ତେବେ ଅଧିକ ଧାନ ଉପାର୍ଜନକୁ ନେଇ ଚାଷୀ ଯିବେ କୁଆଡେ ? କମ୍‌ ଦରରେ ବିକ୍ରି କରିବ ଦଲାଲ, ବେପାରୀଙ୍କୁ ? ଏଭଳି ପ୍ରଶ୍ନ ଉଠୁଛି ଚାଷୀ ମହଲରେ । ଅନ୍ୟପକ୍ଷରେ ଗତ ଖରିଫ ଓ ରବି ଋତୁରେ ଟୋକନ ସମସ୍ୟା ଚାଷୀଙ୍କ ସକାଶେ ଅଡ଼ୁଆ ସୃଷ୍ଟି କରିଥିଲା । ସରକାରଙ୍କ ଖରିଫ ସଂଗ୍ରହ ପ୍ରକ୍ରିୟା କେତେ ବ୍ୟବସ୍ଥିତ, ତାହା ହିଁ ବିରାଟ ପ୍ରଶ୍ନ ।ଏନେଇ ‘କୋଶଳ ପ୍ରବାହ’ର ସ୍ଵତନ୍ତ୍ର ଉପସ୍ଥାପନା ।

କଟ୍‌ନୀ ଛଟ୍‌ନୀ ଯୋଗୁଁ କାନ୍ଦୁଛି ଚାଷୀ
କୁଇଣ୍ଟାଲ ପିଛା ୬ରୁ ୮କେଜି କାଟୁଛନ୍ତି ଅଧିକାଂଶ ପେକ୍ସରେ । ମିଲର୍‌ କାଟୁଛି ନା ପେକ୍ସ କାଟୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ । କିଛି ଦିନ ତଳେ ସଇଁନ୍ତଲା ବ୍ଳକର ବିଭିନ୍ନ ମଣ୍ଡିକୁ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆସି ତଦନ୍ତ ମଧ୍ୟ କରିଥିଲେ । ଅନ୍ୟପଟେ ସଇଁନ୍ତଲା ପେକ୍ସରେ ୮ କେଜି କଟା ଯାଉଥିବା ମଧ୍ୟ ଅଭିଯୋଗ ଆସିଛି । ଏନେଇ ସମବାୟ ସମିତି ସମ୍ପାଦକ ରୋହିତ ସାହୁଙ୍କୁ ପଚାରିବାରୁ ଗୋଟିଏ କେଜି ମଧ୍ୟ କଟା ଯାଉନଥିବା କହିଛନ୍ତି ।

ବଲାଙ୍ଗିର ଜିଲ୍ଲାରେ ସରୁନି ଟୋକନ ଟେନ୍‌ସନ୍
ଗତ ବର୍ଷ ଖରିଫ ଋତୁରେ ବଲାଙ୍ଗିର ଜିଲ୍ଲାରେ ୪୮ ହଜାର ୮୮୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଥିଲେ । ଏଥର ଖରିଫରେ ୬୬ହଜାର ୭୮୩ ଜଣ ପଞ୍ଜିକୃତ ହୋଇଛନ୍ତି । ନାମ ଅନୁସାରେ କ୍ରମାନୟରେ ଧାନ ବିକ୍ରି ପାଇଁ ଟୋକନ ଆସୁଥିବା ବେଳେ ଅନେକ ଚାଷୀ ଟୋକନ ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଗାଁ ଗାଁରେ ଦଲାଲ, ମିଲ୍‌କୁ ଯାଉଛି ଧାନ
ବଲାଙ୍ଗିର ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି । ଦୁନିଆଁର ସର୍ବାଧିକ ଅବାସ୍ତବ କାମ ବଲାଙ୍ଗିର ଜିଲ୍ଲାରେ ହୋଇପାରିଥିବା ପୁରୁଣା ଇତିହାସ କହୁଛି । କାରଣ ୭ ଦିନରେ ୭୦ ହଜାର କୁଇଣ୍ଟାଲ ଧାନ ଉଠାଇବାର କ୍ଷମତା ଗୋଟିଏ ରାଇସ ମିଲ୍‌ କରିପାରେ । ତେବେ ଗୋଦାମରେ ଧାନ ନଥିବା ବେଳେ କୋଟା ପୁରଣ କରିପାରନ୍ତି ନାହିଁ ।ଅନ୍ୟ ପଟେ ଦଲାଲ ଲଗାଇ ହଜାରେରୁ ୧୨ ଶହ ଟଙ୍କାରେ ଧାନ କିଣାଯାଇ ଥିବା ଆଲୋଚନା ହେଉଛି । ଅନ୍ୟ ପଟେ ସଇଁନ୍ତଲା ବ୍ଲକରେ ଥିବା ମିଲ୍‌ରେ ସିଧାସଳଖ ଦଲାଲମାନେ ଧାନ ନେଉଥିବା ଭଳି ଖବର ମଧ୍ୟ ଆସୁଛି । ତେବେ ଏସବୁ ଅଭିଯୋଗକୁ ଆଖି ବୁଜି ଦେଉଛନ୍ତି ଜିଲ୍ଲା ଯୋଗାଣ ବିଭାଗ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

