ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ମଧ୍ୟରେ ରମ୍ଭାରେ ବର୍ଣ୍ଣାଢ୍ୟ ସମାରୋହରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ରମ୍ଭା ସହର ମୁଖ୍ୟ ସଡ଼କ ପଥ “ଉତ୍କଳ ସଂଗ୍ରାମୀ ପୀଠ, ପିମ୍-ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅବା ରମ୍ଭା ହାଇସ୍କୁଲ୍ ପରିସରର ଓଡ଼ିଆ ଅସ୍ମିତାକୁ ବଜାୟ ରଖି ଉତ୍କଳ ଦିବସ ପାଳିତ ସମାହିତ ହୋଇଯାଇଛି । ପୂର୍ବାହ୍ନରେ ଅତିଥିମାନଙ୍କ ଦ୍ୱାରା ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠ ଦିବ୍ୟ ମଞ୍ଚରେ ଅବସ୍ଥାପିତ ଏକଚାଳିଶି ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପାନ୍ଥ ନିବାସ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଗୋପବନ୍ଧୁ ଛକରେ ଗୋପବନ୍ଧୁ ଦାସ ଏବଂ ବିଦ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଓ ରମ୍ଭା ଗାନ୍ଧୀ ଶ୍ରୀନିବାସ କବିରତ୍ନଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ରମ୍ଭା ଏନ.ଏ.ସି.ର ଚେୟାରମ୍ୟାନ ଶ୍ରୀମତୀ ମାନସୀ ସ୍ୱାଇଁଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା । ପ୍ରାକ୍ତନ ନଗରପାଳ ସମାଜସେବୀ ସୁବାସଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଡ. ପ୍ରଭାକର ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ରମ୍ଭା ଏନ.ଏ.ସି. ର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଶାଲତା ରଚମାଳା, ମହେଶ୍ୱର ବରାଡ଼, ପ୍ରସାଦ ରାଓ ପୃଷ୍ଟି, ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଇଂ. ଅମୂଲ୍ୟ ସେନାପତି, ନରସିଂହ ସୁବୁଦ୍ଧି, ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା, ଆବାହକ ବିଜୟ କୁମାର ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ରାମଚନ୍ଦ୍ର ଦୋରା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାଶ, ସମ୍ମାନିତ ବକ୍ତାଭାବେ ପ୍ରଧାନଶିକ୍ଷକ ଗୋପୀନାଥ ଦାଶ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳୀୟ ବରପୁତ୍ରମାନଙ୍କ ଗାରିମାମୟ ତ୍ୟାଗ, ବଳିଦାନ ଆଦି ଉପରେ ଆଲୋକପାତ କରିଥିଲେ । ମଞ୍ଚ ସମ୍ମୁଖରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସଙ୍କ ସମେତ ବହୁ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହିତ ବରପୁତ୍ରମାନଙ୍କ ଉତ୍ତରାଧିକାରୀମାନେ ଯୋଗଦେଇ ଆଦିପୀଠ ରମ୍ଭାରେ ଆୟୋଜିତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପି.ଏମ.ଶ୍ରୀ ରମ୍ଭା ସରକାରୀ ହାଇସ୍କୁଲ ଦ୍ୱାରା ବିଦ୍ୟାଳୟର ମୁଖପତ୍ର “ଲକ୍ଷ୍ୟଵାହୀ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରକୃତିବନ୍ଧୁ ପଞ୍ଚାନନ ଖଟୁଆ ଓ ପ୍ରକୃତିବନ୍ଧୁ ଶେଷଦେବ ବେହେରାଙ୍କ ସଂଯୋଜନାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା କୃତ୍ତି ପ୍ରତିଯୋଗୀମାନଙ୍କୁ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଓଡ଼ିଆ ସଂସ୍କୃତି ସମ୍ପନ୍ନ ଦୁଇଗୋଟି ଓଡିଶୀ ନୃତ୍ୟ ସହିତ କବି ପ୍ରହ୍ଲାଦ ବେହେରାଙ୍କ ସଂଯୋଜନାରେ କବିତାପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କଵିତା ଆସରରେ ଶତାଧିକ କବି ନିଜସ୍ଵ କଵିତା ଆବୃତ୍ତି କରି ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଶେଷରେ ଅବଦୁଲ କଲାମ ଟ୍ରଷ୍ଟର କୁନି ପ୍ରତିଭା ଅଭିଲିପ୍ସା ପଣ୍ଡା ଓ ଶୁଭଲକ୍ଷ୍ମୀ ଦାସଙ୍କ ଓଡ଼ିଆ ଅସ୍ମିତା ସମ୍ପନ୍ନ କାର୍ଯ୍ୟକ୍ରମରେ ପରିବେଷଣ ହୋଇ ଦର୍ଶକ ବିମୋହିତ ହୋଇଥିଲେ ।