ବାବାଙ୍କ ସାଇକେଲ
- କୈଳାସ ଚନ୍ଦ୍ର ସାବତ
ମୁଁ ଘର ସମ୍ମୁଖରେ କାରରୁ ସପରିବାର ପହଂଚିଲା ବେଳକୁ ବାହାରେ ଜମା ହେଇ ପଡିଛି ଘରର ମଇଳା, ଆବର୍ଜନା, ଅବ୍ୟବହୃତ ସାମାନ୍ । ମଝିଆ ଭାଇ ପ୍ରକାଶର ପୁଅ ବ୍ରତଘର ଆସନ୍ତା ସପ୍ତାହରେ । ଘର ସବୁ ସଫାସୁତୁରା, ଚୂନ ଦିଆ ଚାଲିଛି । ମିସ୍ତ୍ରୀମାନେ ହୋଲିରେ ରଙ୍ଗ ବୋଳି ହେଲା ଭଳି ଗଂଜି ଓ ନିକ୍କର ପିନ୍ଧି, ମୁଣ୍ଡରେ ଆଉ ମୁହଁରେ କପଡା ଖଣ୍ଡିଏ ଲେଖାଏଁ ବାନ୍ଧି କାମରେ ବ୍ୟସ୍ତ ।
ମୁଁ ମୋର ବ୍ୟବସାୟ ଯୋଗୁ ସହରର ଅନ୍ୟ ସ୍ଥାନରେ ରହୁଛି । ସାନ ଭାଇ ବି ରାଜ୍ୟ ବାହାରେ । ମଝିଆ ଭାଇ, ବାବା ଆଉ ବୋଉ ସବୁ ମିଶି ଏକାଠି ଏଠି ରହନ୍ତି ।
ଷ୍ଟୋର ରୁମ୍ର ସବୁ ମଇଳା, ଆବର୍ଜନା, ଅବ୍ୟବହୃତ ଜିନିଷ ସବୁ ବାହାର କରିଦେବାକୁ ନିର୍ଦେଶ ଦେଇ ମଝିଆ ଭାଇ ପ୍ରକାଶ ବଜାର ଆଡକୁ ଚାଲି ଯାଇଛି ।
ପତ୍ନୀ ବବିତା ହଠାତ୍ ସେ ଆବର୍ଜନା ଆଡକୁ ଦେଖି ଚିଲ୍ଲେଇ ଉଠିଛି, “ହେଇ ବାବାଙ୍କ ସାଇକେଲ” ।
ମୁଁ ଦୌଡ଼ି ଆସି ଆବିଷ୍କାର କଲି ସତରେ ବାବାଙ୍କ ସାଇକେଲ ଟି ହାତ ଗୋଡ଼ ଟେକି ପୋଡା ମୁର୍ଦ୍ଅର ଟିଏ ଭଳି ପଡି ରହିଛି ଅଳିଆ ଭିତରେ ।ସାଇକେଲ ଟିକୁ ଦେଖି ଯେତିକି ଖୁସି ହୋଇଗଲି, ତାଠୁ ବେଶି ଦୁଃଖରେ ଭାଙ୍ଗି ପଡିଲି । ସ୍କୁଟର, ମଟରସାଇକେଲ, ତାପରେ କାର ଚଢିବା ପରେ ବାବାଙ୍କର ତଥା ମୋର ପ୍ରିୟ ସାଇକଲ ଟିକୁ ଯେ ଏଭଳି ଅବସ୍ଥାରେ ଦେଖିବି, ଭାବି ନଥିଲି ।
ନିଜକୁ ଧିକ୍ ମନେକଲି । ଅଯୋଗ୍ୟ ପୁଅ ବୃଦ୍ଧ ପିତା ମାତାଙ୍କୁ ଯେମିତି କଣ ଠେସା କରି କୋଉ ଗମ୍ଭିର କୋଠରୀକୁ ଠେଲି ଦିଅନ୍ତି, ସେମିତି ମୁଁ ନିଜକୁ ଅଯୋଗ୍ୟ ଟିଏ ବୋଲି ମନେକଲି ।
