ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କର କାର୍ଯ୍ୟାବଳୀ ଏକକ ବିଶ୍ୱ ବିଦ୍ୟାଳୟ ତୁଲ୍ୟ

  • କୋସଲୀ ଗିତାର ଲୋକାର୍ପଣ କୋସଲ ସାହିତ୍ୟର ସମୃଦ୍ଧ ପରିଚୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜନଜୀବନର ସଂରକ୍ଷଣ, ସମ୍ବର୍ଦ୍ଧନ ପାଇଁ ତାଙ୍କର ତମାମ ଜୀବନ ଥିଲା ସମର୍ପିତ । କୋସଲୀ ଭାଷା ସାହିତ୍ୟ, ଲୋକ ସଂସ୍କୃତି ତଥା ପରମ୍ପରାର ସଂଗ୍ରାହକ ଭାବରେ ସେ ଥିଲେ ଅନନ୍ୟ । ଆଧୁନିକତାର ପ୍ରଭାବରେ ହଜି ଯାଉଥିବା ଆମ ଅଞ୍ଚଳର ପ୍ରାଚୀନ କୀର୍ତ୍ତିରାଜି, ବିଭିନ୍ନ ବ୍ୟବହୃତ ଜିନିଷ ସଂଗ୍ରହ କରି ତାର ଏକ ମ୍ୟୁଜିୟମ୍‌ ପ୍ରତିଷ୍ଠା କରିଥିଲେ ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀ । ଲୋକ ସାହିତ୍ୟର ସଂଗ୍ରହ, ସଂପାଦନା ଓ ପ୍ରକାଶନ ଥିଲା ତାଙ୍କର ନିଶା । ତାଙ୍କର ଅବର୍ତ୍ତମାନ ହେବା କୋସଲୀ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ଆଗାମୀ ପିଢି ସଚେତନ ଭାବରେ ତାଙ୍କର ମ୍ୟୁଜିୟମ୍‌କୁ ସଂରକ୍ଷଣ କରି ରଖି ପାରିଲେ, ପ୍ରସ୍ତାବିତ କୋଶଳେଶ୍ୱରୀ ମନ୍ଦିର ତିଆରି କରାଯାଇ ପାରିଲେ ଓ ସଂଗୃହିତ ବିଷୟର ପ୍ରକାଶନ ହେଲେ ଆଗାମୀ ପାଇଁ ତାହା ହେବ ଏକ ମହାର୍ଘ ସଂପଦ ବୋଲି ମତ ଦେଇଛନ୍ତି ବହୁ ଜ୍ଞାନୀ, ଗୁଣୀ ଜନ । ବଲାଙ୍ଗିରର ବିଶିଷ୍ଟ ସାରସ୍ୱତ ସାଧକ, ସଂସ୍କୃତି ଗବେଷକ, ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀଙ୍କର ଗଙ୍ଗା ଶ୍ରାଦ୍ଧ ଅବସରରେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ ଗୀତାର କୋସଲୀ ଅନୁବାଦ ‘କୋସଲୀ ଗିତା’ର ଲୋକାର୍ପଣ ଅବସରରେ ମୀନା ଟେଣ୍ଟ ହାଉସ୍‌ ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ଏପରି ମତ ଦେଇଛନ୍ତି ସମସ୍ତେ । ସ୍ରୋତସ୍ୱତୀ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି କୋସଲୀ ଗୀତା ଲୋକାର୍ପଣ ସମାରୋହ ସନ୍ଦୀପ କୁମାର କୁଅଁରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା, ପଦ୍ମଶ୍ରୀ ହଳଧର ନାଗ, ନାଟ୍ୟକାର ନିର୍ଦ୍ଦେଶକ ଅଧ୍ୟାପକ କେଶରଂଜନ ପ୍ରଧାନ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ମଂଚାସୀନ ହୋଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ‘କୋସଲୀ ଗିତା’କୁ ଲୋକାର୍ପିତ କରାଯାଇଥିଲା । ଲୋକାର୍ପଣ ଅବସରରେ ସ୍ୱର୍ଗତ ନିମାଇଁ ଚରଣଙ୍କ ୪ ଝିଅ ସାଗରିକା, ନିହାରିକା, ଅନାମିକା, ସ୍ଵାଗତିକା ମଞ୍ଚରେ ଉପସ୍ଥିତ ଥିଲେ । ପରେ ପରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅଧ୍ୟାପକ ବିନୟ କୁମାର ଦାଶ, କୃଷ୍ଣଚନ୍ଦ୍ର ବାରିକ, କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀର ସଂପାଦକ ଗୋରେଖନାଥ ସାହୁ, ହେମନ୍ତ ଦୀପ ବରଗଡ, ଟିକେଲାଲ ବେହେରା ଟିଟିଲାଗଡ, ଡକ୍ଟର ଦୋଳଗୋବିନ୍ଦ ବିଶି, ଟିଟିଲାଗଡ, ଅଧ୍ୟାପକ ସୁଶାନ୍ତ ମିଶ୍ର, ଘେଁସ, ସୁରେନ୍ଦ୍ର ଦାଶ, ବ୍ରଜମୋହନ ଦାନୀ ସୋନପୁର, ମନୋରଂଜନ ସାହୁ, (ମନ ମାଷ୍ଟ୍ରେ), ବରଗଡ, ଲାଲଚନ ବଗର୍ତ୍ତୀ, ବିଜୟା କୋସଲୀର ସଂପାଦକ ସୁରଜିତ ସିଂ ମହାରଥା, ନୂଆପଡା,ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ଶଶିଭୂଷଣ ପୁରୋହିତ, ଡକ୍ଟର ଘାସିରାମ ମିଶ୍ର , ନାମଯଜ୍ଞ ମିଶ୍ର କବୟତ୍ରୀ ସବିତା ମହରା, ଅଧ୍ୟାପକ ଦୀଲ୍ଲୀପ ପଶାୟତ କବି ଆନନ୍ଦ ଚନ୍ଦ୍ର ସାହୁ, ସୁଶାନ୍ତ ବାଗ ପ୍ରମୁଖ ସ୍ୱର୍ଗତ ପାଣିଗ୍ରାହୀଙ୍କ କର୍ମମୟ ଜୀବନର କାର୍ଯ୍ୟକୁ ଏକକ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ସହ ତୁଳନା କରି ତାଙ୍କର ଅଧା ରହିଥିବା କାମକୁ ପୁରା କରିବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଅପ୍ରକାଶିତ ପାଣ୍ଡୁଲିପିର ମୁଦ୍ରଣ ପାଇଁ ଚେଷ୍ଟା ଜାରି ରହିବ ବୋଲି ସ୍ରୋତସ୍ୱତୀ ପ୍ରକାଶନୀ ତରଫରୁ କୁହାଯାଇଥିବା ବେଳେ ନିମାଇଁଙ୍କ ବଡଭାଇ କହ୍ନାଇ ଚରଣ ପାଣିଗ୍ରାହୀଙ୍କ ଧନ୍ୟବାଦ ଓ କୃତଜ୍ଞତା ପରେ ସ୍ମୃତିସଭା ଶେଷ ହୋଇଥିଲା । ସ୍ମୃତି ସଭାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ରମାଇ ଚରଣ ପାଣିଗ୍ରାହୀ, ଧନମତ ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ କୁମାର ମିଶ୍ର, ସ୍ୱାଗତ ମିଶ୍ର, ରାମରାଜ ପଣ୍ଡା, ଅନୁପମ ମିଶ୍ର, ଆଲୋକ ଦାଶ ପ୍ରମୁଖ ସ୍ମୃତିଚାରଣ ସଭା ଓ ଗଙ୍ଗା ଶ୍ରାଦ୍ଧରେ ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳରୁ ବହୁ କବି ଲେଖକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.