ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆସନ୍ତା ମେ’ ୧ରେ ଉଦ୍‌ଯାପିତ ହେବ

  • ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତଙ୍କର ଏବେ ଅସମ୍ଭାଳ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଦକ୍ଷିଣ ଓଡ଼ିଶାର ଶାକ୍ତଧର୍ମର ଏକ ମହନୀୟ ପରମ୍ପରା ଅଟେ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଭାରତ ପ୍ରସିଦ୍ଧ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଅନୁକରଣରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଠାକୁରାଣୀ ଯାତ୍ରା ପ୍ରଚଳିତ ହୋଇଆସିଥିବା ଜଣାପଡିଛି ।

ଗତ ୪ ତାରିଖ ମଙ୍ଗଳବାରରେ ଆରମ୍ଭ ହୋଇଥିବା ଐତିହାସିକ ଗଣପର୍ବ ବ୍ରହ୍ମପୁରର ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଦର୍ଶନ ନିମନ୍ତେ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏବେ ପ୍ରାୟତଃ ଦୀର୍ଘ ସପ୍ତାହ ହେଲା ପ୍ରବଳ ଭିଡ ଜମୁଛି । ଆସନ୍ତା ୧ ତାରିଖ ସନ୍ଧ୍ୟା ହେଉଛି ଦେବୀଙ୍କ ଶେଷ ସନ୍ଧ୍ୟା ଦର୍ଶନ । ମେ’ ୧ ତାରିଖ ମଧ୍ୟରାତ୍ରିରେ ମାଆ ସାଆନ୍ତାଣୀ ନିଜର କର୍ମ ଭୂମିକୁ ପ୍ରତ୍ୟାବର୍ତ୍ତନ କରିବେ । ତେଣୁ ଗତକାଲି ଓ ଆଜି ମା’ ସାଆନ୍ତାଣୀଙ୍କ ବସିବାପଘର ନିକଟରେ ନିର୍ମିତ ଅସ୍ଥାୟୀ ଆଡ଼ପ ମଣ୍ଡପରେ ଦେବୀଙ୍କ ଦର୍ଶନ ନିମନ୍ତେ ଅସମ୍ଭାଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଦେବୀଙ୍କ ଦର୍ଶନ ନିମନ୍ତେ ଆଜି ପ୍ରାୟତଃ ୧ କିମି ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗିରହିଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରର ପୁରୁଣାବସ୍ତି, ବଡ଼ବଜାରକୁ ସଂଯୋଗ କରୁଥିବା ପ୍ରାୟ ୧ ଶହ ଗଳି, କନ୍ଦି, ସାହି ବସ୍ତିରେ ସବୁଆଡ଼େ ଭିଡ଼ ତ ଭିଡ଼ ପୁଣି ଯେଉଁଆଡ଼େ ଦେଖିବା ସେଇଆଡ଼େ କ୍ଷୀରି, ପଲଉ, ଖେଚୁଡ଼ି, ହାଲୁଆ ଆଦି ଭୋଗ ଲୋକଙ୍କୁ ବଣ୍ଟା ଯାଉଛି ଏବଂ ଉପମା, ଫଳ, ଆଇସକ୍ରିମ, ଚକୋଲେଟ, ଲଡୁ, ଭୂନ୍ଦି ଆଦି ମିଷ୍ଟାନ୍ନ, ଚହ୍ଲା, ଦହି, ସରବତ ଆଦି ଲକ୍ଷ ଲକ୍ଷ ଭକ୍ତଙ୍କୁ ବିତରଣ କରାଯାଉଛି । ଛୋଟ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାଗଣାରେ ଆପ୍ୟାୟିତ ହୋଇ ଖୁସି ମନାଇବା ଏଠାକାର ଏକ ନିଆରା ପରମ୍ପରା ଅଟେ । ଦୈନିକ ମାନସିକଧାରୀଙ୍କ ବେଶଧାରଣ, ପ୍ରତି ସାହିମାନଙ୍କରେ ବିଭିନ୍ନ ମେଢ଼ ପ୍ରଦର୍ଶନୀ ଆଦି ଦର୍ଶକ ଦେଖି ଆତ୍ମବିଭୋର ହୋଇ ଉଠିଥାନ୍ତି ।