ସାଇକେଲ ଟିକୁ ଯତ୍ନର ସହ ଉଠେଇ ଆଣିଲି ଆଉ କପଡାରେ ଭଲଭାବେ ପୋଛିଲି । ଏ ସାଇକେଲ ଟି ବାବାଙ୍କର କେବଳ କହିଁକି ଆମ ପରିବାରର ଅସରନ୍ତି ସ୍ମୃତିକୁ ବହନ କରିଛି ।
ବାବା-ବୋଉଙ୍କ ସାଂସାରିକ ଜୀବନର ସମସ୍ତ ଦୁଃଖ, ସୁଖର ସାଥି ହେଇଛି । ବୋଉ କହିବା ଅନୁସାରେ ସେମାନେ ନୂଆ ବାହାହେଇ ଏ ସହରକୁ ଆସିବା ପରେ ଏଇ ସାଇକେଲରେ ବସେଇ ବାବା ସାରା ସହର ବୁଲେଇ ନେଇଛନ୍ତି ବୋଉକୁ । ସାଇକେଲର ସମ୍ମୁଖ ଫ୍ରେମରେ ବସେଇ ଇନ୍ଦିରାଗାନ୍ଧୀ ପାର୍କ ବୁଲିବା, ଡେଲି ମାର୍କେଟରୁ ସାବିତ୍ରୀରେ ଫଳ-ମୂଳ, ଶାଢ଼ୀ କିଣିବା, ଦଶହରାରେ ସବୁ ସେକ୍ଟର ବୁଲି ଦୁର୍ଗା ମେଢ଼ ଓ ରାବଣପୋଡି ଦେଖିବା, ବିଶ୍ୱକର୍ମା ପୂଜାରେ କାରଖାନା ଭିତର ବୁଲେଇ ଆଣିବା, ପୁରୁଣା ଟେକ୍ସି ଷ୍ଟାଣ୍ଡ ପାଖ ମାଡ୍ରାସ କ୍ୟାଣ୍ଟିନରେ ଦୋଷା-ଇଟିଲୀ ଖାଇବା ଏମିତିକି ଆମମାନଙ୍କ ଜନ୍ମ ବେଳେ igp କୁ ନେବା ଆଉ ଆମ ସମସ୍ତଙ୍କୁ ଆଗ-ପଛରେ ବସେଇ ସ୍କୁଲକୁ ନେବା ସବୁ ଏହି ସାଇକେଲରେ ହିଁ ସମ୍ଭବ ହେଇଛି । ବ୍ୟବସାୟରୁ ଆର୍ଥିକ ଉପାର୍ଜନ ବି ହେଇଛି ଇତ୍ୟାଦି ।
ବାବା ପଚାଶ ଦଶକରେ ରାଉରକେଲାକୁ ଆସି ବ୍ୟବସାୟ କରିବା ବେଳେ ଏହି ୨୪ ଇଂଚିଆ “ହରକୁଲସ” ସାଇକେଲ ଟି କିଣିଥିଲେ । ତା ପରେ ପରେ ଏ ସାଇକେଲର ଫ୍ରେମ କେତେଥର ଭାଙ୍ଗିଛି ଆଉ ୱେଲଡିଂ ହେଇଛି । ସେ ଚିହ୍ନ ସବୁ ଏବେବି ମୂକସାକ୍ଷୀ ହେଇ ରହିଛି । ଏକ, ଦୁଇ, ତିନି କରି ସେ ସବୁ ଗଣିଲି, ଯେତିକିଟି ଚିହ୍ନ, ସେତିକି ବୟସ ହେଲାଣି ତାକୁ ।
ବାବା ତାଙ୍କ ବ୍ୟବସାୟର ସୁବିଧା ନିମନ୍ତେ ସାଇକେଲର ପଛ କ୍ୟାରିଅରକୁ ଚଉଡା କରିବାକୁ ଯାଇ ପତଳା ଲୁହା ରଡ଼କୁ ତିନି ପାଖରେ ଗୁଡେଇ ୱେଲଡିଂ କରିଥିଲେ । ଆଉ ଆଲୁଅ ପାଇଁ ଆଗରେ ବତୀ ।
