- ତ୍ରିନାଥ ସିଂହ
ବେଳାଭୂମି ସାରା ଝଲଝଲ ଭାଙ୍ଗି ପଡ଼ିଥିବା
ଜହ୍ନର ଟୁକୁରା ଆଖିରେ କଳାପଟିଟିଏ ଭିଡ଼ିଦେଇ
ତମେ ଗୋଟାଉଥାଅ ସ୍ୱପ୍ନ
ଓ ଝିଣ୍ଟି ପଡ଼ୁଥାଅ ବାରମ୍ବାର ….
ଏଣେ
ମୋ’ ଭିତରେ କିଏ ଜଣେ ଥରକୁ ଥର
ଚିହିଁକି ଉଠୁଥାଏ ।
ଝାଉଁଳି ପଡ଼ିଥିବା ସମୟର ଦେହରୁ
ଗତାୟୁର ଧୂଳିମଳି ସବୁକୁ ଝାଡ଼ିଝୁଡ଼ି ଦେଇ
ମୁଁ ତୁମକୁ ଦେଖାଇଦିଏ ସମୁଦ୍ର ଆରକଡେ ସୂର୍ଯ୍ୟାଗମର ଦୃଶ୍ୟ
ବାଟବଣା ଚଢେଇକୁ ଚିହ୍ନେଇଦିଏ ଘରଫେରନ୍ତା ବାଟ ।
ଅଥଚ ସମୁଦ୍ରକୁ ପହଁରି ଯିବାର
ବୀଜମନ୍ତ୍ର ଦେବା ବେଳକୁ ଦେଖେଁ
ମୋ’ ଚାରିକଡେ ନିର୍ଭେଦ କୁହୁଡ଼ିର ଘେର
ଖଚାଖଚ୍ ଅନ୍ଧାର ଓ
ଉକ୍ରଟ ଗନ୍ଧରେ ଉଛୁଳୁଥାଏ ଚତୁଃପାର୍ଶ୍ଵ ।
ବାଘଟିଏ ହଠାତ୍ କୋଉଠୁ
ଦେହ ଫୁଲେଇ ଲାଂଜପିଟି ବିଭତ୍ସ ଆନନ୍ଦରେ
କୁଦିପଡେ ମୋ’ ଉପରକୁ ।
ଢେଉ ସବୁ ଫେରିଯା’ନ୍ତି ସମୁଦ୍ରକୁ
ତାରାମାନେ ଘୋଡେଇ ପକାନ୍ତି ପାପୁଲିରେ ମୁହଁ…
କୋଉଠୁ ଶୁଭୁଥାଏ
ମୁକ୍ତାଟିଏ ଫିଟିପଡ଼ୁଥିବାର ଝାଳ ସଡ଼ବଡ଼ ଶବ୍ଦ ।
ମୁଁ ଆଖି ଖୋଲେଁ
ତ’ କେହି ବି ନଥାଏ କୋଉଛି ।
ନା’ ଥାଏ ବାଘ …. ନା’ କୁହୁଡ଼ି …. ନା’ ଅନ୍ଧାର …
ପଟା ପଟା ରାଂପୁଡ଼ା କାମୁଡ଼ା ଦାଗରେ ଅବିନ୍ୟସ୍ତ
ମୋର ଲହୁଲୁହାଣ ଦେହ
ମୁହଁମାଡ଼ି ପଡ଼ିଥାଏ ।
ଅନତି ଦୂରରେ କିଏ ଜଣେ
ଆଖିରେ କଳାପଟିଟିଏ ଭିଡ଼ିଦେଇ
ଏକାଗ୍ର ମନରେ ସ୍ୱପ୍ନ ଗୋଟାଉଥାଏ …. । ।
ମୋ.ନଂ. : ୮୯୮୪୦୭୩୧୧୦