
ମାଲକାନଗିରି : ଭାଗ ପୋଖରୀରୁ ମାଛ ଚୋରି । ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ମହୁପଦର ଗ୍ରାମର ଲକ୍ଷ୍ମୀ କଲାର (୨୩ ବର୍ଷ) ଓ ଅନ୍ୟଜଣେ ବ୍ୟକ୍ତି ପୋଖରୀରେ ମାଛ ଚାଷ କରିଥିଲେ । ସେହି ଗ୍ରାମର ଜଣେ ବ୍ୟକ୍ତି ପୋଖରୀରୁ ମାଛ ଚୋରି କରିଥିବାର ଜାଣି ଲକ୍ଷ୍ମୀ ଶୁକ୍ରବାର ରାତିରେ ତାଙ୍କ ନିକଟକୁ ଯାଇ ଟଙ୍କା ମାଗିଥିଲେ । ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ନଦେଇ ଓଲଟା ଗାଳି ଗୁଲଜ କରିଥିଲେ । ଏହାପରେ ଲକ୍ଷ୍ମୀ ରାତିରେ ନିଜ ଘରକୁ ଫେରି ଆସିଥିଲେ । ଶନିବାର ସକାଳେ ଘରେ ଲକ୍ଷ୍ମୀ ଲୁଗା ଶୁଖାଉଥିବା ସମୟରେ ହଠାତ ଉକ୍ତ ବ୍ୟକ୍ତି ଆସି ଲକ୍ଷ୍ମୀର ମୁଣ୍ଡକୁ ଟଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଲକ୍ଷ୍ମୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ଲକ୍ଷ୍ମୀଙ୍କ ଭଉଣୀ ଗ୍ରାମବାସୀଙ୍କୁ ଡାକି ତାଙ୍କୁ ମାଥିଲି ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ । ମାଥିଲି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।