- ଆଶୁତୋଷ ନାୟକ
ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ । ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ । ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି ସେମାନେ ଜାଣି ରଖିବା ଉଚିତ ପ୍ରକୃତିର ସୃଷ୍ଟି ବିଜ୍ଞାନର ଅନ୍ତରୁ ହିଁ ଆରମ୍ଭ ହୋଇଥାଏ । ନିଜର ଅର୍ଥ, ବ୍ୟାଙ୍କ ବାଲାନ୍ସ, ପ୍ରତିଷ୍ଠା, କ୍ଷମତା, ସୁନ୍ଦର ଆକର୍ଷଣୀୟ ଚେହେରା ପାଇଁ ଅହଂକାର କରୁଥିବା ମନୁଷ୍ୟ ଆଜି କିନ୍ତୁ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ପ୍ରତି ମୁହୁର୍ତ୍ତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛି ।
କରୋନା ମହାମାରୀ ସମୟରେ ନିଜକୁ ସବୁଠାରୁ ବଳଶାଳୀ ମନେକରୁଥିବା ସମଗ୍ର ମାନବଜାତି ନିଜର ଅସ୍ତିତ୍ୱ ପାଇଁ ଗୃହବନ୍ଦୀ ହୋଇରହିଥିଲା । ସମଗ୍ର ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଯେପରି ଆମେରିକା, ରୁଷିଆ, ଜାପାନ, ଚୀନ, ଫ୍ରାନ୍ସ, ଜର୍ମାନୀ ଇତ୍ୟାଦି କରୋନା ଭୁତାଣୁ ଆଗରେ ନତମସ୍ତକ ହୋଇପଡିଥିଲା । ସେମାନଙ୍କ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଉନ୍ନତ ଜ୍ଞାନକୌଶଳ ସବୁକିଛି ବ୍ୟର୍ଥ ହୋଇଯାଇଥିଲା । ବିକଶିତ ରାଷ୍ଟ୍ର ମାନଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଥିଲା । ଲକ୍ଷ ଲକ୍ଷ ଲୋକ ପୋକମାଛି ପରି ମୃତ୍ୟୁବରଣ କରୁଥିଲେ । ଅନେକ ବ୍ୟକ୍ତିଙ୍କ ଖାଦ୍ୟ ଅଭାବରୁ ସେ ସମୟରେ ଜୀବନ ପ୍ରଦୀପ ଲିଭିଯାଇଥିଲା । ପ୍ରାଣଘାତୀ ମାରାତ୍ମକ କରୋନା ଭୁତାଣୁ ପାଖରେ ସମଗ୍ର ବିଶ୍ୱ ଯେପରି ଅସହାୟ ଓ ନିରୁପାୟ ହୋଇପଡିଥିଲା ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ ।
୧୪୦ଖଣ୍ଡ କାରରେ ବସି ବୁଲୁଥିବା ଏବଂ ୧୦୦୦୦କୋଟିରୁ ଅଧିକ ସମ୍ପତ୍ତିର ଅଧିକାରୀ ଥିବା ଆମ ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବହୁ ଚେଷ୍ଟା କରି ମଧ୍ୟ ନିଜ ଜୀବନ ବଞ୍ଚାଇପାରିନଥିଲେ । ଯଦି ପୁଳାପୁଳା ଟଙ୍କା ବାଣ୍ଟି ବାଣ୍ଟି ସମ୍ପତ୍ତି ବଳରେ ସବୁକିଛି ହୋଇପାରୁଥାନ୍ତା ତାହେଲେ ସବୁ ନେତା, ମନ୍ତ୍ରୀ, ଅଫିସର ଅମର ହୋଇଯାଇଥାନ୍ତେ । ସେଥିପାଇଁ ଆମ ଶାସ୍ତ୍ରରେ କୁହାଯାଇଛି :
“ଦଇବ ଦଉଡି ମଣିଷ ଗାଈ
ଯେଣିକି ଟାଣିଲେ ତେଣିକି ଯାଇ” ।
ଝିଟିପିଟି ଯେପରି ରାତିସାରା ଅନେକ ପୋକ ଝିଣ୍ଟିକା ଖାଇ ପ୍ରାତଃ ସମୟରେ ମହାପୁରୁଷଙ୍କ ଫୋଟ ପଛପଟେ ଲୁଚି ଯାଏ ଏକ ବିଂଶ ଶତାବ୍ଦୀ ମନୁଷ୍ୟର ଚରିତ୍ର ଠିକ୍ ସେହିପରି ।
ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ବୃଦ୍ଧିମାନ ଜୀବ ହେଉଛି ମଣିଷ । ମନୁଷ୍ୟ ନିଜର ବୃଦ୍ଧି ଓ ବିବେକ ବଳରେ ଜଳ, ସ୍ଥଳ, ଆକାଶ ପଥରେ ନିଜର ଆଧିପତ୍ୟ ବିସ୍ତାର କରିଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ମନୁଷ୍ୟ ନିଜର ବୃଦ୍ଧି ଅସତ୍ ଉପାୟରେ ପରିଚାଳିତ କରି ପ୍ରକୃତି ଉପରେ ଅନବରତ ଅତ୍ୟାଚାର କରିଚାଲିଛି ଏବଂ ନିଜର ଅର୍ଥବଳ, ବାହୁବଳ ପ୍ରୟୋଗ କରି ଦୁର୍ବଳ ଉପରେ ଅତ୍ୟାଚାର କରିଚାଲିଛି । ନିଜର ସ୍ୱାର୍ଥସାଧନ ପାଇଁ ମନୁଷ୍ୟ ଜଙ୍ଗଲ, ଗଛଲତା, ବନ୍ୟପ୍ରାଣୀ, ଜୀବଜନ୍ତୁ ଧ୍ୱଂସ କରିଚାଲିଛି । ସେଥିପାଇଁ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଘଟୁଛି । ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଆମ ପାଇଁ ସତର୍କ ଘଣ୍ଟି । ଆମେ ନିଜେ ହିଁ ନିଜର ଧ୍ୱଂସ କରୁଛୁ । ସେଥିପାଇଁ କୁହାଯାଏ “ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ” ।
ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ନିଜକୁ ସର୍ବଶ୍ରେଷ୍ଠ ସର୍ବଶକ୍ତିମାନ ମନେକରୁଥିବା ଏକବିଂଶ ଶତାବ୍ଦୀର ମନୁଷ୍ୟ ପୁଳା ପୁଳା ଟଙ୍କା ବାଣ୍ଟି ବାଣ୍ଟି ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ ଅନେକ ବ୍ୟକ୍ତି ଅଶାନ୍ତିରେ କାଳାତିପାତ କରୁଛନ୍ତି । ସବୁକିଛି ସୁଖ ସ୍ୱାଚ୍ଛନ୍ଦ୍ୟ, ଦାମୀ ଗାଡି, ସୁରମ୍ୟ ଅଟ୍ଟାଳିକା, ସୁନା, ରୁପା, ହୀରା ଅଳଙ୍କାର ଥିଲେ ମଧ୍ୟ ମାନସିକ ଅବସାଦ ଏବଂ ଅତ୍ୟଧିକ ଚାପଗ୍ରସ୍ତ ହୋଇ ସୁଶାନ୍ତ ସିଂ ରାଜପୁତଙ୍କ ଠାରୁ ଆରମ୍ଭ କରି ଅନେକ ହିନ୍ଦୀ, ତେଲୁଗୁ, କନ୍ନଡ଼ ସିନେମା ଅଭିନେତା, ଉଚ୍ଚପ୍ରଦସ୍ଥ ଅଧିକାରୀ, ପୋଲିସ ଅଫିସର, ଆଇଏସ୍ ଅଫିସର ଆତ୍ମହତ୍ୟାର ରାସ୍ତା ବାଛି ନେଉଛନ୍ତି । ଏହାର ଅନେକ ଦୃଷ୍ଟାନ୍ତ ରହିଛି ।
