ତାଳଚେର କୋର୍ଟ ଆପିଡେଭିଟ୍ ବ୍ୟବସ୍ଥାରେ ଓକିଲ ମହକିଲ ଅସନୁଷ୍ଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେର ଏକ ପ୍ରବୃଦ୍ଧ ଶିଳ୍ପାଞ୍ଚଳ ଏବଂ କୋଇଲା ଉତ୍ତୋଳନ ଯୋଗୁଁ ବିସ୍ଥାପନ ସମସ୍ୟା ସହିତ ସରକାରୀ ଆଇନଗତ ବ୍ୟବସ୍ଥା ଓତଃପ୍ରୋତଃ ଭାବେ ଜଡିତ । ବିସ୍ଥାପନ ଯୋଗୁଁ ପ୍ରଜାଙ୍କୁ ନିଜ ଖଣି ଜନିତ ବିସ୍ଥାପନ ପ୍ରାପ୍ୟ ନିମନ୍ତେ ନିଜସ୍ୱ ଜମି ଓ ମାଲିକାନା ସତ୍ତ୍ୱ ଜାହିର କରିବା ନିମନ୍ତେ କୋର୍ଟ ଆପିଡେଭିଟ୍ କରି ସରକାରୀ ଓ ଖଣି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖିଲ କରିବାକୁ ପଡିଥାଏ । ଖବର ନେବାରୁ ଜଣାଯାଇଛି ଯେ, କୋର୍ଟ ଦ୍ୱାରା ନିଯୁକ୍ତ ନୋଟାରୀଙ୍କଠାରେ କରିଥିବା ଆପିଡେଭିଟ୍‌ଗୁଡିକୁ କୋଇଲା ଖଣି କର୍ତ୍ତୃପକ୍ଷ ଗ୍ରହଣ କରୁ ନାହାନ୍ତି ଏବଂ କେବଳ ଆଜ୍ୟୁକେଟିଭ ମାଜିଷ୍ଟ୍ରେଟଙ୍କ ପାଖରେ ହୋଇଥିବା ଆପିଡେଭିଟ୍ ଗୁଡିକୁ ଗ୍ରହଣ କରୁଛନ୍ତି । ଯାହା ଜଣାଯାଏ ଏହି ଆଜ୍ୟୁକେଟିଭ ମାଜିଷ୍ଟ୍ରେଟ୍ କ୍ଷମତା ତାଳଚେର ସବ୍ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ତାଳଚେର ତହସିଲଦାର ଓ ସହକାରି ତହସିଲଦାରଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି । ଅନେକ ସମୟରେ ଏହି ପ୍ରଶାସନିକ ଅଧିକାରୀ ନିଜ ନିଜ ପ୍ରଶାସନ ଦାୟିତ୍ୱରେ ବ୍ୟସ୍ତ ରହୁଥିବାରୁ ଓକିଲ ମହକିଲ ସାଧାରଣ ଆପିଡେଭିଟ୍ କରିବା ନିମନ୍ତେ ନିରାଶ ହୋଇ ଫେରୁଛନ୍ତି । କୋଇଲା ଖଣି ଦୃଷ୍ଟରୁ ଏଠାରେ ପ୍ରଶାସନିକ କାର୍ଯ୍ୟ ବ୍ୟତୀତ, ଖଣି ସୁରକ୍ଷା, କୋଇଲା ପରିବହନ ଏବଂ ଖଣି ଜନିତ ସମସ୍ୟା ଜମିହାରା ପ୍ରଜାଙ୍କ ଆକ୍ରୋଶ, ଶ୍ରମିକ ଆକ୍ରୋଶ, ଖଣି ବନ୍ଦ ଓ ଧର୍ମଘଟ ଏହି ଅଞ୍ଚଳର ନିତି ଦିନିଆ ଘଟଣା କିନ୍ତୁ କେବଳ ଚାରିଜଣ ପ୍ରଶାସନିକ ଅଧିକାରୀ ଥିବାରୁ ଏବଂ ଅଧିକ ସମୟ ଏଭଳି କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଯୋଗୁଁ ଦୂର ଦୁରାନ୍ତର ବିସ୍ଥାପିତ ଗ୍ରାମରୁ ଆସିଥିବା ପ୍ରଜା ଆପିଡେଭିଟ୍ ଟିଏ କରିବାକୁ ଦିନ ଗଡୁଛି । ଅନେକ ଓକିଲ ଓ ମହାକିଲ ଏନେଇ ଅସନ୍ତୁଷ୍ଟ ଏବଂ ପ୍ରଶାସନ ଓ ସ୍ଥାନୀୟ ରାଜନେତା ଏହାର ସଜ୍ଞାନ ନେବକୁ କିଛି ବରିଷ୍ଠ ଓକିଲ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.