- ମନ୍ଦିରର ତଥ୍ୟ ଜାଣି ପାରିବେ ସାରା ପୃଥିବୀର ଲୋକେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ସମଗ୍ର ଭାରତ ବର୍ଷରେ ଏକ ବିରଳ ଓ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଅଟେ । ଏହାର ତଥ୍ୟ, ତତ୍ଵ, କଥା, କିମ୍ବଦନ୍ତୀ ସ୍ଵତନ୍ତ୍ର ଓ ନିଆରା ଅଟେ । ପ୍ରତିଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ପର୍ଯ୍ୟଟକ ଆସିଥାନ୍ତି । ତେଣୁ ଏହି ପବିତ୍ର ପର୍ଯ୍ୟଟନ ସ୍ଥଳୀର ବିବରଣୀ ପୃଥିବୀ ସାରା ଲୋକେ ଜାଣିବା ଆବଶ୍ୟକ ଅଟେ ବୋଲି ମଙ୍ଗଳବାର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଅଫିସିଆଲ ୱେବ ସାଇଟ ଉନ୍ମୋଚନ ଅବସରରେ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡର ଲୋକପ୍ରିୟ ସାଂସଦ ତଥା ମନ୍ଦିରର ପୂର୍ବତନ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ୱେବ ସାଇଟର ଶୁଭ ଉନ୍ମୋଚନ କରିଥିଲେ । ଆଜିଦିନ ଠାରୁ www.nrusinghanathtemple.in ୱେବସାଇଟ ମାଧ୍ୟମରେ ମନ୍ଦିରର ସମସ୍ତ ବିବରଣୀ ଉପଲବ୍ଧ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଫଳରେ ପର୍ଯ୍ୟଟକମାନେ ମନ୍ଦିର ଅବସ୍ଥିତି, ଯାତାୟାତ ସୁବିଧା, ଦର୍ଶନ ସମୟ, ଆଗତୁରା ଭୋଗ ତଥା ରହିବା ବ୍ୟବସ୍ଥା ବୁକିଂ କରିବା ଆଦି ସୁବିଧା ପାଇପାରିବେ ବୋଲି ସୂଚନା ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ମନ୍ଦିରର ବିଭିନ୍ନ ବିବରଣୀକୁ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । ବିବରଣୀକୁ ବିଶ୍ୱପୀ କରିବା ପାଇଁ ୱେବସାଇଟ ସହାୟକ ହେବ ଏବଂ ଏହି ପୀଠର ପ୍ରଚାର ପ୍ରସାର ପାଇଁ ଏହା ଆଉ ଏକ ପାହାଚ ଅଟେ ବୋଲି କହିଥିଲେ । ସମ୍ମାନିତ ଅତିଥି ପିଡବ୍ଲୁଡିର ଇଞ୍ଜିନିୟର ଅରୁଣ କୁମାର ପାଣ୍ଡେ ଓ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ବଡ ଶତପଥି ତୀର୍ଥକ୍ଷେତ୍ରର ବିକାଶ ପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ବିଶିଷ୍ଟ ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଓ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଲିଟୁ ମହାନ୍ତି ଯୋଗଦାନ କରି ଏହି ପୀଠର ତଥ୍ୟ ଓ ତତ୍ୱ ସଂରକ୍ଷଣ ପାଇଁ ଆଗକୁ ଆହୁରି ଉଦ୍ୟମ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ । ୱେବସାଇଟର ନିର୍ମାତା ଶଶିକାନ୍ତ ସାହୁଙ୍କୁ ଉପଢ଼ୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ବୁଦ୍ଧିଜିବୀ, ଶ୍ରଦ୍ଧାଳୁ ତଥା ଜନସାଧାରଣ ଉପସ୍ଥିତ ଥିଲେ ।