ବଲାଙ୍ଗିର, (କେପିଏନ୍ଏସ୍) : ମାଟିମନସ୍କ ଚିନ୍ତାନାୟକ ଶିକ୍ଷା ପ୍ରବୀଣ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ଦେହାନ୍ତରେ କାନ୍ଦୁଛି ବଲାଙ୍ଗିର ମାଟି । ବଲାଙ୍ଗିରର ବିଶିଷ୍ଟ ଶିକ୍ଷାବିତ୍, ଗାନ୍ଧୀବାଦୀ ବିଚାରକ, ଅର୍ଥନୀତି ବିଶାରଦ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପିଜି କାଉନସିଲ୍ ଚେୟାରମେନ୍ ପ୍ରଫେସର ରବିଶଙ୍କର ପାଣ୍ଡିଆ (୬୨)ଙ୍କର ଗତକାଲି ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଭୁବନେଶ୍ୱରଠାରେ ପରଲୋକ ହୋଇଯାଇଛି । ପ୍ରାୟ ୫ ମାସ ତଳେ ସେ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ସେହିଦିନଠାରୁ ସେ ଭୁବନେଶ୍ୱରରେ ରହି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ବୌଦ୍ଧିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଜଣେ ପ୍ରଜ୍ଞାଦୀପ୍ତ ସୁଲେଖକ, ସୁବକ୍ତା ଓ ସୁଚିନ୍ତକ ଭାବେ ସେ ବିଭିନ୍ନ ଶୈକ୍ଷିକ, ବୌଦ୍ଧିକ ଓ ସାମାଜିକ ଅନୁଷ୍ଠାନ ସହ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସକ୍ରିୟ ରହିଥିଲେ ।
ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆ ଓ ସ୍ୱର୍ଗତା ଗିରିଜା ଦେବୀ ପାଣ୍ଡିଆଙ୍କ ସାନପୁଅ ସ୍ୱର୍ଗତ ପ୍ରଫେସର ପାଣ୍ଡିଆ ୨୫ ଡିସେମ୍ବର ୧୯୬୦ ମସିହାରେ ପାଟଣାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ମେଧାବୀ ଛାତ୍ର ଭାବେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରୁ ମାଟ୍ରିକ, ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ସ୍ନାତକୋତ୍ତର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ବିଷୟରେ ଏମ୍ଫିଲ୍ ଡିଗ୍ରୀ ହାସଲ କରିଥିଲେ । ଏହାପରେ ପାଟଣାଗଡ଼ ଜବାହରଲାଲ କଲେଜ ଓ ବଲାଙ୍ଗିର ରାଜେନ୍ଦ୍ର କଲେଜରେ ଯୋଗଦେଇ ଅଧ୍ୟାପନା ଆରମ୍ଭ କରିଥିଲେ । ଓପିଏସ୍ସି ଯୋଗ୍ୟତା ହାସଲ କରି ସେ ଜୟପୁର ବିକ୍ରମ ଦେବ କଲେଜ, ଭବାନୀପାଟଣା କଲେଜ ଓ ବଲାଙ୍ଗିର ରାଜେନ୍ଦ୍ର କଲେଜରେ ଅଧ୍ୟାପନା କରିଥିଲେ । ରାଜେନ୍ଦ୍ର କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ପିଜି କାଉନସିଲ ଚେୟାରମେନ ଭାବେ ସେ ଦାୟିତ୍ଵ ତୁଲାଇଥିଲେ । ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟରେ ଅପଗ୍ରେଡ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୯୮୭ ମସିହାରେ ସାମ୍ବାଦିକ ଗୌରବ ସ୍ୱର୍ଗତ ଶିବପ୍ରସାଦ ପାଣ୍ଡିଆଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ବିଚାରଶୀଳ ସାପ୍ତାହିକ ରୁଦ୍ରଆହ୍ୱାନ ସହ ଜଡିତ ରହି ପଶ୍ଚିମ ଓଡ଼ିଶା, ବିଶେଷ କରି ୮୦ ଓ ୯୦ ଦଶକର ଅବିଭକ୍ତ ବଲାଙ୍ଗିର ଓ କଳାହାଣ୍ଡି ଜିଲାର ଅନାହାର, ପିଲା ବିକ୍ରି, ଦାଦନ ସମସ୍ୟା, ଦାରିଦ୍ର୍ୟ, ଶୋଷଣ ଓ କଷଣ ଉପରେ କଲମ ଚାଳନା କରି ଆଞ୍ଚଳିକ ବୈଷମ୍ୟ ଓ ଚରମ ଉପେକ୍ଷା ପ୍ରସଙ୍ଗ ଉଜାଗର କରିଥିଲେ । ଦେଶରେ ଉଦାରବାଦୀ ଅର୍ଥନୀତି ଗ୍ରହଣ ପରେ ବିଶେଷ କରି ଅନଗ୍ରସର ଅଞ୍ଚଳରେ ରାଜନୈତିକ, ପ୍ରଶାସନିକ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିଭଙ୍ଗୀ କିଭଳି ପ୍ରଭାବିତ ହୋଇଥିଲା, ତା’ ଉପରେ ବହୁ ଗବେଷଣାତ୍ମକ ନିବନ୍ଧ, ସମ୍ପାଦକୀୟ ଓ ବକ୍ତବ୍ୟ ରଖିଥିଲେ । ଯୁବପିଢି ବିଶେଷକରି ଛାତ୍ରଛାତ୍ରୀଙ୍କ ଭିତରେ ଗାନ୍ଧିବାଦୀ ବିଚାର ଓ ସାମାଜିକ ରଚନାତ୍ମକ କାର୍ଯ୍ୟ ସଂରଚନା ଉପରେ ସେ ଗୁରୁତ୍ୱ ଦେଇ ଆସିଥିଲେ । ମାଗଣାରେ ଛାତ୍ରଛାତ୍ରୀଙ୍କୁ ସେ ନିଜ ଘରେ ଶିକ୍ଷାଦାନ କରି ସେମାନଙ୍କ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ କରୁଥିଲେ । ଜଣେ ବୁଦ୍ଧିଜୀବୀ ଓ ଶିକ୍ଷାବିତ ଭାବେ ବହୁ ପ୍ରାଦେଶିକ ଓ ଜାତୀୟ ଆଲୋଚନାଚକ୍ର, ସମ୍ପାନ ଓ କର୍ମଶାଳାରେ ଯୋଗଦାନ କରିଥିଲେ । ତାଙ୍କ ଅକାଳ ବିୟୋଗ ବଲାଙ୍ଗିର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମହଲରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି ।
ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ଏକମାତ୍ର ପୁତ୍ର ବିପ୍ଳବ କେଶରୀ ମୁଖାଗ୍ନି ଦେଇଥିଲେ । ତାଙ୍କ ସ୍ତ୍ରୀ ତପତି ପାଣ୍ଡିଆ, ବଡ଼ଭାଇ ସୁଶୀଳ କୁମାର, ଭାଉଜ, ପୁତୁରା ସଂଗ୍ରାମ, ଭାଇ ପ୍ରଭାତ, ପ୍ରମୋଦ, ମୋହନ, ନିହାର, ସମୀର ନାୟକ, ସମସ୍ତ ଭଉଣୀ ଓ ଜ୍ୱାଇଁ ଅଜିତ ଯୋଷୀ, ସତ୍ୟ ପାଣିଗ୍ରାହୀ, ସମ୍ପର୍କୀୟ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ପଦ୍ମଶ୍ରୀ ନରସିଂହ ଗୁରୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, ମ୍ୟୁନିସିପାଲଟି ଅଧ୍ୟକ୍ଷା ଲିକା ସାହୁ, ପ୍ରଫେସର ମଧୁସୂଦନ ପତି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଘାସିରାମ ମିଶ୍ର, କୋଶଲବାଦୀ ନେତା ପ୍ରମୋଦ ମିଶ୍ର, ରାଜେନ୍ଦ୍ର କଲେଜ ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ବିକ୍ରମାନନ୍ଦ ବହିଦାର, ଅଭିମନ୍ୟୁ ମିଶ୍ର, ବିନୟ କୁମାର ଜେନା, ଦୁର୍ଗାପ୍ରସନ୍ନ ମହାପାତ୍ର, ସୁବାସ ଚନ୍ଦ୍ର ପଣ୍ଡା, ସୁଧୀର ପଣ୍ଡା, ଚେତନାନନ୍ଦ ପଣ୍ଡା, ରାଜେନ୍ଦ୍ର କଲେଜ ଆଲୁମ୍ନି ଆସୋସିଏସନର ପ୍ରଭାସ ପାଣିଗ୍ରାହୀ, ଭବାନୀ ଶଙ୍କର ଶତପଥୀ, ଅରବିନ୍ଦ ଦାସ, ଡ ଶ୍ରୀକର ମିଶ୍ର, ରତନ ମହାରଣା, ସତ୍ୟସୁନ୍ଦର ଭଞ୍ଜ, ମନରଞ୍ଜନ ଯୋଷୀ, ଗୋପବନ୍ଧୁ ଶତପଥୀ, ପ୍ରସନ୍ନ ମିଶ୍ର, ସିଏ ଶ୍ରୀକାନ୍ତ ଶର୍ମା, ନାଗରିକ କମିଟି ସଭାପତି ବେଲାର ସିଂ ଭୋଇ, ସମ୍ପାଦକ ମନୋରଞ୍ଜନ ସାହୁ, ଜିଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀ, ପ୍ରେସ କ୍ଳବ୍ ସଭାପତି ଅରୁଣ ମିଶ୍ର, ଜିଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ଜିଲ୍ଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ଟ୍ରକ ଅପରେଟର୍ସ ଆସୋସିଏସନ୍ ସଭାପତି ବୀରେନ ମିଶ୍ର, ଘରୋଇ ବସ୍ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା, ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଭାକର ମିଶ୍ର, ପ୍ରଫେସର ମହେଶ ପଟ୍ଟନାୟକ, ପ୍ରହଲ୍ଲାଦ ଶତପଥୀ, ଦେବେନ୍ଦ୍ର କୁମାର ମିଶ୍ର, ପ୍ରାଧ୍ୟାପକ ଆଶିଷ ମିତ୍ର, ବନମାଳୀ ପୋଢ, ରାଜେଶ ଝାଙ୍କର, କୁନୁ ପଣ୍ଡା, ଚାଇନା ମହାନ୍ତ, ମଦନ ମୋହନ ରଥ, ପବିତ୍ର ପାଣ୍ଡିଆ, ଅଶୋକ ନନ୍ଦ ଅଶୋକ ଚାନ୍ଦ, ଡ଼ା ଲକ୍ଷ୍ମୀକାନ୍ତ ମହାପାତ୍ର, ନୀଳମଣି ମିଶ୍ର, ଜୟରାମ ମିଶ୍ର ତଥା ଅନ୍ୟମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।