ଠିକ ମନେ ଅଛି ମୋର, ମୁଁ ସେତେବେଳେ ସପ୍ତମରେ ପଢ଼ୁଥିଲି । ଏଇ ସାଇକେଲକୁ ଘରୁ ଲୁଚେଇ ନେଇ “ହାଫ ପ୍ୟାଡଲ” ଶିଖିଲି । ସବୁ ସାଙ୍ଗ ସ୍କୁଲ ଜୁ ସାଇକେଲ ରେଆସୁଥିବାରୁ, ମୁଁ ବି ଦିନେ ବାବାଙ୍କ ପାଖରେ ଜିଦ କରି ସେଇ “ହାଫ ପ୍ୟାଡଲ” ମାରି ମୋର ସେକ୍ଟର-୩ ILS ସ୍କୁଲକୁ ସାଇକେଲ ଚଳେଇ ଗଲି । ଅନ୍ୟ ସାଙ୍ଗମାନେ ସୁନ୍ଦର ସୁନ୍ଦର ହିରୋ, ଆଟଲାସ, sports ସାଇକେଲମାନ ଆଣି ସ୍କୁଲ ବାରଣ୍ଡାରେ ରଖିଥିବା ବେଳେ ମୋର ସାହସ ହେଇ ନଥିଲା ମୋ ସାଇକେଲକୁ ସେଗୁଡିକ ପାଖରେ ରଖିବାକୁ । ଏଣୁ ବାରଣ୍ଡା ତଳେ ରଖି ଶ୍ରେଣୀ ଗୃହକୁ ପ୍ରବେଶ କଲି ।
ଖେଳଛୁଟିରେ ପିଲାମାନେ ଆସି ମୋ ସାଇକେଲକୁ ଦେଖି ହସୁଥାନ୍ତି ।ଯେମିତି ସର୍କସର ଜନ୍ତୁ । ନିଜ ନିଜ ଭିତରେ ତାଛଲ୍ୟ କରି କୋଉ “ମଫ”ର ବୋଲି କୁହାକୁହି ହେଉଥିଲେ । ମୋ ସାଇକଲର ସମ୍ମୁଖରେ “ଡାଇନମୋ” ଲାଇଟ, ପଛରେ ୱେଲଡିଂ ହେଇଥିବା ଚଉଡା କ୍ୟାରିଅର ଆଉ ସେଥିରେ ପୁଣି ସୁତୁଲୀ ଗୁଡ଼ିଆ ହେଇଥିବା ଦେଖି ସେମାନଙ୍କର ଏ ତାଛଲ୍ୟ । ମୋତେ ଆସିବା ଦେଖି ଯେ ଯାଆ ବାଟରେ ଦଉଡି ପଳେଇଥିଲେ ।
ଏଇ ସାଇକେଲରେ “ହାଫ ପ୍ୟାଡଲ” ରୁ “ଫୁଲ ପ୍ୟାଡଲ” ଚଳେଇ ଶିଖିବା ଭିତରେ କେତେଥର ଯେ ମୁଁ ପଡି ଖଣ୍ଡିଆ ଖାବରା ହେଇଛି ତାର ଠିକଣା ନାହିଁ । ବାବା ପାନଖିଆ ଚୂନ ଆଣି କହୁଣୀ, ଆଣ୍ଠୁରେ ରକ୍ତାକ୍ତ ହେଇଥିବା ଜାଗାରେ ବୋଳି ଦେଇଛନ୍ତି ଆଉ ମୁଁ ଯୋଉ ଚିତ୍କାର କରିଛି, ସେ ଯନ୍ତ୍ରଣା ଭୁଲିବାର ନୁହେଁ । ସାଇକେଲର ଫ୍ରେମ ଭାଙ୍ଗିଛି କେତେବେଳେ ତ ହେଣ୍ଡେଲ ବଙ୍କା, ପମ୍ପଚର। ବାବା ନିଜ କାନ୍ଧରେ ବୋହି ନେଇ ତାକୁ ମରାମତି କରିଛନ୍ତି ।
