ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ସାଇନିଂ ଷ୍ଟାର୍ ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦ୍ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ । ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଭାବେ ସାଂସଦଙ୍କୁ ଉତ୍ତରୀୟ ଏବଂ ପ୍ରକୃତି ବନ୍ଧୁ ବଡ଼ ଶତପଥୀଙ୍କ ଦ୍ଵାରା ଚାରାଗଛ ଉପହାର ପ୍ରଦାନ ସହ ବୃକ୍ଷରୋପଣ ପାଇଁ ଆହ୍ୱାନ ଦିଆଯାଇଥିଲା । ତ୍ରିଦିବସୀୟ ଶିବିରରେ ବରଗଡ ଜିଲ୍ଲାର ୧୨ଟି ଯାକ ବ୍ଲକର ୧୬୪ ଜଣ ସାଇନିଂ ଷ୍ଟାର୍ ମାନଙ୍କୁ ୬୭ ଜଣ ସାଧନ କର୍ମୀ ମାନଙ୍କ ଦ୍ଵାରା ଆଗାମୀ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ଇ୧ ଗ୍ରେଡ୍ ହାସଲ କରିବା ପାଇଁ କୌଶଳ ଗୁଡ଼ିକୁ ବୁଝାଇ ଥିଲେ । ସକାଳ ୬ଟାରୁ ଛାତ୍ରୀ ମାନେ ଯୋଗାଭ୍ୟାସ, ବିଷୟ ଶିକ୍ଷା, ପ୍ରେରଣାତ୍ମକ କାର୍ଯ୍ୟକ୍ରମ ସହ ରାତି ୯ଟା ପର୍ଯ୍ୟନ୍ତ ନିଜ ନିଜ ବିଷୟର ଥିବା ସନ୍ଦେହ ଗୁଡ଼ିକୁ ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଇଓ ରାଧାକାନ୍ତ ଛାତ୍ରୀ ଓ ପାଇକମାଲ ବିଇଓ ଚୁଡ଼ାମଣି ବାରିକ ଯୋଗଦାନ କରି ବରଗଡ ଜିଲ୍ଲାର ଅଭିନବ ପ୍ରୟାସ ବିଷୟରେ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ୨ୟ ପର୍ଯ୍ୟାୟ ଶିବିର ଆୟୋଜନ ସହ ଅଧିକ ସାଧନ କର୍ମୀ ଶିକ୍ଷକଙ୍କ ବ୍ୟବସ୍ଥା କରିବା ପାଇଁ ମତ ଦେଇଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ । ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା, ଆନନ୍ଦିନୀ ସେଠ୍, ମଧୁସ୍ମିତା ମେହେର, ନିରୁପମା ସାହୁ, ସୁଦାମ ପାଣ୍ଡେ, ରଜତ ସାହୁ, ଅମିତ ସାହୁ, ମନୋଜ ସାହୁ, ଜେ ସ୍ଵାଧୀନ, ଲିଙ୍ଗରାଜ ସାହୁ, ଭବାନୀ ଭୋଇ, ନରସିଂହ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।