ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜନୈକା ସହକାରୀ ଶିକ୍ଷୟିତ୍ରୀ ଗତ ୨୧ ତାରିଖ ଶନିବାର ଠାରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଶିକ୍ଷୟିତ୍ରୀଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହ ଅଞ୍ଚଳରେ । ସେ ୨୦୨୩ ମସିହାରୁ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଏବଂ ତେନ୍ତୁଳିଖୁଣ୍ଟି ଗ୍ରାମରେ ଭଡ଼ାଘର ନେଇ ନିଜ ଝିଅ ସହ ରହୁଥିଲେ । ତାଙ୍କ ସ୍ୱାମୀ ସେନାବାହିନୀରେ କାର୍ଯ୍ୟରତ ଥିବାରୁ ଛୁଟିରେ ଉକ୍ତ ଗ୍ରାମକୁ ଆସିଥିଲେ । ତେବେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶିକ୍ଷୟିତ୍ରୀ ଜଣକ ଶିଶୁକନ୍ୟାକୁ ଛାଡ଼ି ସ୍କୁଲକୁ ଯାଉଥିବା କହି ଆଉ ଘରକୁ ଫେରି ନ ଥିଲେ । ସେହିଦିନ ଠାରୁ ସେ ନିଖୋଜ ରହିଥିବାବେଳେ ସେହି ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ମଧ୍ୟ ବିନା ଛୁଟିରେ ଅନୁପସ୍ଥିତ ଥିବା ଜଣାପଡିଛି । ଫଳରେ ଅନୈତିକ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ ଦୃଢୀଭୁତ ହୋଇଛି । ଏ ନେଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଲୋଇସିଂହା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ ଚଲାଇଥିବା ଜଣାଯାଇଛି । ନିଖୋଜ ଶିକ୍ଷକ ଶିକ୍ଷୟିତ୍ରୀ ବାହାର ରାଜ୍ୟରେ ଆତ୍ମଗୋପନ କରିଥିବା ମୋବାଇଲ ଟ୍ରାକିଂରୁ ପୋଲିସ ଜାଣିବାକୁ ପାଇଥିବା ବେଳେ ବର୍ତ୍ତମାନ ସେମାନେ ବ୍ୟବହାର କରୁଥିବା ମୋବାଇଲ ସୁଇଚ ଅଫ୍ ଥିବା ଆଇଆଇସି ସିପୋରା ସରାୟ ଲୁଗୁନ ସୂଚନା ଦେଇଛନ୍ତି । ଶିଶୁକନ୍ୟାକୁ ନେଇ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ନିଜ ପୈତୃକ ଗ୍ରାମକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।