ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀଙ୍କୁ ଧରପଗଡ଼ ଉଦ୍ୟମ

  • ୭ ଜଣ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ବେଳେ ୪ ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତି
  • ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ଦୃଢ଼ ପଦକ୍ଷେପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ବଡ଼ବଡ଼ ଅପରାଧରେ ଜଡ଼ିତ ଘଟଣାରେ ମୋଟ୍ ୬ଟି ପୃଥକ୍‌ ପୃଥକ୍‌ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ୭ ଜଣ ଅଭିଯୁକ୍ତଙ୍କ ଉପରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସିଆରପିସି ୮୩ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଆଞ୍ଚଳିକ କୋର୍ଟଙ୍କ ନିର୍ଦ୍ଦେଶନାମା ଆଣି ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ପକ୍ଷରୁ ଫେରାର ୭ ଜଣ ଅଭିଯୁକ୍ତଙ୍କ ଅସ୍ଥାବର ସମ୍ପତ୍ତି ଓ ଘର ସାମଗ୍ରୀକୁ ସିଜ୍ କରାଯାଇଛି । ଏସବୁ ସିଜ୍ ପରେ ଏଥିରୁ ମୋଟ୍ ୪ ଜଣ ଫେରାର ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି ବୋଲି କୁହାଯାଇଛି । ଏନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ପାଟପୁର, କୋଦଳା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଗାଙ୍ଗପୁର ଓ ବେଲଗୁଣ୍ଠା ପୋଲିସ ପକ୍ଷରୁ ଅର୍ଥାତ ସମ୍ପୃକ୍ତ ଅଞ୍ଚଳର ଥାନା ପକ୍ଷରୁ ସିଆରପିସିର ୮୩ ଧାରା ଆଧାରରେ କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯାଇ ଉକ୍ତ ୭ ଜଣ ଅଭିଯୁକ୍ତଙ୍କ ଅସ୍ଥାବର ସମ୍ପତ୍ତି ଓ ଘର ସାମଗ୍ରୀକୁ ସିଜ୍ କରାଯାଇଛି ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.