ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଏକ ଉଚିତ୍ ପଦକ୍ଷେପ ଓ କବଚ ସଦୃଶ ବୋଲି ବକ୍ତାମାନେ କହିଥିଲେ । ଏଭଳି ପ୍ରଶିକ୍ଷଣ ଆମମାନଙ୍କ ସକାଶେ ଏକ ଫଳପ୍ରଦ ଶିକ୍ଷା ବୋଲି ଅଂଶ ଗ୍ରହଣକାରୀ ଛାତ୍ରୀମାନେ କହିଥିଲେ । ସରକାରଙ୍କ ତରଫରୁ ନିର୍ଦ୍ଦେଶିତ ଏ ପ୍ରଶିକ୍ଷଣ ଶିବିର ଗତ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସପ୍ତାହକୁ ଥରେ ଅନୁଷ୍ଠିତ ହେଉଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ଏଥିରେ ସଭାପତିତ୍ୱ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ପ୍ରାଧ୍ୟାପିକା ବନ୍ଦନା ବାର୍ ଏହାର ଦାୟିତ୍ୱକୁ ସୂଚାରୁ ରୂପେ ପରିସମାପ୍ତି କରିଥିବାବେଳେ ଡ. ରମଣୀ ନାଏକ, ଡ. ବିଜୟ ବେହେରା, ଲିଲିମା ଗର୍ଡିଆ, କଲ୍ୟାଣୀ ମିଶ୍ର, କମଳାକାନ୍ତ କରାଲି ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ଏଥିରେ ପ୍ରଶିକ୍ଷିକା ଲିପ୍ସାରାଣୀ ଡାଙ୍ଗ ଓ ସୁବାସିନୀ ମଲ୍ଲିକ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଶେଷରେ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ୍ ଦେଇଥିଲେ ।