
ଶିବ ମଙ୍ଗଳମୟ, ଆଶୁତୋଷ, ଅଳ୍ପ ପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି । ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଦଶଗୋଟି ବ୍ରତ ଅଛି । ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । କେତେକ ଶ୍ରୁତିରେ ମାଘ କୃଷ୍ଣଚତୁର୍ଦ୍ଦଶୀ ତିଥି ଶିବ ରାତ୍ରି ବୋଲି ବର୍ଣ୍ଣନା ରହିଛି । କିନ୍ତୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥି ହିଁ ଶିବରାତ୍ରି ବୋଲି ସାଧାରଣରେ ବିଦିତ । ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ସମେତ ଏହା ଦେଶର ସବୁ ଶୈବପୀଠରେ ଭକ୍ତି ଏବଂ ଶ୍ରଦ୍ଧାର ସହ ପାଳିତ ହୋଇଥାଏ ।

ପୌରାଣିକ ତଥ୍ୟାବଳୀରୁ ଜଣାଯାଏ ଦେବଦେବ ମହାଦେବଙ୍କ ଦ୍ୱାରା ଏହି ଦିନ ଏ ସଂସାର ପ୍ରକଟ ହୋଇଥିଲା । ଦେବତା, ଦାନବଙ୍କ ଦ୍ୱାରା ସଙ୍ଘଠିତ ହୋଇଥବା ସାଗର ମନ୍ଥନରୁ ସଂସାର ନାଶକାରୀ ଯେଉଁ ହଳାହଳ କାଳ କୂଟ ଗରଳ ଉତ୍ପନ୍ନ ହୋଇଥିଲା ତାହାକୁ ଶିବ ପାନ କରି ସମଗ୍ର ସଂସାରକୁ ଧ୍ବଂସ ମୁଖରୁ ବଞ୍ଚାଇଥିଲେ । ବିଷପାନ ପରେ ସେ ବିଷ ଜ୍ୱାଳାରେ ମୂର୍ଛିତ ହୋଇଯାଇଥିଲେ । ତାଙ୍କ ସଂଜ୍ଞା ଫେରିବା ପର୍ଯ୍ୟନ୍ତ ଦେବ ଗଣ ଓ ଶିବଗଣ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ଏ ଘଟଣାର ସ୍ମୃତି ସ୍ୱରୂପ ମହା ଶିବରାତ୍ରି ପାଳିତ ହୁଏ । ପୁଣି ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶଙ୍କର ଲିଙ୍ଗ ଭାବରେ ପ୍ରକଟ ହୋଇଥିବାରୁ ଏହି ଦିନକୁ ମହା ଶିବରାତ୍ରି ଭାବରେ ପାଳନ କରାଯାଏ ।
ମହାଭାରତର ଶାନ୍ତି ପର୍ବରେ କଥିତ ଅଛି, ଭୀଷ୍ମ ଶରଶଯ୍ୟାରେ ଶାୟିତଥାଇ ଧର୍ମରାଜ ଯୁଧିଷ୍ଠିରଙ୍କୁ ଧର୍ମ ଉପଦେଶ ପ୍ରଦାନ ଛଳରେ ମହା ଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁବଂଶ ରାଜା ମହାରାଜ ଚିତ୍ରଭାନୁଙ୍କ କାହାଣୀ କହିଥିଲେ । ଏହି କାହାଣୀ ଅନୁସାରେ ଥରେ ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ରାଣୀ ଶିବରାତ୍ରି ଉପବାସ ପାଳନ କଲେ । ଏହି ସମୟରେ ମହାମୁନୀ ଅଷ୍ଟବକ୍ର ଋଷି ତାଙ୍କ ରାଜ ଦରବାରକୁ ଆସି ରାଜାଙ୍କୁ ଶିବରାତ୍ରୀ ପାଳନର କାରଣ ଜିଜ୍ଞାସା କଲେ । ରାଜା ଜାତସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କରି କହିଲେ, “ପୂର୍ବଜନ୍ମରେ ସେ ସୁସ୍ୱର ନାମରେ ଜଣେ ବ୍ୟାଧ ଥିଲେ । ଶିକାର ନିମନ୍ତେ ଏକଦା ସେ ଜଙ୍ଗଲରେ ବୁଲୁ ବୁଲୁ ସନ୍ଧ୍ୟା ହୋଇ ଯିବାରୁ ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ର ଜନ୍ତୁଙ୍କ କବଳରୁ ରକ୍ଷାର୍ଥେ ନିକଟରେ ଥିବା ଗୋଟିଏ ବେଲ ବୃକ୍ଷ ଉପରେ ଆଶ୍ରୟ ନେଲେ । ରାତିସାରା ବେଲପତ୍ର ତୋଳି ତଳକୁ ପକାଇବା ସହ ସେ ନିଜ ପରିବାର କଥା ମନେ ପକାଇ ଅଶ୍ରୁ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ନୟନରୁ ଝରି ପଡୁଥିବା ଅଶ୍ରୁ ଓ ବେଲ ପତ୍ର ବିଲ୍ୱ ବୃକ୍ଷର ପାଦ ଦେଶରେ ଥିବା ଏକ ଶିବଲିଙ୍ଗ ଉପରେ ପଡୁଥାଏ । ଏମିତି ରାତ୍ରି ପାହିଗଲା ଓ ସେ ଶିକାରଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକକୁ କିଛି ଖାଦ୍ୟ ଦାନ କରି ନିଜେ ଭୋଜନ କଲେ । କିଛିବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ସେ ଶୈବ ଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ ମଧ୍ୟ ସେ ଶିବରାତ୍ରିରେ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ଅର୍ପଣ କରିଥିବାରୁ ସେ ସଦାଶିବଙ୍କ କରୁଣା ଲାଭ କରି ଶୈବ ଲୋକ ପ୍ରାପ୍ତ ହୋଇଥିଲେ ।

ଓଡ଼ିଶାର ସମସ୍ତ ଶୈବପୀଠ ଯଥା ଆଖଣ୍ଡଳମଣି ଶ୍ରୀଲୋକନାଥ, ଲିଙ୍ଗରାଜ, କପିଳାସ, ଗୁପ୍ତେଶ୍ୱର, ବେଦବ୍ୟାସ, ମହେନ୍ଦ୍ରଗିରି, ହୁମା, ହରିଶଙ୍କର ଆଦି ତଥା ଗାଁ ଗହଳିରେ ଥିବା ଶିବ ମନ୍ଦିର ଗୁଡିକରେ ଏହିଦିନ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶିବରାତ୍ରି ବା ଜାଗର ପାଳନ କରିଥାନ୍ତି । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମେତ ଭାରତ ବର୍ଷରେ ଲକ୍ଷଲକ୍ଷ ଶିବ ମନ୍ଦିରରେ ଶିବରାତ୍ରି ଏବଂ ଜାଗର ଭକ୍ତିପୂତ ଭାବେ ମହାସମାରୋହରେ ପାଳିତ ହୋଇଥାଏ । ଶୈବକ୍ଷେତ୍ର ବାରାଣାସୀ ଏ ଦିନ ଶିବପୁରୀ ପରି ଶୋଭାୟମାନ ହୋଇଥାଏ । ଶିବଉପାସନା ପାଇଁ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାମାନଙ୍କର ପୂଜା ଦିନରେ ହେଉଥିବା ବେଳେ ଭଗବାନ ସଦା ଶିବଙ୍କର ପୂଜା ରାତ୍ରିରେ ହୋଇଥାଏ । ବ୍ରତାଚାରୀମାନେ ଶିବରାତ୍ରିରେ ସାରାଦିନ ଉପାସ ରହନ୍ତି, ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡଦୀପ ଜାଳି ଉଜାଗର ରହନ୍ତି । ଜାଗରଦିନ ଶିବଙ୍କ ପୂଜା ସହ ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଓ ଯିଏ ଗୁରୁ କରି ନଥିବ ସେ ଶିବଙ୍କର ଅଷ୍ଟନାମ ଯଥା ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ଭୀମ, ଈଶାନ ମଧ୍ୟରୁ ଯେ କୌଣସି ନାମ କିମ୍ବା ‘ଓଁ ନମଃ ଶିବାୟ’ପଞ୍ଚାକ୍ଷର ମନ୍ତ୍ର ଜପ କରି ପାରିବ ।
