jayashree

‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର

  • ‘ଭୀମପାହାଡରେ ପ୍ରାକ୍‌ଐତିହାସିକ ସମୟର ରେଖାଚିତ୍ର, ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯାଉ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୯ମ ଭୀମପାହାଡ ମହୋତ୍ସବ ଉପଲକ୍ଷେ ଦେଓଗାଁ ବ୍ଲକ ମକୁମନ୍ଦପୁର ପଞ୍ଚାୟତର ଐତିହ୍ୟପୀଠ ଭୀମପାହାଡଠାରେ ଗତକାଲି ମହୋତ୍ସବ କମିଟି ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ସଭାକକ୍ଷରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଇନଟେକ୍‌ ବଲାଙ୍ଗିର ଚାପଟର୍‌ର ସଭାପତି ଡ. ଶିବପ୍ରସାଦ ନନ୍ଦ, ଆଲୋଚକ ଭାବରେ ସମ୍ବଲପୁର ଆଇଆଇଏମର ଏସୋସିଏଟ ପ୍ରଫେସର ଡ. ସୁଜୀତ କୁମାର ପୃଷେଠ ଓ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଯୋଗ ଦେଇଥିଲେ । ଭୀମପାହାଡରେ ଶତାଧିକ ଗୁମ୍ଫା ରହିଛି ଓ ଏଠାରେ ଅନେକ ରେଖାଚିତ୍ର ରହିଛି । ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳର ଅଂଶ ବିଷେଶ ରହିଥିଲା । ଏହା ସହିତ ଅନେକ ସ୍ଥାନରେ ପ୍ରାକ୍‌ଐତିହାସିକ ଯୁଗର ତୀର, ପଥର ମାଳି, ସ୍ୱତନ୍ତ୍ର ଧରଣର ଇଟା ମିଳୁଛି । କେତେକ ସ୍ଥାନରେ ଗୁମ୍ଫାର ପଥରରେ ସ୍ୱସ୍ତିକ ଚିହ୍ନ, ତନ୍ତ୍ରଚକ୍ର, ଯୋନୀ ଚିହ୍ନ ଇତ୍ୟାଦିି ମଧ୍ୟ ରହିଛି । ବହୁଦିନରୁ ଏହି ଅଞ୍ଚଳରେ ଏକ ସମୃଦ୍ଧ ସଭ୍ୟତା ଥିବାର ଅନୁମାନ କରାଯାଉଛି । ତେଣୁ ଏହି ପୀଠରେ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯିବାକୁ ପ୍ରଫେସର ଡ. ଶିବପ୍ରସାଦ ନନ୍ଦ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଭୀମଡୁଙ୍ଗୁରୀ ଏହି ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ପରିଚୟ ହୋଇଛି । ତେଣୁ ଏହି ଅଞ୍ଚଳର ଉନ୍ନତି କରିବାକୁ ହେଲେ ଭୀମଡୁଙ୍ଗୁରୀର ସାମଗ୍ରୀକ ବିକାଶର ଆବଶ୍ୟକତା ରହିଛି । ଇନଟେକ୍‌ ବଲାଙ୍ଗିର ଚାପଟର୍‌ ତରଫରୁ ଏନେଇ ଆର୍କୋଲୋଜିକାଲ ସର୍ଭେକୁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଥିଲେ । ଠିକ୍‌ ସେହିପରି ପ୍ରଫେସର ଡ. ପୃଷେଠ ତାଙ୍କ ବକ୍ତବ୍ୟରେ ଭୀମପାହାଡ ସହିତ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଯୋଡି ହୋଇଥିବା ବିଷୟରେ ଆଲୋଚନା କରିଥିଲେ । ଗୋଟିଏ ଦିନରେ ଏକ ଉନ୍ନତ ଅଞ୍ଚଳ ରହିଆସିଥିବା ପାଟଣା ଗଡଜାତ ତଥା ବଲାଙ୍ଗିରରୁ କନ୍ଧମେଳି ଆନ୍ଦୋଳନରେ ଝାସ ଦେଇଥିବା ଅଠଗାଁ ଜମିଦାର ଧରମସିଂ ମାଝୀ ମାନଧାତାଙ୍କ ତ୍ୟାଗ ଓ ବଳିଦାନକୁ ଆମେ ସ୍ମୃତିଚାରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । କନ୍ଧମେଳି ସମୟର ସ୍ମୃତିକୁ ମନେପକାଇବାକୁ ଏଠାରେ ସହିଦ ଧରମସିଂ ମାଝୀ ମାନଧାତା, ରେଣ୍ଡୋ ମାଝୀ ଓ ଚକୋରା ବିଶୋଇଙ୍କ ଉପରେ ଆହୁରି ଗବେଷଣା କରାଯାଇ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଉ ବୋଲି ମତ ଦେଇଥିଲେ । ସହିଦ ଧରମସିଂ ମାଝୀ ମାନଧାତାଙ୍କ ବିଷୟରେ ଏନସିଆରଟି ପାଠ୍ୟପୁସ୍ତକରେ ପାଠ୍ୟକ୍ରମ ରଖାଯିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବୀ କରାଯାଉ ବୋଲି ଡ. ପୃଷେଠ କହିଥିଲେ । ଅତିଥିଗଣଙ୍କୁ ସ୍ୱାଗତ କରିବା ସହିତ ଆଲୋଚନାର ଉଦ୍ଦେଶ୍ୟ ବର୍ଣ୍ଣନା କରି ଆଦିବାସୀଙ୍କ ଆଦିଦେବତା ଭୀମାବୁଢା ଓ ଆଦିବାସୀଙ୍କ ସଂସ୍କୃତିକୁ ସୁରକ୍ଷା ପାଇଁ ଏକ ମ୍ୟୁଜିୟମର ଆବଶ୍ୟକତା ଉପରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ମତ ଦେଇଥିଲେ । ସାମ୍ବାଦିକ ସନ୍ଦୀପ କୁମାର କୁଅଁର ତାଙ୍କ ବକ୍ତବ୍ୟରେ ଏହି ଅଞ୍ଚଳର ଆଦି ସଂସ୍କୃତିର ସୁରକ୍ଷା ନିତାନ୍ତ ଆବଶ୍ୟକ । ତେଣୁ ଭୀମାବୁଢାଙ୍କ ଉପରେ ଅଧିକ ଗବେଷଣା କରାଯାଉ ବୋଲି ମତ ଦେଇଥିଲେ । ଆଲୋଚନାଚକ୍ରରେ ମହୋତ୍ସବ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ ଓ କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀଙ୍କ ସହିତ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.