ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମା ସ୍ମୃତି ସମ୍ମାନ ସାମାରୋହ

  • ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ଶ୍ରେଷ୍ଠ ସାରସ୍ୱତ କୃତୀ ଶ୍ରୀମଦ୍‌ଭ ଗବଦ୍ ଗୀତା ସର୍ବବୃହତ୍ ତଥ୍ୟପୂର୍ଣ୍ଣ ଏକ ଅଭ୍ରାନ୍ତ ପ୍ରାମାଣିକ ଟୀକାଗ୍ରନ୍ଥ : ଡ଼ଃ.କୁଳମଣି ଓଝା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୱାନ ପୁରୁଷ ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ଦୀର୍ଘ ସାଧନାଲବ୍ଧ ଶ୍ରେଷ୍ଠ ସାରସ୍ୱତ କୃତିତ୍ତ୍ୱ ‘ଗୀତା ବିଜୟ ବୈଜୟନ୍ତୀ’ ସମଗ୍ର ଭାରତୀୟ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ । ଶ୍ରୀମଦ୍‌ ଭଗବଦ୍ ଗୀତା ସମ୍ପର୍କରେ ପୃଥିବୀର ବିଭିନ୍ନ ଭାଷାରେ ରଚିତ ଭାଷ୍ୟଗ୍ରନ୍ଥ ମଧ୍ୟରେ ଏହା ସର୍ବବୃହତ୍ ତଥ୍ୟପୂର୍ଣ୍ଣ ଏକ ଅଭ୍ରାନ୍ତ ପ୍ରାମାଣିକ ଟୀକାଗ୍ରନ୍ଥ ବୋଲି ପ୍ରବୀଣ ଓଡ଼ିଆ ସାହିତ୍ୟ ଗବେଷକ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ)ର ଉପ-ସଚିବ ଡ଼ଃ.କୁଳମଣି ଓଝା ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ ବ୍ରହ୍ମପୁରର କଳିଙ୍ଗ ସାହିତ୍ୟ ସମାଜ ଏବଂ ଛତ୍ରପୁର ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ରବିବାର ପୂର୍ବାହ୍ଣରେ ଛତ୍ରପୁର ପବ୍ଲିକ୍ ସ୍କୁଲ୍‌ର ସମ୍ମିଳନୀ ଗୃହରେ ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମା ସ୍ମୃତି ସମ୍ମାନ ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା । ଏହି ସାରସ୍ୱତ ସମାବେଶରେ ବହୁବିଶିଷ୍ଟ ସାହିତ୍ୟିକ, ଗବେଷକ, ପ୍ରାବନ୍ଧିକ, କବି ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଗଞ୍ଜାମର ପ୍ରବୀଣ ସାହିତ୍ୟ ସାଧକଙ୍କ ସାହିତ୍ୟ କୃତ୍ତି ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର, ଦକ୍ଷିଣାଞ୍ଚଳ ଉପ-ସଚିବ ଡ଼ଃ.କୁଳମଣି ଓଝା ଏହି ଅବସରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ଓ କୃତୀ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପଣ୍ଡିତ ପତିଶର୍ମା ପ୍ରଣୀତ ‘ଗୀତା ବିଜୟ ବୈଜୟନ୍ତୀ’ର ମାତ୍ର ଦୁଇଟି ଅଧ୍ୟାୟ ତିନି ଖଣ୍ଡରେ ପ୍ରକାଶ ପାଇଥିଲା, ସେ ସମ୍ବନ୍ଧରେ ମଧ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । ଷୋହଳଟି ଅଧ୍ୟାୟର ଭାଷ୍ୟ ଅପ୍ରକାଶିତ ଅବସ୍ଥାରେ ଅଛି । ଏହି ଭାଷ୍ୟଗ୍ରନ୍ଥର ସମସ୍ତ ଅଠରଟି ଯାକ ଅଧ୍ୟାୟ ପ୍ରକାଶିତ ହେଲେ, ତାହା ବିଶ୍ୱର ଗୀତା ସମ୍ପର୍କିତ ସର୍ବବୃହତ୍ ଭାଷ୍ୟଗ୍ରନ୍ଥର ମାନ୍ୟତା ଲାଭ କରନ୍ତା ବୋଲି ମୁଖ୍ୟବକ୍ତା ଡ଼ଃ. ଓଝା କହିଥିଲେ । ଏତ୍‌ଦ୍ଭିନ୍ନ ପଣ୍ଡିତ ପତିଶର୍ମାଙ୍କ ସାଧନାନିଷ୍ଠ ବ୍ୟକ୍ତିତ୍ୱ, ଅନ୍ୟାନ୍ୟ ସାରସ୍ୱତ କୃତି, ଅଧ୍ୟବସାୟ, ମନସ୍କ ଅଧ୍ୟୟନ, ଅନୁଶୀଳନ ଆଦି ସମ୍ପର୍କରେ ଡ଼ଃ. ଓଝା ସଂକ୍ଷେପରେ ଆଲୋଚନା କରିଥିଲେ । କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଏହି ସ୍ମୃତି ସମାରୋହରେ ପୌରୋହିତ୍ୟ କରି କଳିଙ୍ଗ ସାହିତ୍ୟ ସମାଜର ଶାଖା ସଂସ୍ଥାନ ଦକ୍ଷିଣ ଓଡ଼ିଶା ଉଚ୍ଚତ୍ତର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଦକ୍ଷିଣାଞ୍ଚଳର ବିସ୍ମୃତ ବରପୁତ୍ରଙ୍କ ସ୍ମାରକୀ ବକ୍ତୃତା ଆୟୋଜନ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସଂଗେ ସଂଗେ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ । ଛତ୍ରପୁର ସାହିତ୍ୟ ସଂସଦ ସଭାପତି ବ୍ରଜମୋହନ ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କର ଛତ୍ରପୁର ସହିତ ରହିଥିବା ଭାବଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ ।