ଏକବିଂଶ ଶତାବ୍ଦୀର ସ୍ୱାର୍ଥବାଦୀ ମନୁଷ୍ୟ ଅହଂକାରରେ ବଶବର୍ତ୍ତୀ ହୋଇ ଅର୍ଥ ଏବଂ ପ୍ରାଚୁର୍ଯ୍ୟ ବଳରେ ଅନ୍ଧ ହୋଇ ନିଜକୁ ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ ମନେକରୁଛି । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି କଳିଯୁଗ ମନୁଷ୍ୟର ଔଦ୍ଧତ୍ୟ ଏବେ ଚରମସୀମାରେ । ଇଶ୍ୱରଙ୍କ ସୁନ୍ଦର ସୃଷ୍ଟି ପ୍ରକୃତିକୁ ଧ୍ୱଂସ କରିବାରେ ସେ ବ୍ୟଗ୍ର । ଅନେକ ଜଙ୍ଗଲ, ଗଛଲତାକୁ ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ ଧ୍ୱଂସ କରିଦେଉଛି । ଏହାଛଡା ନିରୀହ ପଶୁ, ପକ୍ଷୀଙ୍କ ଉପରେ ସ୍ୱାର୍ଥବାଦୀ ମନୁଷ୍ୟ ନିଷ୍ଠୁରତା, ବର୍ବରତା ଆଚରଣ କରୁଛି । କେତେବେଳେ ସେମାନଙ୍କ ଉପରେ ଏସିଡ, ଗରମ ପାଣି ପକାଇ ଦେଉଚି, ସେମାନଙ୍କ ଖାଉ ଥିବା ଖାଦ୍ୟରେ ବିଷ ମିଶାଇଦେଉଚି ତ ଆଉ କେତେବେଳେ ସେମାନଙ୍କୁ ହତ୍ୟା କରି ସେମାନଙ୍କ ମାଂସ ଭକ୍ଷଣ କରୁଛି ।
ଏବେ ବି ସାଧାରଣ ଗରିବ ଓ ମଧ୍ୟବର୍ତ୍ତୀ ବର୍ଗ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରତି ମୁହୂର୍ତ୍ତରେ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ସଂଘର୍ଷ କରୁଛନ୍ତି । ତାଙ୍କ ସହିତ ହେଉଥିବା ଅନ୍ୟାୟକୁ ସହ୍ୟ କରିନପାରି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଆମ ଦେଶର ସରକାରୀ କଳରେ ଉଦାସୀନତା ଓ ଭ୍ରଷ୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦାୟୀ ।
ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି)ର ରିପୋର୍ଟ ଅନୁସାରେ ‘ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଯେପରି ଧର୍ଷଣ, ଗଣ ଦୁଷ୍କର୍ମ, ମର୍ଡର, ଶାରୀରିକ ଓ ମାନସିକ ନିର୍ଯ୍ୟାତନା ହାର ୬୪. ୫ %(୧ ଲକ୍ଷ ଜନସଂଖ୍ୟାର ପରିଧି ମଧ୍ୟରେ) । ଏହା ବିଂଶ ଶତାବ୍ଦୀର ସଭ୍ୟ ସମାଜରେ ବିକାଶର ପରିପନ୍ଥୀ ! ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ୨୦୨୧ର ଆଉ ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ଆମ ଦେଶର ୮୬ ଜଣ ମହିଳା ଧର୍ଷଣର ଶିକାର ହେଉଛନ୍ତି ଏବଂ ୪୯ ଜଣ ମହିଳା ଦୁର୍ବ୍ୟବହାର ସାମ୍ନା କରୁଛନ୍ତି, ପ୍ରତି ଘଣ୍ଟାରେ ଭାରତରେ କୋଣ ଅନୁକୋଣରେ ଏପରି ଘଟୁଛି । ୨୦୨୦ରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ, ୨୦୧୯ରେ ହାଇଦ୍ରାବାଦରେ ୨୬ ବର୍ଷିଆ ମହିଳା ପଶୁ ଚିକିତ୍ସିକା ଗଣଧର୍ଷଣ ଓ ୧୯ ବର୍ଷିଆ
ଉତ୍ତର ପ୍ରଦେଶର ହାତ୍ରାସରେ ଜଣେ ମହିଳା ଗଣଧର୍ଷଣ ଭଳି ଅମାନୁଷିକ କାର୍ଯ୍ୟରେ ଶିକାର ହୋଇଥିଲେ । ଏହିପରି ଅନେକ ଘଟଣା ଆମ ଦେଶର ଜନସାଧାରଣଙ୍କୁ ସ୍ତବ୍ଧ କରିଦେଉଛି । ଏହି ସବୁ ଘଟଣା ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ ଅଟେ । ଆମ ଦେଶରେ ବାରମ୍ବାର ଏହିପରି ଘଟଣା ପୁନଃଆବୃତ୍ତି ଘଟିବା ବିଡ଼ମ୍ବନାର ବିଷୟ । ଆମ ଦେଶର କ୍ଷମତା ଲୋଭୀ ରାଜନେତା ଆରୋପ ପ୍ରତ୍ୟାରୋପ କାଦୁଆ ଫିଙ୍ଗା ରାଜନୀତିରେ ବ୍ୟସ୍ତ । ଧର୍ଷଣ ଗଣଧର୍ଷଣ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ କମିବା ବଦଳରେ ବଢିବାରେ ଲାଗିଛି । ନୂତନ ଭାରତ ଶିକ୍ଷିତ ଲୋକେ ଏଥିପ୍ରତି ଉଦାସୀନ ନହୋଇ ସଚେତନ ହେଲେ ଆମ ଦେଶର ସ୍ୱପ୍ନ ପୂରଣ ହେବ ।” ୟତ୍ର ପୂଜ୍ୟତେ ନାରୀ ତତ୍ର ତିଷ୍ଠନ୍ତି ଦେବତା” ।
ଆମ ଦେଶର ପୂର୍ବତନ ଆଇନମନ୍ତ୍ରୀ କିରଣ ରିଜୁ ରାଜ୍ୟ ସଭାରେ ଦେଇଥିବା ମନ୍ତବ୍ୟ ଆଧାରରେ, ବର୍ତ୍ତମାନ ଆମ ଦେଶରେ ପାଖାପାଖି ୫ କୋଟିରୁ ଅଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରଧୀନ ଅଛି । ଭାରତର ସର୍ବୋଚ୍ଚ ଆଦାଲତ (ସୁପ୍ରିମ କୋର୍ଟ)ରେ ୬୯୦୦୦ରୁ ଅଧିକ ମାମଲା ଏବେ ବି ବିଚାରଧୀନ ଅଛି । ଏହା ବ୍ୟତୀତ ଆମ ଦେଶର ୨୫ଟି ହାଇକୋର୍ଟରେ ୫୯ ଲକ୍ଷ ମାମଲା ଏବେ ବି ବିଚାରଧୀନ ଅଛି । ଏହିସବୁ ମାମଲାର ତୁରନ୍ତ ବିଚାର ପାଇଁ ଆମ ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ । ଆମ ବ୍ୟବସ୍ଥାର ତ୍ରୁଟି ପାଇଁ ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଦିନକୁ ଦିନ ସାଧାରଣ ଜନସାଧାରଣ ଆମ ସରକାର ଓ ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଛନ୍ତି । ଆମ ଦେଶର ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତି ସମସ୍ତ ନିତ୍ୟ ବ୍ୟବହାର କରୁଥିବା ସାମଗ୍ରୀ ଯେପରି ସାମାନ୍ୟ ଛୁଞ୍ଚି ଠୁ ଆରମ୍ଭ କରି ଫ୍ରିଜ ପର୍ଯ୍ୟନ୍ତ ଜିଏସ୍ଟି ଆକାରରେ ସରକାର କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଟୋଲଟାକ୍ସରେ ଅନେକ ରାଜସ୍ୱ ସରକାର କମାଉଛନ୍ତି । ଏପରିକି କ୍ୟାନସର, ଡାଇବେଟିସ, ହାର୍ଟଆଟାକ ପରି ଭୟଙ୍କର ରୋଗର ଉପଶମ ପାଇଁ ବ୍ୟବହୃତ ହେଉଥିବା ମେଡ଼ିସିନରେ ଆମ ସରକାର ୧୨% ଜିଏସ୍ଟି ଆଦାୟ କରୁଛନ୍ତି । ଗୋଟିଏ ସାଧାରଣ ଗରିବ, ମଧ୍ୟବିତ୍ତ ପରିବାର ପାଇଁ ଏହା “ବୋଝ ଉପରେ ଲଳିତା ବିଡା ସଦୃଶ” । ବର୍ତ୍ତମାନ ସମୟରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ବୃଦ୍ଧି ସାଧାରଣ ଗରିବ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ନିଜର ଗୁଜୁରାଣ ମେଣ୍ଣ୍ଟାଇବା ପାଇଁ ସେମାନେ ରାତିଦିନ ସଂଘର୍ଷ କରୁଛନ୍ତି ଏବଂ ଯେଉଁମାନେ କ୍ୟାନସର, ଡାଇବେଟିସ, ହାର୍ଟ ଆଟାକ ପରି ଭୟଙ୍କର ରୋଗରେ ପୀଡିତ ସେମାନଙ୍କର ସମସ୍ତ ଝାଳବୁହା କଷ୍ଟ ଉପାର୍ଜିତ ଅର୍ଥ ବିନିଯୋଗ ହେଉଛି ମେଡ଼ିସିନ ଏବଂ ମେଡିକାଲ ଟେଷ୍ଟରେ । ସେଥିପାଇଁ ଅନେକ ସାଧାରଣ ବ୍ୟକ୍ତି ଋଣ ଭାରରେ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଆମ ସରକାରୀ କଳ ଏବଂ ଜଟିଳ ବ୍ୟବସ୍ଥା ଦାୟୀ ।
ଆଇଏଲ୍ଓର ରିପୋର୍ଟ ଅନୁସାରେ ୨୦୦୦ମସିହା ତୁଳନାରେ ଦେଶରେ ବର୍ତ୍ତମାନ ଶିକ୍ଷିତ ବେକାରୀଙ୍କ ସଂଖ୍ୟାରେ ଦୁଇଗୁଣା ବୃଦ୍ଧି ଘଟିଛି । ୨୦୦୦ ମସିହାରେ ଆମ ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ୩୫.୨% ଥିଲା କିନ୍ତୁ ୨୦୨୨ରେ ଏହା ୬୫.୭% ବୃଦ୍ଧି ଘଟିଛି । ସରକାର ବେକାରୀ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଆମ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଥିବା ପରି ପ୍ରତୀୟମାନ ହେଉଛି ।
