ଈଶ୍ବର ଓ ପ୍ରକୃତି- ସ୍ବୀକାର୍ୟ୍ୟ

  • ଶଙ୍କର ସାହୁ

ମଣିଷର ଧାର୍ମିକ ଚିନ୍ତାଧାରାର ଇତିହାସରେ ଈଶ୍ୱରର ଅସ୍ତିତ୍ୱ ଏକ ଦୀର୍ଘ ସମୟର ଚର୍ଚ୍ଚାର ବିଷୟ ଅଟେ। କେତେକ ମନୀଷୀ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରି ସୃଷ୍ଟିର ପରମ କାରଣ ଭାବରେ ମାନନ୍ତି, ବେଦ, କୋରାନ, ବାଇବେଲ ଆଦି ଗ୍ରନ୍ଥ ମଧ୍ୟ ଏହାକୁ ସ୍ବୀକୃତୀ ପ୍ରଦାନ କରିଛି, ଅନ୍ୟ ପକ୍ଷରେ ଅନ୍ୟ କେତେକ ଚିନ୍ତକ ଯଥା ବୈଜ୍ଞାନିକ ଆଦି ତର୍କବାଦୀ(ହେତୁବାଦୀ) ପ୍ରକୃତିକୁ ଏକମାତ୍ର କ୍ରିୟାଶୀଳ ଶକ୍ତି ଭାବରେ ଗ୍ରହଣ କରି ଈଶ୍ୱରଙ୍କର ଆବଶ୍ୟକତାକୁ ଅସ୍ୱୀକାର କରନ୍ତି, ବୌଦ୍ଧ ଓ ଜୈନ ଧର୍ମ ଏହାକୁ ସ୍ବୀକୃତୀ ପ୍ରଦାନ କରନ୍ତି। ଏହି ପରିପ୍ରେକ୍ଷ୍ୟରେ ପ୍ରଶ୍ନ ଉଠୁଛୁ, ଯଦି ଈଶ୍ୱରଙ୍କ ସ୍ଥିତିକୁ ନ ସ୍ବୀକାର କରାଯାଏ, ତେବେ ନୀତି, ନ୍ୟାୟ ଓ ଶୃଙ୍ଖଳା କିପରି ରହିବ? ଅନ୍ୟାୟ ଓ ଅନୀତି ବଢ଼ିଯିବ ନାହିଁ ତ? କିମ୍ବା ପ୍ରକୃତିର ନିୟମ ହିଁ ସମଗ୍ର ସଂସାରକୁ ସଂଚାଳିତ କରୁଛି? ଏହି ମୁଦ୍ଦାକୁ ବୈଜ୍ଞାନିକ ଓ ଧାର୍ମିକ, ଉଭୟ ଦୃଷ୍ଟିକୋଣରୁ ବିଚାର କରିବା ଆବଶ୍ୟକ।

ବୈଜ୍ଞାନିକ ଦୃଷ୍ଟିରୁ ପ୍ରକୃତି ନିୟମବଦ୍ଧ ଓ ସ୍ୱୟଂଚାଳିତ। ଗ୍ରହନକ୍ଷତ୍ରର ଗତି, ଋତୁଚକ୍ରର ପରିବର୍ତ୍ତନ, ଜୀବଜଗତର ବିକାଶ, ସବୁ କିଛି ନିର୍ଦ୍ଦିଷ୍ଟ ନିୟମରେ ଚାଲୁଛି। ଏହି ନିୟମଗୁଡିକୁ ଅନୁସନ୍ଧାନ କରି ବିଜ୍ଞାନ ସୃଷ୍ଟିର ଗଠନ ଓ ପ୍ରକ୍ରିୟାକୁ ବ୍ୟାଖ୍ୟା କରିଥାଏ। ଏଠାରେ କୌଣସି ଅଲୌକିକ ହସ୍ତକ୍ଷେପର ଆବଶ୍ୟକତା ବିଜ୍ଞାନ ଦେଖାଏ ନାହିଁ; ବରଂ ପ୍ରତ୍ୟେକ କାରଣର ପଛରେ ଗୋଟିଏ ପ୍ରାକୃତିକ କାରଣ ରହିଛି ବୋଲି ସ୍ବୀକାର କରେ। ଏହାକୁ ବିଖ୍ୟାତ ବୈଜ୍ଞାନିକ ଯଥା ଆଇନଷ୍ଟାଇନ, ନିଉଟନ, ଷ୍ଟିଫେନ ହନଙ୍କିନ୍ସ ଆଦି ସ୍ବୀକାର କରିଛନ୍ତି। ଡାର୍ଉଇନ୍ ମଧ୍ୟ ତାଙ୍କ ପୁସ୍ତକ “ଜୀବନ ଅଦ୍ଭୁତ୍ଥାନ”ରେ, ଷ୍ଟିଫେନ ହନଙ୍କିନ୍ସ ତାଙ୍କ ପୁସ୍ତକ “ଏ ବ୍ରିଫ ହିଷ୍ଟ୍ରୀ ଅଫ ଟାଇମ”ରେ ବିପୁଳ ଭାବରେ ଉଲ୍ଲେଖ କରିଛନ୍ତି। ଈଶ୍ବରଙ୍କ ସ୍ଥିତିର ଅସ୍ବୀକାର କରାଯାଇଛି। ଯଦି ମଣିଷ ପ୍ରକୃତିର ନିୟମ ଭଙ୍ଗ କରେ—ଯଥା ପରିବେଶ ଦୂଷଣ, ଅତ୍ୟଧିକ ଶୋଷଣ, ଅସନ୍ତୁଳିତ ଉନ୍ନତି, ତେବେ ପ୍ରକୃତିର ସନ୍ତୁଳନ ଭଙ୍ଗ ହୁଏ ଏବଂ ତାହାର ପ୍ରତିଫଳ ସ୍ୱରୂପ ଦୁର୍ୟୋଗ ଓ ସଙ୍କଟ ଦେଖାଯାଏ। ଏହି ଅର୍ଥରେ କୁହାଯାଇପାରେ ଯେ ପ୍ରକୃତି ନିୟମର ପାଳନ ହିଁ ମାନବ ଜୀବନର ମୂଳ ଆବଶ୍ୟକତା, ଏବଂ ଏହାକୁ ଧର୍ମ ସ୍ୱରୂପରେ ମଧ୍ୟ ବୁଝାଯାଇ ପାରେ।

