ଟାଉନ ହାଇସ୍କୁଲରେ ହକି ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

  • ରାଜ୍ୟ ସ୍ତରୀୟ ଖେଳାଳି ତିଆରି ପାଇଁ ହେବ ଉଦ୍ୟମ – ଅମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟି ଅନେକ ଖେଳାଳି ତିଆରି କରିଛି । ପ୍ରତ୍ୟେକ ଖେଳରେ ଏଠାକାର ଖେଳାଳି ବଲାଙ୍ଗିର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ବର୍ତ୍ତମାନ ଟାଉନ ବାଳକ ବିଦ୍ୟାଲୟରେ ହକି ଖେଳର ବିକାଶ ପାଇଁ ଅନୁଷ୍ଠିତ ହେଉଥିବା ଏହି ଶିବିର ଆଗାମୀ ଦିନରେ ନିଶ୍ଚିତ ଭାବରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଆମେ ନିଶ୍ଚିତ ଭାବରେ ଆଜିଠାରୁ ଉଦ୍ୟମ କରିବୁ ଯେପରି କି ବଲାଙ୍ଗିରରୁ ଆଗାମୀ ଦିନରେ ରାଜ୍ୟସ୍ତରୀୟ ହକି ଖେଳାଳି ତିଆରି ହୋଇପାରିବେ ବୋଲି ଆଜି ବଲାଙ୍ଗିର ସହର ସ୍ଥିତ ଟାଉନ ବାଳକ ବିଦ୍ୟାଳୟର ସ୍କୁଲ ସ୍ତରୀୟ ହକି ଶିବିର ଉଦ୍‌ଘାଟନ କରି ବଲାଙ୍ଗିର ତଥା ରାଜ୍ୟର ବରିଷ୍ଠ ଆଇନଜୀବୀ, ସ୍କୁଲର ପୃଷ୍ଠପୋଷକ ଅମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ କହିଛନ୍ତି ପୃଷ୍ଠପୋଷକ ଭାବରେ ଯେପରି ଏହି ସ୍କୁଲର କ୍ରୀଡା ସହିତ ପାଠ୍ୟଦାନ କାର୍ଯ୍ୟକ୍ରମ ଏବଂ ସ୍କୁଲର ଭିତ୍ତିଭୂମିରେ ବିକାଶ ହୋଇପାରିବ ସେ ସବୁବେଳେ ଚେଷ୍ଟିତ ଅଛନ୍ତି । କିଛି ଜିନିଷରେ ଆମେ ସଫଳ ହୋଇଛୁ । ଆଗାମୀ ଦିନ ପାଇଁ ଆହୁରି ଯୋଜନା ଅଛି । ଏଠାରେ ଛାତ୍ରମାନେ ମନଧ୍ୟାନ ଦେଇ ପାଠ ସହିତ ଖେଳ ଜାରି ରଖନ୍ତୁ ଆମେ ନିଶ୍ଚିତ ଭାବେ ସଫଳ ହେବା ବୋଲି ସେ କହିଥିଲେ । ହକି ଶିବିର ଉଦ୍‌ଘାଟନ ପୂର୍ବରୁ ଶ୍ରୀ ମିଶ୍ର ଖେଳ ପଡିଆ ପାଶ୍ୱର୍ରେ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କରିଥିଲେ । ହକି ଶିବିର ଉପଲକ୍ଷେ ଅନୁଷ୍ଠିତ ସଭାରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣା ଏଥେଲେଟ୍‌ ତଥା ରାଜ୍ୟ ହକି ସଂଘର ଉପ-ସଭାପତି ସୁଶ୍ରୀ ଆନନ୍ଦିନୀ ଦର୍ଜୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଖେଳରେ ଶୃଙ୍ଖଳା ହିଁ ବିଜୟୀ କରିଥାଏ ବୋଲି କହିଥିଲେ, ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ପୂର୍ବତନ ଶିକ୍ଷକ ତ୍ରିଲୋଚନ ମହାପାତ୍ର, ଜିଲ୍ଲା ହକି ସଂଘ ସଂପାଦକ ପ୍ରଫୁଲ୍ଲ ବେହେରା, କୋଚ ଅଜମ୍ବର ରାଜପଲିଆ ପ୍ରମୁଖ ନିଜ ବକ୍ତବ୍ୟରେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ତଥା କାର୍ଯ୍ୟକ୍ରମରେ ସହାୟତ କରିଥିଲେ ସ୍କୁଲ କ୍ରୀଡା ଶିକ୍ଷକ ବିକାଶ ରଂଜନ ଦାଶ ଏବଂ କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସଂଜିବ ଯୋଷୀ ଧନ୍ୟବାଦ ଦେଇ ସଭା ସମାପନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀଙ୍କ ସହ ଜୁଲୁ ପଟ୍ଟନାୟକ, ଜୟନାରାୟଣ ବହିଦାର, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.