ଏହି ସ୍ମୃତି ସମାରୋହରେ ମରଣୋତ୍ତର ଭାବରେ ଛତ୍ରପୁର ଅଞ୍ଚଳର ବିଶିଷ୍ଟ ଅଧିବକ୍ତା ଓ ସାହିତ୍ୟିକ ଅମରେଶ ପ୍ରସାଦ ମିଶ୍ର ଏବଂ ସୁଖ୍ୟାତ କବି-ସମାଲୋଚକ ଡ଼ଃ. କୁଳମଣି ଓଝାଙ୍କୁ ପ୍ରଶସ୍ତିପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ମିଳିତ ଭାବେ ‘ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମା ସ୍ମୃତି ସମ୍ମାନ-୨୦୨୩ରେ ସମ୍ମାନିତ କରାଯାଇଥିଲା । ସ୍ୱର୍ଗତ ଅମରେଶ ମିଶ୍ରଙ୍କ ସହଧର୍ମିଣୀ ଊର୍ମଳା ମିଶ୍ର ଉପାୟନ ଓ ପ୍ରଶସ୍ତିପତ୍ର ଗ୍ରହଣ କରିଥିଲେ । ଅମରେଶ ମିଶ୍ରଙ୍କ ଜ୍ୟେଷ୍ଠା କନ୍ୟା ଡ. ଅଳକା ମିଶ୍ର ଏହି ଅବକାଶରେ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ସହିତ ରହି ଆସିଥିବା ତାଙ୍କର ପାରିବାରିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଦକ୍ଷିଣ ଓଡ଼ିଶା ଉଚ୍ଚତ୍ତର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ପ୍ରକାଶିତ ଓ ଡ଼ଃ.କୁଳମଣି ଓଝାଙ୍କ ଦ୍ୱାରା ଲିଖିତ ‘ଶ୍ରୀମଦ୍‌ ଭଗବଦ୍ ଗୀତା ଭାଷ୍ୟକାର ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମା’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏହି ସମାରୋହରେ ଛତ୍ରପୁରର ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟଅତିଥି ଏବଂ ଡ଼ଃ.ବନମାଳୀ ପାଣିଗ୍ରାହୀ, ଭେଟେରାନ୍ ରୋଟାରିଆନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସୂଚନା, ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଡ଼ଃ.ଅଜୟ କୁମାର ତ୍ରିପାଠୀ, ଡ଼ଃ.ଭି.ରାଜେନ୍ଦ୍ର ରାଜୁ ଓ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପଣ୍ଡିତ ପତିଶର୍ମାଙ୍କ ସୁଦିବ୍ୟଜୀବନ ଓ ସୃଷ୍ଟି ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସାହିତ୍ୟ ସମାଜ କୋଷାଧ୍ୟକ୍ଷ ଡ଼ଃ. କୃଷ୍ଣପ୍ରସାଦ ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ଓ ପ୍ରାକ୍-ସୂଚନା ପ୍ରଦାନ କରିଥିବା ବେଳେ ଉପ-ସଭାପତି ଡ଼ଃ. ବନମାଳୀ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଡ଼ଃ.କୃଷ୍ଣପ୍ରସାଦ ମହାପାତ୍ର ଅମରେଶ ମିଶ୍ରଙ୍କ ଉଦ୍ଦେଶ୍ୟରେ ଏବଂ ଡ଼ଃ.ହୃଷୀକେଶ ପଣ୍ଡା, ଡ଼ଃ.କୁଳମଣି ଓଝାଙ୍କ ଉଦ୍ଦେଶ୍ୟରେ ଲିଖିତ ପ୍ରଶସ୍ତିପତ୍ର ପାଠ କରିଥିଲେ । ଶେଷରେ ଛତ୍ରପୁର ସାହିତ୍ୟ ସଂସଦ ସମ୍ପାଦକ ଦିଲୀପ କୁମାର ପଲାଇ ଆନୁଷ୍ଠାନିକ ଭାବେ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟାକ୍ରମ ପରିଚାଳନାରେ ଡ଼ଃ. ଅଜୟ କୁମାର ତ୍ରିପାଠୀ, ଅନୁପ କୁମାର ମିଶ୍ର, ଚିନ୍ମୟ କୁମାର ଦାଶ, ଧର୍ମା ରେଡ୍ଡୀ, କପିଳ ଚନ୍ଦ୍ର ମହାନ୍ତି, ହାଡ଼ିବନ୍ଧୁ ମାଳି, ପ୍ରଶାନ୍ତ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!