ବାବା କାରଖାନାରେ ଚାକିରି ପାଇବା ପରେ ସମୟ ଅଭାବ ଯୋଗୁଁ ବ୍ୟବସାୟ ବନ୍ଦ କରିଦେଲେ କାରଖାନା । ବସ୍ରେ ଡିଉଟି ଯିବା ଆସିବା କଲେ । ଫଳରେ ଏ ସାଇକଲଟି ସଂପୂର୍ଣ୍ଣ ଭାବେ ମୋ ଅକ୍ତିଆରକୁ ଆସିଯାଇଥିଲା । ମ୍ୟାଟ୍ରିକ ପାସ୍ କରିବା ପରେ ମୁଁ ଏଇ ସାଇକଲରେ କଲେଜ ଯିବା ଆରମ୍ଭ କଲି ।
କଲେଜ ଯିବା ଖୁସିରେ ସାଇକଲର ହୁଲିଆ ବର୍ଦଲଇ ଦେଲି ନିଜ status ବଢ଼େଇବା ପାଇଁ । ହ୍ୟାଣ୍ଡେଲ ସମ୍ମୁଖସ୍ଥ ସେ “ଡାଇନମୋ” ଲାଇଟକୁ ଖୋଲିଦେଲି । ସେଠି ଗୋଟେ ଫ୍ରଣ୍ଟ କ୍ୟାରିଅର ଲଗେଇଦେଲି । ସେଥିରେ କଲେଜ ବହି, ଡାଏରି ରଖିଲି । ପଛ ଚଉଡା କ୍ୟାରିଅରକୁ ବି ଖୋଲି ଦେଲି ।
ଏଇ ସାଇକଲ କୁ କେତେଥର ଇସ୍ପାତ କାରଖାନାର CISF guardମାନେ ମୋଠୁ ଛଡେଇ ନେଇ ବନ୍ଧକ ରଖିଛନ୍ତି । ଆମେ କାରଖାନାର ଯୋଉ ପାଖରେ ରହୁଥିଲୁ, ତାର ବିପରୀତ ପାଖରେ ଥିଲା କଲେଜ । କାରଖାନା କାନ୍ଥ କଡେ କଡେ ଯିବା ଅପେକ୍ଷା ଆମେ ସାଙ୍ଗମାନେ କାରଖାନା ଭିତରେ ସେପାଖ ଗେଟରେ ପଶି ଏ ପାଖ ଗେଟରେ ବାହାରି ଯାଉଥିଲୁ । କମ୍ ବାଟ ପଡୁଥିଲା । କାରଖାନା ଭିତରେ ପଶିବା ବେଳେ guardମାନଙ୍କୁ କଲେଜର identicardକୁ ଗେଟପାସ୍ ବୋଲି ଭୂତେଇ ପଶି ଯାଉଥିଲୁ । ବେଳେବେଳେ ବଡ଼ ଅଧିକାରୀମାନଙ୍କ ପାଲରେ ପଡିଗଲେ ସେମାନେ ଧରି ମୋ ସାଇକଲକୁ ଛଡେଇ ନେଇ ବନ୍ଧକ ରଖି ହଇରାଣ କରୁଥିଲେ । ତାଙ୍କୁ ପୁଣି ନେହୁରା ହେଲେ ଛାତ୍ର କହି ଛାଡି ଦେଉଥିଲେ ।
ସେତେବେଳେ ବାବାଙ୍କ କାରଖାନା ପକ୍ଷରୁ ଯୋଉ କର୍ମଚାରୀମାନେ ସ୍କୁଟର କିମ୍ବା ମଟରସାଇକଲ କିଣି ଡିଉଟି ଯିବା ଆସିବା କରିବେ ତାଙ୍କୁ ବିନା ସୁଧରେ ଗାଡି କିଣିବା ପାଇଁ ଋଣ ମିଳୁଥିଲା । ପ୍ରତି ମାସ ପୁଣି ପେଟ୍ରୋଲ କିଣିବା ପାଇଁ ଟଙ୍କା ବି । ଯାହା ଫଳରେ କର୍ମଚାରୀମାନେ ଆଉ କାରଖାନା ବସ ଉପରେ ନିର୍ଭର କରିବେନି ଡିଉଟି ଯିବା ଆସିବାକୁ ।