ଶିବରାତ୍ରି ଚାରି ପ୍ରହରରେ ସମ୍ପନ୍ନ ହୋଇଥାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟାରେ ଶିବ ଲିଙ୍ଗକୁ ଦୁଗ୍ଧାଭିଷେକ କରାଯାଏ । ଦ୍ୱିତୀୟ ପ୍ରହରରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟପ୍ରହର ବା ଘୋର ରାତ୍ର ସମୟରେ ଶିବ ଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହରରେ ଶିବମନ୍ଦିର ଚୁଡ଼ାକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପୀ ଅନ୍ଧକାର ଦୂରକରି ଆଲୋକପ୍ରଦାନ କରିବା ମହାଦୀପ ଦାନର ଉଦ୍ଦେଶ୍ୟ । ମହାଦୀପ ଦର୍ଶନରେ ସମଗ୍ର ଶୈବ କ୍ଷେତ୍ର ଶ୍ରଦ୍ଧାଳୁ ମାନଙ୍କ ‘ଓଁ ନମଃ ଶିବାୟ’ ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠେ । ଏହିଦିନ ଶିବ ଲିଙ୍ଗଙ୍କୁ କେତକୀ, ଅରଖ, ଦୁଦୁରା, ଗୟସ ଫୁଲ ଚଢ଼ାଯିବାର ବିଧି ରହିଛି । ଶିବରାତ୍ରୀରେ ଅଖଣ୍ଡଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳିତ ହେଉଥିବାରୁ ଏହାକୁ ଜାଗର ଓଷା କୁହାଯାଇଥାଏ । ଜାଗରକୁ ନେଇ ଆମର ଗୋଟିଏ ଲୋକକଥା ଅଛି :-
ମଉସା ଦେ ପଇସା,
ମାଉସୀ କରିଛି ଜାଗର ଓଷା ।।
ଶିବ ମଙ୍ଗଳମୟ । ସେ ସମସ୍ତ ଜଗତର କଲ୍ୟାଣ ପାଇଁ ଗରଳ ପାନ କରିପାରନ୍ତି ଅର୍ଥାତ ସଂସାରରୁ ସମସ୍ତ କଳୁଷ ହରଣ କରି ପାରନ୍ତି । ସଂସାରର ତ୍ରିତାପ ହରଣ କରିବାକୁ ପ୍ରଭୁ ଭୋଳାନାଥ ଶିବ ହିଁ ସମର୍ଥ । ଏଣୁ ଭାଗବତରେ କୁହାଯାଇଛି :-
ଜଳଧି ମନ୍ଥନର ବିଷ ।
ରୁଦ୍ର ହୁଁ ଆନେ ନାହିଁ ଗ୍ରାସ ।।
ସଦାଶିବ ସମସ୍ତ ଦେବ, ଯକ୍ଷ, ରକ୍ଷ, ନର, କିନ୍ନରଙ୍କୁ ଐଶ୍ୱର୍ଯ୍ୟ ପ୍ରଦାନ କରି ନିଜେ ବିଷ ଭକ୍ଷଣ କରନ୍ତି । ସେଥିପାଇଁ ସେ ହୋଇଛନ୍ତି ନୀଳକଣ୍ଠ । ଯିଏ ଶିବ ସିଏ ସତ୍ୟ ଓ ସୁନ୍ଦର । ସେ ଶ୍ମଶାନବାସୀ । ଭସ୍ମ ବିଲେପିତ ଶରୀର ତାଙ୍କର ସୂଚନା ଦିଏ ପ୍ରାଣୀର ଅନ୍ତିମ ଆଶ୍ରୟ ଶ୍ୱଶାନ । ପରମ ଯୋଗୀ ହୋଇ ସେ ଇଙ୍ଗିତ କରନ୍ତି ଅନିତ୍ୟ ସଂସାର ପ୍ରତି । ତାଙ୍କ ତୃତୀୟ ନୟନ ଜ୍ଞାନ ଚକ୍ଷୁ, ବ୍ରହ୍ମ ଚକ୍ଷୁ, ବିଶ୍ୱ ଦର୍ଶନ ଚକ୍ଷୁ, ପୁଣି ସେ କୋପକଲେ ଏହା ସଂହାର ଚକ୍ଷୁ । ତାଙ୍କର ତ୍ରିନେତ୍ର ସ୍ବପ୍ନ, ଜାଗୃତି ଓ ସୁଷୁପ୍ତି ତିନୋଟି ଅବସ୍ଥାକୁ ସୂଚିତ କରିଥାଏ ।

