ଇମ୍ପେରିୟାଲ୍‌ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ

  • ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ
  • ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ ସଂପଦ – ଅମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ବସଷ୍ଟେଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗିର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬ ଷ୍ଟେଟ ଲେବେଲ ବଡି ବିଲଡିଂ ଏବଂ ଫିଟନେସ ଚମ୍ପିୟାନସିପ୍‌ ଉଦ୍‌ଘାଟନ ହୋଇଯାଇଛି । ଏହି ଚମ୍ପିୟାନସିପକୁ ବଲାଙ୍ଗିରର ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ସଭାରେ ଶ୍ରୀ ମିଶ୍ର କହିଥିଲେ ବଡିଂ ବିଲଡିଂ ଏବଂ ଫିଟନେସ ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳିମାନେ ବହୁତ ଶୃଙ୍ଖଳା ସହିତ ନିଜର ଶରୀର ଗଠନ କରିଥାନ୍ତି । ଅନେକ ତ୍ୟାଗ ଓ ଶୃଙ୍ଖଳା ହିଁ ଜଣେ ଖେଳାଳିକୁ ବଡି ବିଲଡିଂ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦାନ କରିଥାଏ । ଏପରି ଏକ ଖେଳ ପ୍ରତିଯୋଗିତାର ଆୟୋଜନ ପ୍ରତ୍ୟେକ ବର୍ଷ କଳିଙ୍ଗ ବଡି ବିଲଡିଂ ଏସୋସିଏସନର ବଲାଙ୍ଗିର ଜିଲ୍ଲା ଶାଖା ଆୟୋଜନ କରୁଥିବାରୁ ସେମାନେ ପ୍ରଶଂସାର ପାତ୍ର । ଏହି ପ୍ରତିଯୋଗିତା ଆଗାମୀ ଦିନରେ ଆହୁରି ସୁଦୂର ପ୍ରସାରିତ ହେଉ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଏହି ରାଜ୍ୟ ସ୍ତରୀୟ ଚମ୍ପିୟାନସିପରେ ୧୯ଟି ଜିଲ୍ଲାରୁ ୧୨୫ ଜଣ ଖେଳାଳି ଭାଗ ନେଇଛନ୍ତି । ପୁରୁଷ ବଡି ବିଲଡିଂରେ ୭ଟି ବିଭାଗ, ପୁରୁଷ ଫିଜିକରେ ୨ଟି ବିଭାଗ, ମାଷ୍ଟର କେଟାଗୋରିର ୪୦ ବର୍ଷ ବର୍ଗରେ ଗୋଟିଏ ବିଭାଗ ଏବଂ ମହିଳା ବିଭାଗରେ ପ୍ରତିଯୋଗିତାର ଆୟୋଜନ ହେବ । ଏହି ପ୍ରତିଯୋଗିତା ବିଭିନ୍ନ ଶରୀର ଓଜନ ବର୍ଗରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଯୋଗିତାର ସଫଳ ରୂପାୟନ କରିବା ପାଇଁ ଜାତୀୟ ସ୍ତର ବିଚାରକ ସନ୍ତୋଷ ମହାନ୍ତି, ଏମ୍‌.କେ.ସ୍ୱାଇଁ, ନିଶାନ୍ତ ବହିଦାର, ବାଳକୃଷ୍ଣ ବାଗ ଓ ଅମିତାବ ପରିଡା ମଂଚ ସମ୍ମୁଖରେ ସମସ୍ତ ବର୍ଗର ପ୍ରତିଯୋଗିତାର ବିଚାରକ ଭୂମିକା ତୁଳାଇବେ । ଉଦ୍‌ଘାଟନି ମଂଚରେ ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ରଙ୍କ ସହ ରାଜ୍ୟ ସଂପାଦକ କଳିଙ୍ଗ ବଡି ବିଲଡିଂର ରାଜ୍ୟ ସାଧାରଣ ସଂପାଦକ ସନ୍ତୋଷ ମହାନ୍ତି, ରାଜ୍ୟ ଉପ-ସଭାପତି ଏମ୍‌.କେ. ସ୍ୱାଇଁ, ଯୁଗ୍ମ ସଂପାଦକ ନିଶାନ୍ତ ବହିଦାର, ରାଜ୍ୟ ସଂଗଠନ ସଂପାଦକ ବାଳକୃଷ୍ଣ ବାଗ, ଗୋପାଳ କୃଷ୍ଣ ବାଗ, ସମ୍ବଲପୁର ଜିଲ୍ଲା ସଂପାଦକ ଅମିତାବ ପରିଡା, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର, ବଲାଙ୍ଗିର ଜିଲ୍ଲା ସଭାପତି ତନ୍ମୟ ପାଣିଗ୍ରାହୀ, ନୂଆପଡା ସଂପାଦକ ସୌରଭ ସାହୁ, ରାୟଗଡା ସଂପାଦକ ଦୀପୁ ମାଝି ଓ କେବିବିଏ ଅଧିକାରୀ ସଂଗ୍ରାମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.