
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅସୀମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ଗ୍ରୀଷ୍ମକାଳୀନ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଜାତୀୟ ସ୍ତରରେ କରାଟେ ଓ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ, ଏହି ଶିବିର ଆସନ୍ତା ଜୁନ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଆଜିକାର ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଉପଜିଲ୍ଲାପାଳ ଅଜିତ ପଟେଲ ଯୋଗଦାନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଟାଇକଣ୍ଡୋ ଓ କରାଟେ ଖେଳରେ ରୁଚି ରଖିବାକୁ ପରାମର୍ଶ ଦେବା ସଙ୍ଗେ ଅସୀମ ଭୋଇଙ୍କୁ ପ୍ରଶଂସା କରିଥିଲେ । ଏହି ଗ୍ରୀଷ୍ମକାଳୀନ ଶିବିରରେ କରାଟେ, ଟାଇକଣ୍ଡୋ, ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ, ଲାଠି ଚାଳନା, ନାନ୍ଚାକୁ, ଓଜନ ହ୍ରାସ ପ୍ରଭୃତି ଟ୍ରେନିଂ ଦିଆଯାଉଥିବା କୋଚ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଏହି ଶିବିରରେ ୪ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ପ୍ରଶିକ୍ଷଣ ନେଇ ପାରିବେ । ସୂଚନା ଥାଉ କି ଏହି ଅନୁଷ୍ଠାନ କେବଳ କରାଟେ, ଟାଇକଣ୍ଡୋରେ ସୀମିତ ନ ରହି ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ତଥା ସମାଜସେବାରେ ନିଜକୁ ସାମିଲ କରି ଆସୁଅଛି ।