ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା-ବାରାଣସୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା, ବାରାଣାସୀକୁ ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଡ. ବିଜୟନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମସ୍ତ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀ ମାନଙ୍କୁ ଫୁଲମାଳ ପିନ୍ଧାଇ ଶୁଭକାମନା ଜଣାଇବା ସହ ସବୁଜ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଥିଲେ । ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମାନୁସାରେ କରାଯାଇଥିଲା । ଉକ୍ତ ବସ ଗୁଡିକ ସମ୍ବଲପୁର ରେଳ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ତୀର୍ଥଯାତ୍ରୀମାନେ ଆଜି ସମ୍ବଲପୁରରେ ରାତ୍ରୀ ଯାପନ କରି ଆସନ୍ତାକାଲି ସ୍ଵତନ୍ତ୍ର ଟ୍ରେନରେ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏହି ତୀର୍ଥଯାତ୍ରାରେ ଏସ୍କର୍ଟ ଅଫିସର ଭାବେ ନୀଳାଚଳ ଦୀପ, ସୁବଳ ଖାର୍ସେଲ, ଚିତ୍ତରଞ୍ଜନ ସାହୁ ଏବଂ ତରୁଣକାନ୍ତି ପଧାନ ତୀର୍ଥଯାତ୍ରା କାର୍ଯ୍ୟ ସମ୍ପାଦନ ନିମନ୍ତେ ନିଯୁକ୍ତ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ଏବଂ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.