ଏହାର ସୁଯୋଗ ନେଇ ମୁଁ ବାବାଙ୍କୁ ଗୋଟେ two wheeler କିଣିବା ପାଇଁ ପଟେଇଲି । ଆଉ ସର୍ତ୍ତ ରହିଲା ଡିଉଟି ପାଇଁ ମୁଁ ତାଙ୍କୁ ନେଇ କାରଖାନା ଗେଟ ପାଖରେ ଛାଡ଼ିବି ଆଉ ଆଣିବି । ସେଇ ସର୍ତ୍ତରେ ବାବା ସମ୍ମତି ଜଣେଇଲେ ଆଉ “bajaj Chetak scooter” କିଣା ହେଲା । ଫିକା ନୀଳ ରଙ୍ଗକୁ କଳା ସିଟ କଭର । ଖୁବ ଆକର୍ଷଣୀୟ ଲାଗୁଥିଲା ମୋତେ । ମୁଁ scooter ଚଲେଇବା ଶିଖିଗଲି ।
ସେଦିନଠୁ, ଏ ସାଇକଲ ପୁଣି ବାବା ବ୍ୟବହାର କରିବାକୁ ଲାଗିଲେ ।ତେଲ ଦେଇ ପୋଛି ସାଇକଲକୁ ଜଙ୍କ ଦାଉରୁ ରକ୍ଷା କରି ଯତ୍ନ ନେଲେ ।ମୁଁ କିନ୍ତୁ ବୁଲିଲି scooter ରେ । ସେତେବେଳେ ପେଟ୍ରୋଲ ଲିଟର ୮ ଟଙ୍କା ଥିଲା । Bajaj scooter ଦାମ ଥିଲା ୮ହଜାର । ତାପରେ Car କିଣି ଚଢିଲି ।
ଆଜି ସେଇ ସାଇକଲକୁ ଦେଖି ପୁରୁଣା ସ୍ମୃତିରେ ବୁଡି ଗଲି । ଆମ ପରିବାରର ହସକାନ୍ଦରେ ସାଥି ହୋଇ ଆସିଥିବା ସାଇକଲ ପ୍ରତି ବାବାଙ୍କ ଆରପାରିକୁ ଯିବା ପରେ ସଭ୍ୟତାର ପରିବର୍ତ୍ତନର ଦ୍ୱାହି ଦେଇ କେତେ ଯେ ଅନ୍ୟାୟ ନକରିଛି ।
ଏବେ ମୋ ଉତ୍ତର ବୟସରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ପରେ କିଛି ଶାରୀରିକ ପରିଶ୍ରମ କରିବାକୁ ଡାକ୍ତରଙ୍କ ପରାମର୍ଶ ମିଳିଛି । ସାଇକଲ ଟିକୁ ସାମଲ ସାଇକଲ ରିପାରିଙ୍ଗ ଦୋକାନକୁ ନେଇ ସଜାଡ଼ିଲି । ଟାୟାର, ଟ୍ୟୁବ ବଦଳେଇଲି, ଗ୍ରୀସ୍ ଦେଇ ଚେନକୁ ଚଳ ଚଞ୍ଚଳ କଲି ।ଏବେ ବାବାଙ୍କର ସେଇ ପୁରୁଣା ହରକୁଲେସ ସାଇକେଲ ମୋ ଶରୀରର ରୋଗ ପ୍ରତିରୋଧକ ସଂଜୀବନି ଭାବେ କାମରେ ଲାଗେଇ ଦେଇଛି ।