jayashree

ବାଇକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀ : ଖଟଖଟିଆ ଠାରେ ୫ଘଣ୍ଟା ରାସ୍ତା ଅବରୋଧ, ଯାନବାହନ ଚଳାଚଳ ଠପ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବୁକ ମନମୁଣ୍ଡା ଥାନା ଅନ୍ତର୍ଗତ ସିରପୁର ଗାଁ ମୁଣ୍ଡରେ ଶନିବାର ହୋଇଥିବା ଏକ ବାଇକ ଦୁର୍ଘଟଣାରେ ଗୁରୁତର ଆମ୍ବଗହଣା ଗାଁର ସତ୍ୟନାରାୟଣ ବାଘ (୪୮) ଙ୍କ ସୋନପୁର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ଆମ୍ବଗହଣା ଗ୍ରାମବାସୀ ମନମୁଣ୍ଡା – କସଟଳମାଗ ୪୧ ନମ୍ବର ରାଜ୍ୟ ରାଜପଥର ଖଟଖଟିଆ ଛକରେ ରାସ୍ତା ଉପରେ ଶବ ରଖି ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ମନମୁଣ୍ଡା ପୁଲିସ ଓ କଣ୍ଟାମାଳ ବିଡିଓ ସୁଶ୍ରୀ ବନ୍ଦନା ଖଟୁଆ ଘଟଣା ସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ପ୍ରଶାସନ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିବା ସହ ଯାନ ବାହନ ଚଳାଚଳ ସ୍ବାଭାବିକ ହୋଇଥିଲା । ସୂଚନା ମତେ କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଆମ୍ବଗହଣା ଗ୍ରାମର ସତ୍ୟନାରାୟଣ ବାଘ ଶନିବାର ରାତି ପ୍ରାୟ ୮ଟା ସମୟରେ ଖଟଖଟିଆରୁ ନିଜ ଗାଁ ଆମ୍ବଗହଣାଙ୍କୁ ବାଇକ ଯୋଗେ ଯାଉଥିଲେ । ଯିବା ସମୟରେ ସିନ୍ଦୁରପୁର ଗାଁମୁଣ୍ଡରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ସତ୍ୟନାରାୟଣକୁ ସ୍ଥାନୀୟ ଲୋକେ ତୁରନ୍ତ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଆଜି ମନମୁଣ୍ଡାରେ ଶବ ବ୍ୟବଚ୍ଛେଦ ହୋଇଥିଲା । ପରେ ଖଟଖଟିଆ ଛକଠାରେ ପୂର୍ବାହ୍ନ ପ୍ରାୟ ୧୨ଟାରେ ସ୍ଥାନୀୟ ଗାଁ ଲୋକେ ରାସ୍ତାରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ସମୟ ଧରି ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ ହୋଇଯାଇଥିଲା । ଦୀର୍ଘ ୪ଘଣ୍ଟା ସମୟଧରି ଘଟଣାସ୍ଥଳରେ ପ୍ରଶାସନ ବା ପୁଲିସ ପହଞ୍ଚି ନଥିବା ବେଳେ ସଂଧ୍ୟା ୫ଟାରେ ମନମୁଣ୍ଡା ପୁଲିସ ଓ କଣ୍ଟାମାଳ ବିଡିଓ ସୁଶ୍ରୀ ବନ୍ଦନା ଖଟୁଆ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ସହ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

Leave A Reply

Your email address will not be published.