ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ରୟାଲ ଏକାଡେମୀର ପ୍ରିନ୍ସିପାଲ୍ ନିରୁପମା ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଏବଂ ସାମ୍ବାଦିକ ରଘୁନନ୍ଦନ ସିଂହ ମୁଖ୍ୟବକ୍ତାଙ୍କ ସହିତ ଟ୍ରଷ୍ଟି ତଥା ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରକାଶ କୁମାର ନେପାକ, ଟ୍ରଷ୍ଟି କୁନା ବାଗ, ଅଜିତ ପଣ୍ଡା, ଦୌଳତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ମଂଚାସୀନ ଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତା ରଘୁନନ୍ଦନ ସିଂ ଉଦ୍ବୋଧନ ଦେଇ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣରେ ଅଭିଭାବକମାନଙ୍କ ମୁଖ୍ୟ କର୍ତ୍ତବ୍ୟ ଏବଂ ସେମାନଙ୍କୁ ମୋବାଇଲର ଅପବ୍ୟବହାରରୁ ଦୂରେଇ ରଖି ଶିକ୍ଷା ସହ ମାନବିକତାର ମୂଲ୍ୟବୋଧର ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିବା ସହ ଏହି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅବଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଟ୍ରଷ୍ଟି ତଥା ସ୍କୁଲ ନିର୍ଦ୍ଦେଶକ ପ୍ରକାଶ କୁମାର ନେପାକ ରୟାଲ ଏକାଡେମୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ସେମାନଙ୍କର ଅନୁସାଙ୍ଗିକ ଚିନ୍ତାଧାରର ଉନ୍ନତି ପାଇଁ ଯତ୍ନବାନ ବୋଲି କହିଥିଲେ । ବିଦ୍ୟାଳୟ ଦ୍ୱାରା ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମା’ମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟତ୍ରୀ ସସ୍ମିତା ମହାକୁଡ ସଭା ସଂଯୋଜନା କରିବା ସହ ସମସ୍ତ ଶିକ୍ଷୟିତ୍ରୀ ସହାୟତା କରିଥିଲେ । ଶିକ୍ଷକ ଅଭିଜିତ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post