ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଆନୁକୂଲ୍ୟରେ ନିଗମ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ତେତୃତ୍ଵରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କୀର୍ତ୍ତି ଭାସନ୍, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ଏବଂ ଆଶୁତୋଷ ସାମଲ ସମ୍ମାନିତ ଅତିଥି ରୁପେ ଯୋଗଦାନ କରିଥିଲେ । ପ୍ରଥମେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଥିଲା । ସ୍ୱାୟତ୍ତ ଶାସନ ଦିବସ ଅବସରରେ ମହାନଗର ନିଗମ ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟରେ ଥିବା ସ୍ଥାନୀୟ ଦୟାଳୁ ନେସ୍ ହବ ବା ବସ୍ତ୍ରା ଉପାହାର କାର୍ଯ୍ୟକ୍ରମର ଉଦ୍ଘାଟନ ସ୍ଥାନୀୟ ଆଇନାବନ୍ଧ ସାହି ସ୍ଥିତ ସୌନ୍ଦର୍ଯ୍ୟ କରଣର ମୂଳଦୁଆ ପୂଜନ କାର୍ଯ୍ୟକ୍ରମ, ଟାଉନ ହଲରେ ଇ-ଲାଇବ୍ରେରୀର ଶୁଭ ଉଦ୍ଘାଟନ କାର୍ଯ୍ୟ ଆରମ୍ଭ ଏବଂ ସ୍ଥାନୀୟ ଟାଉନ ହଲ୍ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ଵାରା ୫ ଜଣ(ବରିଷ୍ଟ ନାଗରିକ) ଓଲ୍ଡ ଏଜ୍ ପେନସନ ଯୋଜନା ଧାରୀ, ୪ ଜଣ ପି.ମେ ଓ ୫ ଜଣ ଏମ୍ଏସ୍ ଏସ୍ଏଚ୍ଜୀଙ୍କ ସମେତ ୫ ଜଣ ସନିଟେସନ କର୍ମଚାରୀ, ୩ ଜଣ ସିଓ ଏବଂ ଏନ୍ୟୁଏଲ୍ଏମ୍ ସେକ୍ସନ୍ କର୍ମଚାରୀ, ୩ଜଣ ପି. ଡବ୍ଲୁ କର୍ମଚାରୀ, ୨ଜଣ ରାଜସ୍ୱ ବିଭାଗ କର୍ମଚାରୀ, ଜଣେ ଏନ୍ଫୋର୍ଷମେଣ୍ଟ କର୍ମଚାରୀ, ୨ଜଣ ଡିଇଓଏସ୍ କର୍ମଚାରୀ ଏବଂ ଜଣେ ପିଅନଙ୍କ ସମେତ ୭ଟି ସାମାଜିକ ସେବା ସଙ୍ଗଠନ ସଂସ୍ଥା ଗୁଡ଼ିକୁ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ, ଯେଉଁମାନେ କୋରନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ସହଯୋଗ କରିଥିଲେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ସହ ସହରରେ ଥିବା ନିରୀହ ଗାଈ ଗୋରୁ ଏବଂ ପଶୁ ସୁରକ୍ଷା ଓ ନିରାପତ୍ତା ପାଇଁ ଅହରହ ପରିଶ୍ରମ ପ୍ରୟାସ କରୁଥିବା ପଶୁ ପ୍ରେମୀ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ସ୍ଵତନ୍ତ୍ର ଭାବେ ମାନପତ୍ର ଉପଢୌକନ ସହ ସମ୍ବର୍ଦ୍ଧନା ଜଣାଇଥିଲେ । ଏବଂ ସନ୍ଧ୍ୟାରେ ଅତିଥି ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଇଂଜିନିୟର ସ୍କୁଲ ଛକ ନିକଟରେ ଓଡ଼ିଶା ମାନଚିତ୍ରର ଏକ ଆକୃତି ପ୍ରତିମାକୁ ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ମହାନଗର ନିଗମର ସମସ୍ତ କର୍ମଚାରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।