ଧାର୍ମିକ ଦୃଷ୍ଟିରୁ ଧର୍ମର ଅର୍ଥ କେବଳ ଆଚାର-ବିଚାର କିମ୍ବା ପୂଜା-ପାଠ ନୁହେଁ; ବରଂ ସତ୍ୟ, ନ୍ୟାୟ, କରୁଣା ଓ ନୀତିର ପାଳନ। ଧାର୍ମିକ ଗ୍ରନ୍ଥଗୁଡିକ ସୃଷ୍ଟିକୁ ଏକ ଦିବ୍ୟ ଶକ୍ତିର ପ୍ରକାଶ ଭାବରେ ବିବେଚନା କରନ୍ତି। ଏହି ଦୃଷ୍ଟିରୁ ପ୍ରକୃତି ଓ ଈଶ୍ୱର ପରସ୍ପର ବିରୋଧୀ ନୁହେଁ; ପ୍ରକୃତି ହିଁ ଦିବ୍ୟତାର ଅଭିବ୍ୟକ୍ତି। ଯଦି ମଣିଷ ପ୍ରକୃତିର ସନ୍ତୁଳନକୁ ରକ୍ଷା କରେ, ତେବେ ସେ ଧର୍ମକୁ ଅନୁସରଣ କରୁଛି। ଧର୍ମ ମାନବର ଆନ୍ତରିକ ନୀତିବୋଧକୁ ସୁଦୃଢ଼ କରେ ଏବଂ ତାହାକୁ ଅନ୍ୟାୟରୁ ବିରତ କରିବାରେ ସାହାଯ୍ୟ କରେ। ଈଶ୍ୱରର ଧାରଣା ମଣିଷର ମନରେ ଦାୟିତ୍ୱବୋଧ ଓ ଆତ୍ମନିୟନ୍ତ୍ରଣ ସୃଷ୍ଟି କରେ।

ଏହା ସତ୍ୟ ଯେ ନୀତିର ମୂଳ କେବଳ ଭୟ ନୁହେଁ; ମାନବ ଚେତନା ଓ ସାମାଜିକ ବ୍ୟବସ୍ଥା ମଧ୍ୟ ଏହାର ଆଧାର। ଅନେକ ଲୋକ ଈଶ୍ୱରକୁ ସ୍ବୀକାର ନ କରି ମଧ୍ୟ ଉଚ୍ଚ ନୈତିକ ମୂଲ୍ୟରେ ଜୀବନ କାଟନ୍ତି, ଆଉ କେତେକ ଧର୍ମାନୁସାରୀ ହୋଇଥିଲେ ମଧ୍ୟ ଅନୀତି କରନ୍ତି। ଏହା ଦେଖାଏ ଯେ ନୀତି ମାନବ ମନୋବୃତ୍ତିର ଗଭୀରତାରେ ନିହିତ। ସମାଜର ଶୃଙ୍ଖଳା ରକ୍ଷା ପାଇଁ ପ୍ରକୃତିର ନିୟମ, ସାମାଜିକ ନିୟମ ଓ ଆନ୍ତରିକ ନୀତିବୋଧ, ଏହି ତିନୋଟି ଅବଶ୍ୟକ।

ଅତଏବ ଏହି କଥା କୁହାଯାଇପାରେ ଯେ ସଂସାରର ସୁଚାଳନା ପାଇଁ କେବଳ ଈଶ୍ୱରର ସ୍ୱୀକୃତି ଅନିବାର୍ୟ୍ୟ ନୁହେଁ, ତଥାପି ଧାର୍ମିକ ଚେତନା ମାନବ ଜୀବନକୁ ନୈତିକ ଭିତ୍ତି ପ୍ରଦାନ କରେ। ପ୍ରକୃତିର ନିୟମ ପାଳନ କରିବା ଓ ନ୍ୟାୟ-ନୀତିରେ ଅଟୁଟ ରହିବା, ଏହା ହିଁ ସତ୍ୟ ଧର୍ମ। ଯେତେବେଳେ ମଣିଷ ପ୍ରକୃତି ସହ ସମନ୍ୱୟରେ ରହେ ଓ ନୀତିମୟ ଜୀବନ ବ୍ୟତୀତ କରେ, ସେତେବେଳେ ପ୍ରକୃତି ସନ୍ତୁଳିତ ରହେ ଏବଂ ସମାଜରେ ଶାନ୍ତି ଓ ସମୃଦ୍ଧି ସ୍ଥାପିତ ହୁଏ।

  • ପେଲେସ୍‌ ଲାଇନ୍‌, ବଲାଙ୍ଗିର
    ମୋ.ନଂ.- ୯୪୩୭୯୬୦୩୨୬
Leave A Reply

Your email address will not be published.