ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କୋଶଳ କଳାମଣ୍ଡଳ ଠାରେ ବଲାଙ୍ଗିରରୁ ପ୍ରକାଶ ପାଉଥିବା ପାକ୍ଷିକ ତକ୍ଷକର ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସମ୍ପାଦକ ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ମୁଖ୍ୟବକ୍ତା ଭାବେ ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭକାର ହେମନ୍ତ ପଣ୍ଡା, ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ ମେହେର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ସ୍ଥାନୀୟ ସମସ୍ୟା ପ୍ରଶାସନ ପାଖରେ ପହଂଚିବା ଜରୁରୀ ବୋଲି କହିବା ସହ ସମସ୍ୟାକୁ ଉପଯୁକ୍ତ ସ୍ଥାନରେ ଉପସ୍ଥାପିତ କରିବାକୁ ସ୍ଥାନୀୟ ସମ୍ବାଦପତ୍ର ହିଁ ଉପଯୁକ୍ତ ମାଧ୍ୟମ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ବୈଚାରିକ ସିଦ୍ଧାନ୍ତ ସାମାଜିକ ବିକାଶର ମୂଳଭିତ୍ତି ବୋଲି କହିବା ସହ ସ୍ଥାନୀୟତା ଭିତ୍ତିରେ ଅଂଚଳର ବିଚାରବୋଧ ସ୍ଥାନୀୟ ସମ୍ବାଦପତ୍ର ହିଁ ଉପସ୍ଥାପନ କରିଥାଏ । ସମ୍ମାନୀତ ଅତିଥି ଶ୍ରୀ ମେହେର ନିଜ ଅନୁଭୁତିରୁ ଖବରକାଗଜ ପ୍ରକାଶନର ବିଭିନ୍ନ ସମସ୍ୟା ଓ ସମ୍ବାଦପତ୍ରର ସମାଜିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ପାଦକ ବିଶ୍ୱମୟ ପୂଝାରୀ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଗୋବର୍ଦ୍ଧନ ଭୋଇ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ହିମାଂଶୁ ଖମାରୀ । ଶେଷରେ ଧନ୍ୟବାଦ ଦେଇଥିଲେ ରଘୁ ନନ୍ଦନ ସିଂ । କାର୍ଯ୍ୟକ୍ରମର ପ୍ରାରମ୍ଭରୁ ଲିଲି ପଟେଲ, ଅର୍ଜୁନ ସାହୁ, ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ଶତାଧିକ କବି ଯୋଗ ଦେଇଥିଲେ । ଅତିଥି ଭାବେ କପିଳେଶ୍ୱର ଖମାରୀ ଓ ସଙ୍ଗୀତା ପଣ୍ଡା ଷଡଙ୍ଗୀ ମଞ୍ଚାସୀନ ଥିଲେ । ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ଓ ସାଥୀଙ୍କ ଦ୍ୱାରା ବ୍ୟଙ୍ଗ କବିତା ଆସର ଆୟୋଜିତ ହୋଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Next Post