ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲୁ ନାଟ୍ୟ ଆଶ୍ରମଠାରେ ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ରଚିତ ‘ରାଜକୁମାର ସାହୁଙ୍କ ରାମାୟଣ ଗୀତିନାଟ୍ୟ ଭାଗ ୧’ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଫେସର କେଶରଞ୍ଜନ ପଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ସାହୁ, ଅତିଥି ଭାବରେ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଅଶୋକ କୁମାର ବହିଦାର ଓ ସମୀକ୍ଷକ ଭାବେ ଅଧ୍ୟାପକ ଡ଼. ଦୁର୍ଗାଶିଷ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ନାଟକ ବହୁ ପରିମାଣରେ ମଞ୍ଚସ୍ଥ ହେଉଥିବା ବେଳେ ନାଟକ ସାହିତ୍ୟ ସଂଖ୍ୟା ନଗଣ୍ୟ । ପୁଣି ଗୀତିନାଟ୍ୟ ନାହିଁ କହିଲେ ଚଳେ । କିନ୍ତୁ ରାଜକୁମାର ସାହୁଙ୍କ ଗୀତିନାଟ୍ୟ ସଂକଳନ ଏହି ଅସମୟରେ ଅଶାର ସଂଚାର କରାଏ । କୋଠଘର ଆମ ସାହିତ୍ୟ ପରିବାର ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ତଥା ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଦିଗଦର୍ଶନରେ ନାଟ୍ୟକାର ରାଜକୁମାର ସାହୁଙ୍କ ରାମାୟଣ ଗୀତିନାଟ୍ୟ ଉପରେ ସମୀକ୍ଷକ ଖୁବ ସୁବୋଧ୍ୟ ଶୈଳୀରେ ନାଟ୍ୟର ବିଭିନ୍ନ ଦିଗ ଆଲୋଚନା କରିବା ସହ ରାଜକୁମାର ସାହୁଙ୍କ କୌଶଳ ଓ ଲୌକିକତାକୁ ପ୍ରଶଂସା କରିଥିଲେ । ନାଟ୍ୟକାର ଅଶୋକ ବହିଦାର ଗୀତିନାଟ୍ୟ ପରି ଏକ ବିରଳ ଓ ଲୁପ୍ତପ୍ରାୟ ନାଟ୍ୟ ବିଭାଗ ଉପରେ ରଚନା ପାଇଁ ରାଜକୁମାର ସାହୁଙ୍କ ପ୍ରୟାସକୁ ଭୁରିଭୁରି ପ୍ରଶଂସା କରିଥିବା ବେଳେ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ରାଜକୁମାର ସାହୁଙ୍କୁ ଯୁବ ତାରକା ଭାବେ ବର୍ଣ୍ଣନା କରିଥିଲେ । ଡ଼ ଦୁର୍ଗାଶିଷ ପଟ୍ଟନାୟକଙ୍କ ସମୀକ୍ଷାରେ ସମସ୍ତେ ବିମୋହିତ ହୋଇଥିଲେ । ସଭାପତି ଭାବରେ ପ୍ରଫେସର କେଶରଞ୍ଜନ ପଧାନ ନାଟ୍ୟକାରଙ୍କର ବିଚକ୍ଷଣତା ଓ ସଫଳତାର କାହାଣୀ ବଖାଣି ଥିଲେ । ସଭାରେ ଉପସ୍ଥିତ ସମସ୍ତେ ନିଜ ନିଜର ଅଭିମତ ରଖିଥିଲେ । ସମୀକ୍ଷକ ଡ଼. ଦୁର୍ଗାଶିଷ ପଟ୍ଟନାୟକଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅଭିନେତା ଉଦ୍ଧବ ଘିବେଲା ନାଟ୍ୟକାରଙ୍କର ପ୍ରଚାର ପ୍ରସାର ଦିଗକୁ ଆଲୋକପାତ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରସ, ରୁଚି, ଛନ୍ଦ, ନାଟ୍ୟ, ଗୀତ ଲାଳିତ୍ୟ ଥିବା ପୁସ୍ତକଟିକୁ ସାହିତ୍ୟ ଅନୁରାଗୀ ମହଲରୁ ଅଭିନନ୍ଦନର ଛୁଅ ଛୁଟିଛି ।
Prev Post