ଚାଷୀ ଓ ମିଲର୍ସର ସାପ ସିଡ଼ି ଖେଳ
ଦେଓଗାଁରେ ପଡିଥିବା ଚାଷୀର ଉତ୍ପାଦିତ ଧାନକୁ ସରକାରୀ ଦରରେ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ବିକ୍ରି କରାଯିବ । ଏଫଏକ୍ୟୁ ମାନର ଧାନକୁ କୁଇଣ୍‌ଣ୍ଟାଲ ପ୍ରତି ୧୮୬୮ ଟଙ୍କାରେ ଚାଷୀଙ୍କୁ ଦେବାର ବ୍ୟବସସ୍‌ସ୍ଥା କରାଯାଇଛି । ଚାଷୀ ସହ ମିଲର୍ସର କୌଣସି ସମ୍ପର୍କ ନାହିଁ । ନିୟନ୍ତ୍ରୀତ ବଜାର କମିଟି ଧାନର ମାନ ନିର୍ଣ୍ଣୟ କରିବ । ହେଲେ ଦେଓଗାଁ ବ୍ଳକରେ ଚାଷୀ ଏବଂ ମିଲର୍ସର ସାପ ସିଡ଼ି ଖେଳରେ ପେକ୍ସ ସଂପାଦକ ହାତ ବାନ୍ଦି ବସିଛନ୍‌ନ୍ତି। ଆରମ୍ଭରୁ ଏପରି ହେଲେ ଦେଓଗାଁ ବ୍ଳକର ପଞ୍ଜିକରଣ କରିଥିବା ୫୧୪୭ ଜଣ ଚାଷୀ କିପରି ଭାବେ ଧାନ ବିକ୍ରୟ କରିବେ, ତାହାକୁ ନେଇ ଚିନ୍ତାରେ । ମାପ ହୋଇ ନାହିଁ, ଏହାର କାରଣ କଟନି ନିଷ୍ପତ୍ତି ଏବଂ ଏଫଏକ୍ୟୁ ମାନ । ସେହିପରି ବଡ଼ବନ୍ଧ ପେକ୍ସରେ ୫ ଜଣ ଚାଷୀ ସଞ୍ଜିବ ମେହେର ଓ ଲିଙ୍ଗରାଜ ପଧାନଙ୍କ ୧୨୦ ବସ୍ତା ଲେଖାଏଁ, କେଶବ ପଧାନଙ୍କ ୧୮୦ ବସ୍ତା, ସନ୍ତୋଷ ପଧାନଙ୍କ ୧୯୦ ବସ୍ତା, ଅଶୋକ ମେହେରଙ୍କ ୧୬୦ ବସ୍ତା ମୋଟ ୭୭୦ ବସ୍ତା ଧାନ ଓଜନ ନହୋଇ ପଡ଼ିରହିଛି। ମିଲର୍ସମାନେ କ୍ୟୁଣ୍ଟାଲ ପ୍ରତି ୫ କେଜି କାଟିବାର ଜିଦ୍‌ କରି ପଲାଇ ଯାଇଥିଲେ । କିନ୍ତୁ ପେକ୍ସକୁ ଉପଜିଲ୍ଲାପାଳ ସୁଧାକର ନାୟକ, ବଲାଙ୍ଗିର ଡିଆରସିଏସ ଓ ଏଆରସିଏସ ଆସି ଧାନ କିଣା ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରି ଖୋଳତାଡ଼ କରିଥିଲେ ।

୨୫ ତାରିଖ ମଧ୍ୟରେ ୧୨୯ ଜଣ ଚାଷୀଙ୍କ ନାମରେ ଟୋକନ ଇସ୍ୟୁ ହୋଇଛି, ଯାହାକି ୬ ହଜାର ୨ ଶହ କ୍ବିଣ୍ଟାଲ ଧାନ କିଣାଯିବା କଥା । ସଂପାଦକଙ୍କ ଅବହେଳା ଯୋଗୁଁ ଆଜି ପର୍ୟ୍ୟନ୍ତ ଧାନ କିଣା ଯାଇନାହିଁ ଓ ଚାଷୀ ହଇରାଣ ହୋଇଥିବା କହିଥିଲେ । ଶନିବାର ଦିନ ୯ ଜଣ ଚାଷୀ ୭୮୫ ବସ୍ଥା ଧାନ ମଣ୍ଡିରେ ରଖାଯାଇଥିଲେ ମଧ୍ୟ ମିଲର୍ସର ଗାଡ଼ି ପହଞ୍ଚି ନଥିବାରୁ ବଲାଙ୍ଗିର ଡିଆରସିଏସ ଗାଡ଼ିରେ ଲୋଡ଼ ହେବା ପର୍ୟ୍ୟନ୍ତ ଅଟକି ରହିବାକୁ କହିଥିଲେ । ତିନି ଜଣ ବରିଷ୍ଠ ଅଧିକାରୀ ଗୋଟିଏ ପେକ୍ସରେ ଅଟକି ରହି ଚାଷୀଙ୍କୁ ହଇରାଣ କରୁଥିବା ବିଷୟରେ ଟିକିନିକି ଖବର ନେଉଥିବାରୁ କିଳଭି ଭାବେ ଧାନକିଣା ଚାଲୁଛି ତାହା ବାରି ହେଉଛି । ସେହିପରି ଅଜୁର୍ନପୁର ପେକ୍ସରେ ମଧ୍ୟ ୫ ଜଣ ଚାଷୀଙ୍କ ୫୨୧ ପ୍ୟାକେଟ ଧାନ ମିଲର୍ସଙ୍କ କଟ୍‌ନି ଜିଦ ପାଇଁ ପଡ଼ିରହିଛି ।

