ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକ ଜଗତର ଗଞ୍ଜାମର ଆଉ ଜଣେ ତାରକା ଅଦୃଶ୍ୟ ହୋଇଗଲା ବୋଲି କୁହାଯାଉଛି । ଓଡ଼ିଶାର ସ୍ୱନାମଧନ୍ୟ ତଥା ଗଞ୍ଜାମ ଜିଲ୍ଲାରୁ ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଜ୍ୟୋତିଷ ବିଶାରଦ, ଗଣକ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ନାତି ତଥା ଖଲ୍ଲିକୋଟ ନିବାସୀ ଡ଼ଃ.ତାରାପ୍ରସାଦ ମହାପାତ୍ରଙ୍କ ପୁଅ ବରିଷ୍ଠ ସାମ୍ବାଦିକ ଡ଼ଃ. ଜଗନ୍ ମୋହନ ମହାପାତ୍ରଙ୍କର ଆଜି ମଧ୍ୟାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି । ଡ଼ଃ.ମହାପାତ୍ର ଦୈନିକ ଖବରକାଗଜ ‘ସକାଳ’ର ବ୍ରହ୍ମପୁର ସଂସ୍କରଣର ସମ୍ପାଦନା କରି ଆସୁଥିଲେ । ଆଜି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୫୮ବର୍ଷ ବୟସ ହୋଇଥିଲା । ତାଙ୍କର ଗୋଟିଏ ଝିଅ ଓ ପତ୍ନୀ ଅଛନ୍ତି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଥିଲେ । ଲାଇଫ ସାଇନ୍ସ, ଏମ୍.ଏସ୍ସି., ଏମ୍.ଜେ.ଏମ୍.ସି ଏବଂ ସାମ୍ବାଦିକତା ପାଠ୍ୟକ୍ରମରେ ପିଏଚଡ଼ି ଡିଗ୍ରୀ ହାସଲ କରି ଗଞ୍ଜାମ ଜିଲ୍ଲାର ଜଣେ ସୁନାମଧନ୍ୟ ତଥା ପ୍ରତିଷ୍ଠିତ ସାମ୍ବାଦିକ ଭାବେ ଦକ୍ଷତା ଅର୍ଜନ କରିଥିଲେ । ତାହାଙ୍କ ଵିୟୋଗରେ ଛତ୍ରପୁରର ବରିଷ୍ଠ ଆଇନଜୀବୀ, ସାହିତ୍ୟିକ ତଥା ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜମୋହନ ଆଚାର୍ୟ୍ୟ ଗଭୀର ମର୍ମାହତ ହୋଇ ଅଶ୍ର୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ବ୍ୟକ୍ତ କରିଛନ୍ତି । ବ୍ରହ୍ମପୁରର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟ ସଂଗଠନ ଓ ଖବରକାଗଜ ପ୍ରତିଷ୍ଠାନ ଏବଂ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।