jayashree

କଳାହାଣ୍ଡିର ପ୍ରଥମ ସହୀଦ ରେଣ୍ଡୋ ମାଝୀ

  • ହେମନ୍ତ ସାହୁ

କଳାହାଣ୍ଡିର ପ୍ରଥମ ସହୀଦ ରେଣ୍ଡୋ ମାଝୀ ଡ଼ିସେମ୍ବର ୧୦ ତାରିଖରେ ମନେ ପଡ଼ନ୍ତି । ରେଣ୍ଡୋ ମାଝୀଙ୍କୁ ନେଇ ବିଶେଷ କିଛି ତଥ୍ୟ ରହିନଥିଲେ ବି କଳାହାଣ୍ଡିର ଗେଜେଟିଅରରେ କିଛି ଧାଡ଼ି ଲେଖାକୁ ଆଧାର କରି ପ୍ରାୟ ନବେ ଶତକରେ ରେଣ୍ଡୋ ମାଝୀଙ୍କୁ ଆବିଷ୍କାର କରାଯାଇଥିଲା । ତା’ ପରେ ପରେ ରେଣ୍ଡୋ ମାଝୀ ପାଲଟିଗଲେ ଆଦିବାସୀଙ୍କ ଭଗବାନ । ଦିନେ ଶାସନ ବିରୁଦ୍ଧରେ ସ୍ୱର ଉଚ୍ଚାରଣ କରି ଇଂରେଜ ସରକାରଙ୍କ ଆଖିରୁ ନିଦ ହଜାଇଥିଲା ଏଇ ମାଟିର ବୀର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀ । ଯାହା ପାଇଁ ତାଙ୍କୁ ଶେଷରେ ଫାଶୀ ଖୁଂଟରେ ଝୁଲିବାକୁ ପଡ଼ିଥିଲା । କଳାହାଣ୍ଡିର ଏହି ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଇତିହାସ କିନ୍ତୁ କେବଳ ଇତିହାସରେ ହିଁ ରହିଯାଇଛି । ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ବା ପ୍ରଚାର ପ୍ରସାର ହେବା କଥା ସେତିକି ମାତ୍ରାରେ ହୋଇପାରିନାହିଁ । ସହୀଦ ରେଣ୍ଡୋ ମାଝୀ ଆଦିବାସୀଙ୍କୁ ଏକଜୁଟ୍ କରାଇ ଅତ୍ୟାଚାରୀ ଗୋରା ସରକାର ବିରୋଧରେ ଲଢେଇ କଲେ । ପରିଣାମ ସ୍ୱରୂପ ଶେଷରେ ଉର୍ଲାଦାନୀଠାରେ କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କୁ ବ୍ରିଟିଶ ସରକାର ଫାଶୀ ଖୁଂଟରେ ଝୁଲାଇ ଦେଲେ । କିନ୍ତୁ ବିଡ଼ମ୍ବନା, ଏଯାଏଁ ସରକାରୀ ଖାତାରେ ସ୍ୱାଧୀନତା ସଂଗାମୀ ବୋଲି ତାଙ୍କୁ ମାନ୍ୟତା ମିଳିନାହିଁ । କେବଳ ସହୀଦ ଦିବସ ଆସିଲେ ଖୋଜାପଡ଼େ କିଛି ଫୁଲମାଳ ଏବଂ ଭାଷଣ । ଡ଼ିସେମ୍ବର ୧୦ରେ ତାଙ୍କର ୧୬୫ତମ ସହୀଦ ଦିବସ ପାଳନ ହେବାକୁ ଯାଉଛି । ସେହି କଳାହାଣ୍ଡିର ପ୍ରଥମ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ କାହାଣୀ । ଉନବିିଂଶ ଶତାବ୍ଦୀର ପ୍ରାରମ୍ଭରେ ମ.