କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ

  • ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି : ମାଧବ କୌଶିକ

କୋଲକାତା : କୋଲକାତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟରେ ଏକାଡେମୀ ତରଫରୁ ଆୟୋଜିତ ଦ୍ୱିଦିବସୀୟ ନିରେନ୍ଦ୍ରନାଥ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରିଥିଲେ ବିଶିଷ୍ଟ ବଙ୍ଗଳା ଲେଖକ ତଥା ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ । ସେ ନିରେନ୍ଦ୍ରନାଥଙ୍କ ସାହିତ୍ୟ, ବ୍ୟକ୍ତିତ୍ୱ, ଦୂରଦୃଷ୍ଟି ଏବଂ ଭାଷା ଜ୍ଞାନ ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଭାପତି ତଥା ପ୍ରଖ୍ୟାତ କବି ଡକ୍ଟର ମାଧବ କୌଶିକ ସଭାପତିତ୍ୱ କରିଥିବା ବେଳେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଡକ୍ଟର କୌଶିକ ନିଜ ଅଭିଭାଷଣରେ କହିଥିଲେ ଯେ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି । ଡକ୍ଟର ରାଓ ନିରେନ୍ଦ୍ରନାଥଙ୍କ ଜୀବନୀ ଓ କୃତିତ୍ୱ ସଂପର୍କରେ ଆଲୋକପାତ ଦେଇଥିଲେ । ପ୍ରାରମ୍ଭରେ ବିଶେଷ ସୂଚନା ପ୍ରଦାନ କରିଥିଲେ ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ପଶ୍ଚିମବଙ୍ଗର ଉଚ୍ଚଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ । ସେ ନିରେନ୍ଦ୍ରନାଥଙ୍କ ଲେଖାର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନା ଚକ୍ରରେ ମୂଳଭାଷଣ ପ୍ରଦାନ କରି ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ବିଶିଷ୍ଟ ଲେଖକ ଆଲାପନ ବନ୍‌ଦୋପାଧ୍ୟାୟ କହିଥିଲେ ଯେ, ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ବଙ୍ଗଳା ଭାଷାର ସମୃଦ୍ଧି ପାଇଁ ଅନେକ କାର୍ଯ୍ୟ କରିଥିଲେ । ସେ ବଙ୍ଗଳା ସାହିତ୍ୟକୁ ନୂତନ ଦିଗ ଦେଖାଇଥିଲେ । ଏହି ଅବସରରେ ଆଲାପନ ବନଦୋପାଧ୍ୟାୟଙ୍କ ଦ୍ୱାରା ଇଂରାଜୀ ଭାଷାରେ ରଚିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜୀବନୀ ଉନ୍ମୋଚିତ ହୋଇଥିଲା । ଉଦ୍‌ଘାଟନୀ ଅଧିବେଶନରେ ସଂଯୋଜନା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଅନ୍ୟ ଦୁଇଟି ଅଧିବେଶନରେ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କରିଥିଲେ ବାରିଦବରଣ ଘୋଷ, ଚିନ୍ମୟ ଗୁହା, ଶେଖର ବସୁ, ହର୍ଷ ଦତ୍ତ, ପ୍ରଚେତ ଗୁପ୍ତ ଏବଂ ପବିତ୍ର ସରକାର । ଆସନ୍ତାକାଲି ଦ୍ୱିତୀୟ ଦିବସରେ ନିରେନ୍ଦ୍ରନାଥଙ୍କ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବେ ରମେନ କୁମାର ସର, ସୋନାଲି ଚକ୍ରବର୍ତ୍ତୀ ବାନାର୍ଜୀ, ସୁମିତା ଚକ୍ରବର୍ତ୍ତୀ, ମଧୁଶ୍ରୀ ସେନ ସାନ୍ୟାଲ, ପ୍ରସୂନ ଘୋଷ, ସିଉଲି ସରକାର, ପିନାକେଶ ସରକାର, ତରୁଣ ମୁଖୋପାଧ୍ୟାୟ, କ୍ରିଷ୍ଣରୂପ ଚକ୍ରବର୍ତ୍ତୀ । ଉଦ୍‌ଯାପନୀ ବକ୍ତବ୍ୟ ପ୍ରଦାନ କରିବେ ଅଭିରୂପ ସରକାର । କାର୍ଯ୍ୟକ୍ରମ ଶେଷରେ ସାହିତ୍ୟ ଏକାଡେମୀ ଦ୍ୱାରା ନିର୍ମିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ସାହିତ୍ୟପ୍ରେମୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.