ଛିଣ୍ଡୁନି କଟନି ଛଟନି, ଓଜନ ନ ହୋଇ ପଡ଼ିରହିଛି ଧାନ
ଦେଓଗାଁ ବ୍ଲକ ରେ ଚାଳିଥିବା ଧାନ କିଣା ବ୍ୟବସ୍ଥାରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଛି । ଧାନ ଅମଳ କରି ସାରିଥିବା ଚାଷୀର ଟୋକନ ଆସିନି ତ ଟୋକନ ଆସିଥିବା ଚାଷୀର ଧାନ ଅମଳ ହୋଇ ସାରିନି । ଯାହାକୁ ନେଇ ଚିନ୍ତାରେ ରହୁଛନ୍ତି ପେକ୍ସ କର୍ତ୍ତୃପକ୍ଷ । ମିଲର୍ସ ମାନେ ଯାଇ ପେକ୍ସରେ ପହଞ୍ଚିଥିଲେ । ଏଫଏକ୍ୟୁ ମାନର ଧାନରେ ୨ କେଜି କଟନି ହେବ ଓ ବିନା ଏଫଏକ୍ୟୁ ଧାନରେ ୫ରୁ ୬ କେଜି ପର୍ୟ୍ୟନ୍ତ କଟନି ହେଲେ ଧାନ ବଡ଼ବନ୍ଧ ପେକ୍ସରୁ ଉଠିବ ବୋଲି ରୋକଠୋକ ଶୁଣାଇ ଦେଇଥିବା ଆଲୋଚନା ହେଉଛି ।

ସେମାନଙ୍କ ମୁହଁରୁ

ଗଦା ସାହୁ, ଚାଷୀ
ଦିନକୁ ଦିନ ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି । ଟୋକନ ଚିନ୍ତାରେ ଅନେକ ଚାଷୀ । ମନ ଇଚ୍ଛା କାଟୁଛନ୍ତି ମିଲର୍ସ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ।

ସଇଁନ୍ତଳା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ
ଦଲାଲ ଓ ମିଲର୍ସଙ୍କ ଖେଳ ଚାଲିଛି । ପ୍ରଶାସନ ଜାଣିକି ମଧ୍ୟ ଚୁପ । କେବେ ସୁଧୁରିବ ଚାଷୀଙ୍କ ସମସ୍ୟା ?

ସଇଁନ୍ତଳା ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ
ଚାଷୀଙ୍କ ସହ ଖେଳ ଖେଳୁଛନ୍ତି ସରକାର । କମ୍‌ ଦରରେ ଧାନ କିଣି କାଟୁଛନ୍ତି ମିଲର୍ସ ୮ କେଜି । ଆନ୍ଦୋଳନ ନିଶ୍ଚିତ ଭାବରେ ହେବ ।

ବରିଷ୍ଠ ସାମ୍ବାଦିକ ମନୋଜ ଜୈନ
ଚାଷୀଙ୍କୁ ହଇରାଣ କରୁଛନ୍ତି ସରକାର । ସିଧାସଳଖ ଚାଷୀଙ୍କ ଘରୁ ଧାନ କିଣାଯାଉ ।

କୁମର କୁମ୍ଭାର ,ଚାଷୀ
କେତେ ଦୁଃଖ କଷ୍ଟରେ ଧାନ ଅମଳ କରୁଛୁ ଆମେମାନେ । ହେଲେ ଟଙ୍କାର ଆବଶ୍ୟକତା ଯୋଗୁଁ ଦଲାଲ୍‌ ହାତରେ ଟେକି ଦେବାକୁ ବାଧ୍ୟ ହେଉଛୁ ।

ସଇଁନ୍ତଲା ଯୋଗାଣ ଅଧିକାରୀ ନଳିନୀକାନ୍ତ ପାଲ କହିଛ‌ନ୍ତି ଯେ, ସଇଁନ୍ତଲା ବ୍ଳକରେ କଟନି ହେଉଥିବା ନେଇ ଆମ ପାଖରେ ଅଭିଯୋଗ ଆସିନି । ଯଦି ହେଉଥିବ, ତାହେଲେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.