ବ୍ରହ୍ମପୁରର ମାଆ’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ହେଉଛନ୍ତି ମହୁରୀରାଜାଙ୍କ ଘର ଇଷ୍ଟଦେବୀ, ସେଥିପାଇଁ ପ୍ରତିଦିନ ସନ୍ଧ୍ୟାରେ ଘଟ ପରିକ୍ରମାରେ ବାହାରି ପ୍ରଥମେ ମହୁରୀ ରାଜବାଟିକୁ ବର୍ଣ୍ଣାଢ଼୍ୟ ପଟୁଆରରେ ଦେବୀ ଆଗମନ କରିଥାନ୍ତି । ରାଜବାଟିରେ ଅଧୂନା କର୍ତ୍ତବ୍ୟରତ ଅଶୋକ କୁମାର ନରେନ୍ଦ୍ର ଦେବଙ୍କ ପରିବାର ତରଫରୁ ଭୋଗରାଗ ଅର୍ପଣ ଓ ବନ୍ଦାପନା ହୋଇ ରାଜ ଭୋଗ ଖାଇବା ପରେ ମା’ ସାଆନ୍ତାଣୀଙ୍କର ଅନ୍ୟ ସାହିକୁ ଆଗମନ କରିଥାଆନ୍ତି । ଅଧୂନା ବ୍ରହ୍ମପୁରର ବଡ଼ବଜାର ସ୍ଥିତ ଦେଶବେହେରା ସାହି ହେଉଛି ଦେବୀଙ୍କ ମା’ ଘର ଅବା ଜନ୍ମସ୍ଥାନ ଅଟେ । ଦେଶବେହେରାଙ୍କ ଝିଅ ହେଉଛନ୍ତି ମାଆ ବୁଢ଼ୀ ଠାକୁରଣୀ ବୋଲି କଥିତ ଅଛି ।

୧୭୮୦ରୁ ୧୭୮୫ ମସିହାରେ ମହୁରୀଗଡ଼ରେ ପ୍ରଥମେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭବତଃ ୧୮୨୦ ମସିହାରୁ କିମ୍ବା ୧୮୨୫ ମସିହାରୁ ବ୍ରହ୍ମପୁର ଦେଶବେହେରା ସାହିରେ ସ୍ଥାନାନ୍ତର ହୋଇ ଅଦ୍ୟାବଧି ପ୍ରଚଳିତ ହୋଇଆସିଥିବା ଜଣାପଡିଛି ।

ସ୍ୱତଃ ଦୀର୍ଘଦିନ ଯାଏଁ ଅସ୍ଥାୟୀ ଆଡ଼ପ ମଣ୍ଡପରେ ଦେବୀ ବିଜେ କରିଥାନ୍ତି । ଠାକୁରାଣୀ ଶାଶୁ ଘରୁ ମା’ ଘରକୁ ଆସନ୍ତି । ଝିଅମାନେ ଯେପରି ବାପଘରକୁ ଆସିଲେ ଆନନ୍ଦର ସହ କୋଳାହଳ ହୁଏ । ଠିକ ସେହିପରି ଆନନ୍ଦ ଓ ଉତ୍ସବମୁଖର ଭାବେ ବର୍ଣ୍ଣାଢ଼୍ୟ ସମ୍ଭାରରେ ଏହି ଯାତ୍ରା ପ୍ରାୟତଃ ବ୍ରହ୍ମପୁରରେ ୨୧ ଦିନରୁ ଅଧିକ ଦିନବ୍ୟାପି ଯାତ୍ରା ସମାହିତ ହୋଇଥାଏ । ଦେବୀ ପୂଜାରେ ନାରୀମାନଙ୍କୁ କିଭଳି ପ୍ରାଧାନ୍ୟ ଦିଆଯାଉଥିଲା, ତାହା ଏଠାରେ ପ୍ରତିପାଦିତ ହୁଏ । ଯାହାକି ବୈଦିକ ଯୁଗରେ ଉଲ୍ଲେଖ ଥିବା କୁହାଯାଇଛି ।

Leave A Reply

Your email address will not be published.