ରାମପୁର ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଘଂଚ ଜଙ୍ଗଲ ଘେରା ଗିରିକନ୍ଦ ଲୁବେନଗଡ଼ ଗାଁର ବକେର୍କା କନ୍ଧ ଡ଼ାବିସା ମାଝୀଙ୍କ ଜ୍ୟେଷ୍ଠ ପୁତ୍ର ରୂପେ ରେଣ୍ଡୋ ମାଝୀ ଜନ୍ମ ଗ୍ରହଣ କରିଥିଲେ । ଏତିକି ବେଳେ ଇଂରେଜ ସରକାର ଭାରତରେ ଶାସନ କରୁଥିଲେ । ୧୮୪୫ ମସିହା ବେଳକୁ ଇଷ୍ଟ ଇଣ୍ଡିଆ କଂପାନୀ ଜନସ୍ୱାର୍ଥ ବିରୋଧୀ ଭୂରାଜସ୍ୱ ଆଇନ ଓ ବନଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିଷେଧାଦେଶ ଜାରି କରିଥିଲେ । ଆଦିବାସୀଙ୍କଠାରୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଗୋରା ସରକାର ଜୋରଜବରଦସ୍ତ କର ଆଦାୟ କରି ଜୁଲମ୍ କଲେ । ଏଇ ଅତ୍ୟାଚାର ଆଦିବାସୀଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି କରିଥିଲା । ସେତେବେଳେ କଳାହାଣ୍ଡି ଗଡ଼ଜାତ ରାଜ୍ୟକୁ ନାଗବଂଶୀୟ ରାଜାମାନେ ଶାସନ କରୁଥିଲେ । କଳାହାଣ୍ଡିି ମହାରାଜାଙ୍କ ଅଧୀନରେ କର୍ଲାପାଟ, ମଦନପୁର-ରାମପୁର, ଲାଂଜିଗଡ଼ ଜୟପାଟଣା, କାଶୀପୁର, ଥୁଆମୁଲ-ରାମପୁର, କଲମପୁର ଆଦି ଜମିଦାର ଅଂଚଳ ରହିଥିଲା । ମଦନପୁର-ରାମପୁର ଜମିଦାର ଶାସନ ଅନ୍ତର୍ଭୁକ୍ତ ଉର୍ଲାଦାନୀ ଗଡ଼ର ପାଟ ମାଝୀ ତଥା ଗାଁ ମୁଖିଆ ଥିଲେ ରେଣ୍ଡୋ ମାଝୀ । ବୀର କନ୍ଧ ସର୍ଦ୍ଦାର ରେଣ୍ଡୋ ମାଝୀ ଉର୍ଲାଦାନୀ ଓ ଲୁବେନଗଡ଼ ଅଂଚଳର ଆଦିବାସୀମାନଙ୍କୁ ଏକଜୁଟ୍ କରି ଗୋରା ସରକାର ବିରୋଧରେ ପ୍ରଥମେ ସ୍ୱର ଉତ୍ତେଳନ କଲେ । ଆଦିବାସୀମାନେ ରେଣ୍ଡୋ ମାଝୀଙ୍କ ନେତୃତ୍ୱରେ ଧନୁ ତୀର ଓ ବର୍ଚ୍ଛା ଧରି ଅତ୍ୟାଚାରୀ ଇଂରେଜ ବିରୋଧରେ ଲଢେଇ କଲେ । ସେତେବେଳେ ମେରିଆ ବଳୀ ପ୍ରଥା ଉଚ୍ଛେଦ ପାଇଁ ଲେପ୍ଟନାଂଟ କର୍ଣ୍ଣେଲ କ୍ରାମ୍ପବେଲ ନାମକ ଗୋରା ସାହେବ ନିଯୁକ୍ତ ହୋଇଥିଲେ । ସେମାନଙ୍କ ଅତ୍ୟାଚାର ଓ ଆଦେଶକୁ ସର୍ଦ୍ଦାର ରେଣ୍ଡୋ ମାଝୀ ଓ ପାହାଡ଼ି କନ୍ଧମାନେ ମାନିବାକୁ ପ୍ରସ୍ତୁତ ନଥିଲେ । ଶେଷରେ ଇଂରେଜ ସରକାର ରେଣ୍ଡୋ ମାଝୀଙ୍କୁ ଧରିବା ପାଇଁ ଗିରଫ ପରୱାନା ଜାରିକଲେ । ଗୋରା ସରକାରର ଏଜେଂଟ୍ ଲେଫ୍ଟନାଂଟ ମ୍ୟାକ୍ନେଲ ମେରିଆ ବଳୀର ଏକ ମିଥ୍ୟା ଅଭିଯୋଗରେ କନ୍ଧ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କୁ ୧୮୫୩ ମସିହାରେ ଗିରଫ କରି ରସୁଲକୁଣ୍ଡା(ଭଂଜନଗର) ଜେଲରେ ରଖିଥିଲେ । ଏପଟେ ନିଜ ସର୍ଦ୍ଦାରକୁ ଇଂରେଜ ବନ୍ଦୀ କରିବା ଫଳରେ ଆଦିବାସୀଙ୍କ ମଧ୍ୟରେ ପ୍ରତିଶୋଧର ନିଆଁ ଜଳିବାକୁ ଲାଗିଲା । ସେମାନେ ପ୍ରତିହିଂସା ପରାୟଣ ହୋଇ ମ୍ୟାକନେଲ୍‌ଙ୍କ କ୍ୟାଂପ ଉପରେ ଅତର୍କିତ ଆକ୍ରମଣ କଲେ । ସଂଘବଦ୍ଧ ଆଦିବାସୀଙ୍କ ମେଳି ଦେଖି ଗୋରା ସରକାର ଏଜେଣ୍ଟଙ୍କ ନିଦ ହଜିଗଲା । ସଂଗଠିତ ଆଦିବାସୀଙ୍କୁ ଭୟଭିତ କରିବା ପାଇଁ ୧୮୫୫ ମସିହାରେ ରସୁଲକୁଣ୍ଡା ଜେଲରୁ ରେଣ୍ଡୋ ମାଝୀଙ୍କୁ ଆଣି ତାଙ୍କ ଗୋଡ଼ରେ ବେଢି ଏବଂ ହାତରେ ହ୍ୟାଣ୍ଡକପ ପକାଇ ଉର୍ଲାଦାନୀର ବିଭିନ୍ନ ଅଂଚଳ ବୁଲାଇଲେ । ଗୋରା ସରକାର ବିରୋଧରେ ସ୍ୱର ଉତ୍ତୋଳନ କଲେ ଏମିତି ଦଶା ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଲେ । ଶେଷରେ ସର୍ବ ସମ୍ମୁଖରେ ୧୮୫୫ ମସିହା ଡ଼ିସେମ୍ବର ୧୦ ତାରିଖ ଦିନ ଉର୍ଲାଦାନୀଠାରେ ରେଣ୍ଡୋ ମାଝୀଙ୍କୁ ଫାଶୀରେ ଖୁଂଟରେ ଝୁଲାଇ ଦେଲେ । ମା, ମାଟି ଓ ଅଧିକାର ପାଇଁ ସେ ଲଢେଇ କରି ସହୀଦ ହେଲେ ମାତ୍ର ସରକାର ତାଙ୍କୁ ଯଥୋଚିତ ମର୍ଯ୍ୟାଦା ପ୍ରଦାନ କରିନାହାଁନ୍ତି । ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତାଲିକାରେ ତାଙ୍କ ନାମ ସ୍ଥାନ ପାଇନାହିଁ । ଦେଶ ସ୍ୱାଧୀନତାର ରଜତ ଜୟନ୍ତୀ ଅବସରରେ ୧୯୭୨ ମସିହାରେ କଳାହାଣ୍ଡି ଗଡ଼ଜାତର ଶେଷ ନାଗବଂଶୀ ଶାସକ ତଥା ତତ୍କାଳୀନ ଲୋକସଭା ସଦସ୍ୟ ପ୍ରତାପ କେଶରୀ ଦେଓଙ୍କ ଉଦ୍ୟମରେ ବୀର ସହୀଦଙ୍କ ସ୍ମୃତିରେ ଉର୍ଲାଦାନୀଠାରେ ସହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ ହୋଇଛି । ଏହାର ଅନେକ ବର୍ଷ ବର୍ତମାନର ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହୀଦ ରେଣ୍ଡୋ ମାଝୀଙ୍କ ବ୍ରୋଂଜ ନିର୍ମିତ ପୂର୍ଣ୍ଣଅବୟବ ପ୍ରତିମୂର୍ତି ଉର୍ଲାଦାନୀସ୍ଥିତ ସ୍ମୃତି ସ୍ତମ୍ଭ ପାଖରେ ପ୍ରତିଷ୍ଠା କରାଗଲା ୨୦୧୪ ମସିହା ଡ଼ିସେମ୍ବର ୧୦ ସହୀଦ ଦିବସ ପାଳନ ଅବସରରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ପ୍ରତିମୂର୍ତିକୁ ଉନ୍ମୋଚନ କରିଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ଉଦ୍ୟମରେ ଅଂଚଳବାସୀଙ୍କୁ ନେଇ୧୯୯୨ ସମିହାରେ ଉର୍ଲାଦାନୀ ପଂଚାୟତ ଜୁରାଖମନ ଗାଁରେ ପ୍ରଥମେ ୧୦ ଡ଼ିସେମ୍ବରକୁ ସହୀଦ ଦିବସ ଭାବରେ ପାଳନ କରାଯାଇଥିଲା । ସେହି ଗାଁରେ ୪ ବର୍ଷ ଏବଂ ତାପରେ ଖଳିଆମୁଣ୍ଡାରେ ୨ ବର୍ଷ ସହୀଦ ଦିବସ ପାଳନ କରାଯାଇଥିଲା । ଏହାପରେ ୧୯୯୮ ମସିହାରେ ଉର୍ଲାଦାନୀ ଅଂଚଳବାସୀ ରେଣ୍ଡୋ ମାଝୀ ସ୍ମୃତି କମିଟି ଗଠନ କରି ପ୍ରତିବର୍ଷ ୧୦ ଡ଼ିସେମ୍ବରକୁ ସହୀଦ ଦିବସ ଭାବରେ ପାଳନ କରି ଆସୁଛନ୍ତି । ତାଙ୍କ ଜନ୍ମମାଟି, ସ୍ମୃତିସ୍ତମ୍ଭ, ବିଡ଼ାବାରୁ ଓ ଲୁବେନଗଡ଼ ଗ୍ରାମରେ ବସବାସ କରୁଥିବା ବଂଶଧର ଓ ଜାତି ଭାଇମାନେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଂଚିତ ଅଛନ୍ତି । ସେମାନେ ସବୁକ୍ଷେତ୍ରରେ ଆଜି ଅବହେଳିତ ତଥା ଦୟନୀୟ ଜୀବନ ଯାପନ କରୁଛନ୍ତି । ନିଜ ଜିଲ୍ଲାରେ ମଧ୍ୟ ସହୀଦଙ୍କୁ ଉଚିତ ସମ୍ମାନ ମିଳି ପାରିନାହିଁ । କେବଳ ଭବାନୀପାଟଣା ଜିଲ୍ଲା କାରାଗାର ପାଚେରୀ ନିକଟରେ ତାଙ୍କର ଏକ ଛୋଟ ପ୍ରତିମୂର୍ତି ସ୍ଥାପନ କରାଯାଇଛି । କଳାହାଣ୍ଡି ଉତ୍ସବର ମୁଖ୍ୟ ମଂଚକୁ ରେଣ୍ଡୋ ମାଝୀ ମଂଚ ନାମରେ ନାମିତ କରାଯାଇଛି । ଯାହାକି ବର୍ଷକୁ ଥରେ ସେ ମନେପଡ଼ନ୍ତି । ତାଙ୍କ ବଳିଦାନ ପାଇଁ ନେତା ମନ୍ତ୍ରୀ ଓ ପ୍ରଶାସନର ଦାୟିତ୍ୱ ଏତିକିରେ ସୀମିତ ରହିବା ତାଙ୍କ ପ୍ରତି ଘୋର ଅବିଚାର ନୁହେଁ କି…? ବୀର ସହୀଦ ରେଣ୍ଡୋ ମାଝୀଙ୍କୁ ସରକାର ସହୀଦ ମାନ୍ୟତା କେବେ ଦେବେ ବୋଲି ଅଂଚଳବାସୀଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.