ସ୍ୱର୍ଗତ ସୋମନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

  • ପ୍ରଫେସର ଡ. ସୋମନାଥ ମିଶ୍ର ଥିଲେ ନିଷ୍ଠାବାନ ପ୍ରଶାସକ, ଦେଶ ଭକ୍ତ ଯୋଦ୍ଧା ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ପ୍ରଫେସର ଡ. ସୋମନାଥ ମିଶ୍ର ଥିଲେ ଜଣେ ଶିକ୍ଷାବିତ୍, ବୈଜ୍ଞାନିକ, ଜ୍ଞାନଯୋଗୀ, କର୍ମଯୋଗୀ, ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ସମର୍ପିତ ପ୍ରାଣ, ଦେଶଭକ୍ତ ଯୋଦ୍ଧା ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ବୋଲି ଅତିଥିମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଏନଆଇଟିରେ ଥିବା ତୀର ପ୍ରେକ୍ଷାଳୟରେ ଇସ୍ପାତ କାରଖାନାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସମାଜସେବୀ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଏନଆଇଟି ପ୍ରାକ୍ତନ ଛାତ୍ରସଂସଦ ନିଟ୍ରା ରାଉରକେଲା ଚାପ୍ଟର ସଭାପତି ବିମଳ ବିଶିଙ୍କ ଆବାହକତ୍ୱ ତଥା ଏନଆଇଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ସ୍ୱତନ୍ତ୍ର ଅତିଥି ଭାବେ ଏନଆଇଟିର ନିର୍ଦ୍ଦେଶକ କେ ଉମାମହେଶ୍ୱର ରାଓ ତଥା ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରିତି ମହାପାତ୍ର ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୌମିକଙ୍କୁ ତାଙ୍କୁ ଏକ ନିଷ୍ଠାବାନ ପ୍ରଶାସକ, ଛାତ୍ରବତ୍ସଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ମତ ରଖିଥିବା ବେଳେ ସ୍ୱତନ୍ତ୍ର ଅତିଥି ଶ୍ରୀ ରାଓ ତାଙ୍କ ଏନଆଇଟି ପ୍ରତି ଥିବା ଅବଦାନ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ । ସମ୍ମାନିତ ବକ୍ତାଭାବେ ସ୍ୱର୍ଗତ ମିଶ୍ରଙ୍କ ପୁତୁତା ସଚ୍ଚିଦାନନ୍ଦ ମିଶ୍ର, କବି ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପ ସଭାପତି କୁଞ୍ଜବିହାରୀ ରାଉତ, ପ୍ରଫେସର ଏଚ କେ ନାୟକ, ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଅଭୟ କୁମାର ଦାସ, ପ୍ରଫେସର ହିମାଂଶୁ ଭୂଷଣ ସାହୁ ପ୍ରମୁଖ ତାଙ୍କୁ ଜ୍ଞାନଯୋଗୀ, କର୍ମଯୋଗୀ, ଦେଶଭକ୍ତ ଯୋଦ୍ଧା, ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱ ବୋଲି ମତ ରଖି ତାଙ୍କ ସ୍ମୃତି ଚାରଣ କରିଥିଲେ । ଶ୍ରୀ ରାଉତ ସୋମନାଥ ସ୍ମରଣେ ନାମକ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସ୍ମୃତିଶିଖା ଧଳଙ୍କ ସଂଯୋଜନାରେ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଉପାଧ୍ୟାୟ ମନ୍ତ୍ରୋଚାରଣ କରିଥିବା ବେଳେ ଆରଏସପିର ଅନ୍ୟତମ ଅଧିକାରୀ ନିବେଦିତା ପଟ୍ଟନାୟକ ରାୟ ସ୍ୱର୍ଗତ ମିଶ୍ରଙ୍କ ଜୀବନୀ ଓ କାର୍ଯ୍ୟକଳାପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ସ୍ୱର୍ଗତ ମିଶ୍ର ୧୯୭୪ ମସିହାରୁ ୧୯୯୬ ପର୍ଯ୍ୟନ୍ତ ଦୀର୍ଘ ୨୨ବର୍ଷ ଧରି ତତ୍କାଳୀନ ଆରଇସିର ଅଧ୍ୟକ୍ଷ ରହିଥିଲେ । ଏହି ସମୟ ମଧ୍ୟରେ ଏହାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସହ ୧୯୯୨ ମସିହାରେ ଏହାକୁ ପ୍ରଥମ ଏକକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରେ ସେ ୧୯୯୬- ୯୮ ପର୍ଯ୍ୟନ୍ତ ଆଇଆଇଟି ଖଡଗପୁର, ଟାଟା ଚେୟାରର ଆମନ୍ତ୍ରିତ ପ୍ରଫେସର, ଭାରତ ସରକାରଙ୍କ ଲୌହ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କୁଲ ୨୦୦୨-୨୦୦୩ ପର୍ଯ୍ୟନ୍ତ ନିର୍ଦ୍ଦେଶକ ରୂପେ କାର୍ଯ୍ୟ ତୁଲାଇ ଏକ ଶ୍ରେଷ୍ଠ ଗବେଷଣା କେନ୍ଦ୍ରରେ ପରିଣତ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଉଦ୍ୟମ କ୍ରମେ ରାଉରକେଲାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇ ପାରିଥିଲା । ଏହା ସହ ଏନଆଇଟି ପରିସରରେ ଥିବା ଆରଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ସହ ସଭାପତି ଦାୟିତ୍ୱ, ଉତ୍କଳ ସମ୍ମିଳନୀକୁ କାର୍ଯ୍ୟକ୍ଷମ କରାଇ ୧୯୮୨ରେ ଯେଉଁ ପ୍ରସ୍ତୁତି କମିଟି ଓ ରାଜ୍ୟସ୍ତରୀୟ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପଦ ଦାୟିତ୍ୱର ସହ ତୁଲାଇ ନିଜର ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ । ସ୍ୱର୍ଗତ ମିଶ୍ର ଆମେରିକାର ମାସାଚ୍ୟୁଟ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ ସହ ଭାରତ ସରକାରଙ୍କ ଦ୍ଵାରା ୧୯୭୨ରେ ଜାତୀୟ ଧାତୁବିତ୍ ରୂପେ ସମ୍ମାନିତ ହେବା ସହ ସେ ଅନେକ ଆନ୍ତର୍ଜାତୀୟ ଓ ଜାତୀୟ ସମ୍ମାନର ଅଧିକାରୀ ହୋଇ ପାରିଥିଲେ । ଏହି ଅବସରରେ ରାଉରକେଲାର ବିଭିନ୍ନ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସାହିତ୍ୟାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସାମ୍ବାଦିକ ସଂଘ, ଏନଆଇଟି, ନିଟ୍ରା, ଭିସୁଟ, ଆରଏସପି ଏକ୍ଜିକ୍ୟୁଟିଭ ଆସୋସିଏସନ, ସମସ୍ତ ରୋଟାରୀ ଓ ଲାୟନ୍ସ କ୍ଲବ ସହ ବହୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମିଶ୍ରଙ୍କ ପୁତ୍ର ଡାକ୍ତର ସମୀର ମିଶ୍ର ଓ ଶାଳକ ନୟେନେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.