ବଡ଼ ବଡ଼ ଅଟ୍ଟାଳିକ, ରାସ୍ତା ନିର୍ମାଣ ସୌନ୍ଦ୍ରର୍ଯ୍ୟକରଣ ନାମରେ ଲକ୍ଷ ଲକ୍ଷ ଗଛଲତା ବଳି ପଡ଼ୁଛନ୍ତି । ସେଥିପାଇଁ ତାପମାତ୍ରାର ଅହେତୁକ ବୃଦ୍ଧି ଘଟୁଛି । ଅନେକ ସ୍ଥାନରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୮ପ୍ସ, ୪୯ପ୍ସ କେତେକ ସ୍ଥାନରେ ଏହା ୫୦ ଡିଗ୍ରୀରୁ ଅଧିକ ପ୍ରଚଣ୍ଡ ରୌଦ୍ରତାପ ହେଉଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ ଆଗକୁ ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି । ବିଶ୍ୱରେ ଅସ୍ୱାଭାବିକ ଭାବେ ବଦଳୁଛି ପାଣିପାଗ । ଜଳବାୟୁ ପରିବର୍ତ୍ତନ ପାଇଁ ବନ୍ୟପ୍ରାଣୀ, ଗଛଲତା, ମନୁଷ୍ୟ, ଜୀବଜନ୍ତୁ ଅନେକ ସମସ୍ୟାରେ ସମ୍ଭୁଖୀନ ହେଉଛନ୍ତି । ଅନେକ ସମୟରେ ଏହି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସେମାନେ ପ୍ରାଣତ୍ୟାଗ କରୁଛନ୍ତି । ବିଶ୍ୱର ଲଣ୍ଡନ, ପ୍ୟାରିସ, ନ୍ୟୁୟର୍କ, ଟୋକିଓ ପରି ବଡ଼ବଡ଼ ସହର ଏବଂ ଆମ ଦେଶର ମେଟ୍ରୋସିଟି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇରେ କ୍ରମାଗତ ଜନସଂଖ୍ୟା ଓ ଗାଡ଼ିମଟର, କଳକାରଖାନା ବୃଦ୍ଧି ପାଇଁ ବାୟୁମଣ୍ଡଳ ବିଷାକ୍ତ ହେବାରେ ଲାଗିଛି । ସ୍ପ୍ରେ, ଅତର ବହୁଳ ବ୍ୟବହାର ପାଇଁ ଆମ ଓଜ଼ନ ସ୍ତରରେ ରନ୍ଦ୍ର ହେବାରେ ଲାଗିଛି । ଏଥିପାଇଁ ଚର୍ମ କର୍କଟ ପରି ଭୟଙ୍କର ସମସ୍ୟାରେ ଜର୍ଜରିତ ବିଶ୍ୱବାସୀ । ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏପରି ପରିସ୍ଥିତି ଲାଗିରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ୫୦%ରୁ ଅଧିକ ବ୍ୟକ୍ତି ବିଭିନ୍ନ ଶ୍ୱାସଜନିତ ରୋଗ ଯେପରି ଆଜମା, ଫୁସଫୁସ୍, ହାର୍ଟଷ୍ଟ୍ରୋକ, କ୍ୟାନସର ପରି ଭୟଙ୍କର ରୋଗରେ ଆକ୍ରାନ୍ତ ହେବେ ।
ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ୪କୋଟି ଶିଶୁ କ୍ଷୁଧା କବଳରେ ପଡ଼ିବେ ବୋଲି ଆକଳନ କରିଛି ବିଲ ଆଣ୍ଡ ମେଲିଣ୍ଡା ଗଟେସ ଫାଉଣ୍ଡେସନ । ଏହି ରିପୋର୍ଟରେ କୁହାଯାଇଛି ଚାରିକୋଟି ଶିଶୁ ଖାଦ୍ୟ ପାଇଁ ସଙ୍ଘର୍ଷ କରିବେ । ଏଥିପାଇଁ ତୁରନ୍ତ ପଦକ୍ଷେପ ନିଆନଗଲେ ଅପପୃଷ୍ଟି ସମସ୍ୟା ଆହୁରି ସାଙ୍ଘାତିକ ହେବ ।
ଗୋପାଳପୁର, ବାଲେଶ୍ୱର
ମୋବାଇଲ-୭୦୨୦୬୧୧୩୦୦