• ଶିବଙ୍କ ଲଲାଟରେ ଭସ୍ମର ତିନି ରେଖା ଲୋକ ବାସନା, ଦେହ ବାସନା, ଶାସ୍ତ୍ର ବାସନା ନିଃଶେଷ କରିବାର ସଙ୍କେତ ଦିଏ । ଅନ୍ୟ ଅର୍ଥରେ, ଭକ୍ତକୁ ହିଂସା, ବାସନା ଏବଂ ମାୟା ତ୍ୟାଗ ପାଇଁ ଏହା ନିର୍ଦ୍ଧେଶ ଦିଏ ।
• ତାଙ୍କର ଜଟାଜୁଟ ପରମ ବୈରାଗ୍ୟର ସୂଚନା ।
• ସେ ଭଗବତୀ ଗଙ୍ଗାଙ୍କୁ ମସ୍ତକରେ ଧାରଣ କରି ଏ ତ୍ରିଜଗତର କଲ୍ୟାଣ ସାଧନ କରୁଛନ୍ତି । ଗଙ୍ଗା ଶାନ୍ତି ଓ ପବିତ୍ରତାର ପ୍ରତୀକ ।
• ତାଙ୍କ ମସ୍ତକରେ ଥିବା ଅର୍ଦ୍ଧଚନ୍ଦ୍ର ମାନସିକ ବୁଦ୍ଧି, ବିକାଶ ଏବଂ ସର୍ବଦା ଶାନ୍ତ ରହିବାର ପ୍ରତୀକ ।
• ତାଙ୍କର ବସ୍ତ୍ର ମୃଗ ଚର୍ମ ତୀବ୍ରତାର ପ୍ରତୀକ ।
• ବ୍ୟାଘ୍ର ଚର୍ମ ଆସନ ଅହଂକାର ଦମନକୁ ସୁଚାଇ ଥାଏ ।
• ତାଙ୍କ ଦିଗମ୍ବର ଭୂଷଣ ପରମ ସନ୍ନ୍ୟାସ ସୂଚକ ।
• ତାଙ୍କ ସର୍ପ ଭୂଷଣ ସତର୍କତା, ଜାଗ୍ରତ, ଆଧାର
ଯୁକ୍ତ ତଥ୍ୟ ଗ୍ରହଣକୁ ନିର୍ଦ୍ଧେଶ କରେ ।
• ତାଙ୍କର ଡମ୍ବରୁ ନାଦ ଶବ୍ଦବ୍ରହ୍ମ ଓ ସକଳନାଦର
ପ୍ରତୀକ ।
• ପଞ୍ଚମୁଖ ସୂଚିତ କରେ ସୃଷ୍ଟି, ସ୍ଥିତି, ସଂହାର,
ତୀରୋଭାବ ଓ ଅନୁଗ୍ରହ ଆଦି ପଞ୍ଚ କୃତ୍ୟକୁ ।
• ବୃଷଭ ବାହନ ପବିତ୍ରତାର ପ୍ରତୀକ ।
• ତାଙ୍କର ତ୍ରିଶୂଳ ଆୟୁଧ ତ୍ରିଶକ୍ତି, ତ୍ରିଦେବ ଓ ତ୍ରି
ଭୁବନକୁ ସୂଚାଇ ଥାଏ ।

ଶିବ ବ୍ରହ୍ମ ଜ୍ଞାନୀ । ସର୍ବ ଶାସ୍ତ୍ର ଜ୍ଞାତା ମହାଜ୍ଞାନୀ । ସେ କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତର ଆଦିଦେବ । ସଦାଶିବ ନିତ୍ୟ ଧ୍ୟେୟ ଜ୍ଞାନ, ବୈରାଗ୍ୟ, ତତ୍ତ୍ୱ ଓ ଦର୍ଶନର ସ୍ୱୟଂସମ୍ପୂର୍ଣ୍ଣ ବିଗ୍ରହ । ତେଣୁ ସେ ଦେବ ଦେବ ମହାଦେବ ।
ଆସନ୍ତୁ, ଶିବରାତ୍ରୀ ଅବସରରେ ପ୍ରତିଜ୍ଞା କରିବା ଆମର ଏ ସମସ୍ତ ଜୀବନକୁ ଏକ ଶିବରାତ୍ରିରେ ପରିଣତ କରି ଆମର ସମସ୍ତ ଅଜ୍ଞାନକାଳିମା ଦୂର କରିବା । ଅଜ୍ଞାନ ଦୂର ହେଲେ ଶିବ ସ୍ୱୟଂ ଆମର ହୃଦୟ କନ୍ଦରରେ ବିରାଜମାନ କରିବେ । ଆମେ ନିଜ ଭିତରେ ଦେଖି ପାରିବା ସେହି ସତ୍ୟ, ଶିବ ଓ ସୁନ୍ଦରଙ୍କୁ । ସେତେବେଳେ ଆମକୁ ଶିବ ଦର୍ଶନ ପାଇଁ କୌଣସି ଶିବାଳୟକୁ ଯିବାର ଆବଶ୍ୟକତା ରହିବ ନାହିଁ । ଶିବରାତ୍ରିର ଏହି ଅବସରରେ ଗୋପବନ୍ଧୁଙ୍କ ଭାଷାରେ କହିବା :-
କରି ଅଛି ଉପବାସ ପୂଜିବି ଶଙ୍କର ।
ଜାଗର ଜାଳିଣ ହେବି ନିଶି ଉଜାଗର ।।
କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ ।
ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ ?
ଓଁ
ଓଁକାର ବିନ୍ଦୁ ସଂଯୁକ୍ତେ ନିତ୍ୟ ଧ୍ୟାୟନ୍ତି ଯୋଗୀନଃ
କାମଦଂ ମୋକ୍ଷଦଂ ଦେବ ଓଁକାରାୟ
ନମୋନମଃ !
ଓଁ ନମଃ ଶିବାୟଃ
ସଂଗ୍ରାହକ-
ଦିଲ୍ଲୀପ କୁମାର ଧାଉଡିଆ