ଅପରାଧୀ ହୁସିଆର୍‌, ତେଜିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅବାଧ ଭାବରେ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ । ଏନେଇ ସରକାରୀ ସ୍ଥାନରେ ଗଢି ଉଠିଥିବା ବିଭିନ୍ନ ଦୋକାନ ଯେଉଁଠି ଅପରାଧୀମାନେ ବସି ବିଭିନ୍ନ ଘଟଣା ଘଟାଇବାକୁ ଷଡଯନ୍ତ୍ର କରୁଥିଲେ ସେଗୁଡିକୁ ଭାଙ୍ଗି ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି କ୍ରମରେ ଗତକାଲି ଦୁଇଟି ସ୍ଥାନରେ ଉଚ୍ଛେଦ କରାଯାଇଛି । ବଲାଙ୍ଗିର ତହସିଲଦାରଙ୍କ ନେତୃତ୍ୱରେ ପେଲେସ ଲାଇନଠାରେ ନିଗମ ନାଏକଙ୍କ ଦୋକାନ ଓ ଆର୍‌ଟିଓ ଛକଠାରେ ଥିବା ଶ୍ରୀପତୀ ସିଂଙ୍କ ଦୋକାନକୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ଏହି ସ୍ଥାନରେ ବସି ବିଭିନ୍ନ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ଅପରାଧୀ । ଆକ୍ରମଣ, ହତ୍ୟାକାଣ୍ଡଗୁଡିକରେ ବ୍ୟବହାର କରାଯାଉଥିବା ମାରଣାସ୍ତ୍ର ମଧ୍ୟ ଏହି ସ୍ଥାନରୁ ନେଉଥିଲେ । ଏ ସର୍ମ୍ପକରେ ଜିଲ୍ଲା ପୁଲିସ ତରଫରୁ ଜିଲ୍ଲା ପ୍ରଶାସନକୁ ଏକ ଚିଠି କରାଯାଇ ଉକ୍ତ ସ୍ଥାନରୁ ଜବରଦଖଲ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଦୋକାନ ଭଙ୍ଗାଯାଇଥିବା ବେଳେ ଆହୁରି ଅପରାଧୀଙ୍କ ଆଡ୍ଡା ଭଙ୍ଗାଯିବ ବୋଲି ସୂଚନା ମିଳିଛି । ଏହି ଉଚ୍ଛେଦ ସମୟରେ ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ପୁଲିସ ଫୋର୍ସ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.