କଂଟାବାଂଜି ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଓ ନୂତନ ଛାତ୍ରୀଙ୍କ ସ୍ୱାଗତ ସମାରୋହ ସଭା

  • ମହିଳାମାନଙ୍କୁ ଉଚ୍ଚ ଶିକ୍ଷିତା କରି ଗଢି ତୋଲିବା ସ୍ୱପ୍ନ ସାକାର ହୋଇଛି : ବିଧାୟକ ସାଲୁଜା
  • ଓଡିଶାର ଦ୍ୱିତୀୟ ବାଣିଜ୍ୟ ପ୍ରତିଷ୍ଠା ହୋଇଥିବା ଓ ପ୍ରଥମ ଡ୍ରେସ କଲେଜ ଥିବା କଲେଜ

କଂଟାବାଂଜି, (ଗୁରୁଦୟାଲ ହଂସ) : ବାଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଦିବସ ଓ ପ୍ରଥମ ବର୍ଷର କଳା ଓ ବାଣିଜ୍ୟ ଛାତ୍ରୀମାନଙ୍କ ସ୍ୱାଗତ ସମାରୋହ ଶୁକ୍ରବାର ଦିନ ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରତିଷ୍ଠା ହେବାର ଅନେକ ସ୍ୱପ୍ନ ସାକାର ହୋଇଥିବା ପୂର୍ବତନ ପରିଚାଳନା କମିଟିର ସଭାପତି ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ସଭ୍ୟ/ସଭ୍ୟା ନିଜ ନିଜର ମତ ଦେଇଥଲେ । ସେହିପରି ଏହି ସ୍କୁଲରେ ପଢିଥିବା ଛାତ୍ରୀମାନେ ଆଜି କଂଟାବାଂଜିର ଗୌରବ ରଖି ଯେଉଁ ଶୀର୍ଷ ସ୍ଥାନରେ ପହଂଚିଛନ୍ତି ସେମାନେ ଅନ୍ୟ ପରିବାରରେ ଆଜି ଆମ୍ବାସାଡାର ଭଳି ଦାୟୀତ୍ୱ ତୁଲାଉଛନ୍ତି ବୋଲି କହିଛନ୍ତି ।

ଆଜିକି ଠିକ୍‌ ୩୦ବର୍ଷ ତଳେ ବର୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜା କଂଟାବାଂଜିର ନଗରପାଳ ଥିବା ବେଳେ ଏକ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିବାର ପରିକଳ୍ପନା କରିଥିଲେ । ଯାହା ୧୯୯୩ ମସିହା ଅଗଷ୍ଟ ୫ ତାରୀଖ ଦିନ ପ୍ରତିଷ୍ଠା ହୋଇଥିଲା । ଏହି ସମୟରେ କଂଟାବାଂଜି ସହରର ଏବଂ ଆଖପାଖ ଅଂଚଳର ଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଥିଲେ । ଏହି ବିଦ୍ୟାଳୟ ପ୍ରତିଷ୍ଠା ହେଲା ପରେ ଶହ ଶହ ଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇବା ସହିତ ପ୍ରଥମ କରି ବିଦ୍ୟାଳୟର ଛାତ୍ରୀ ଶାରଳା ଜୈନ ଯୁକ୍ତ ଦୁଇ କଳାରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ ସ୍କୁଲର ଗୌରବ ଆଣିବା ପରେ ବିଦ୍ୟାଳୟର ସୁନାମ ଦିନକୁ ଦିନ ବୃଦ୍ଧି ପାଇଥିଲା । ଏହା ପରେ ସେହି ବିଦ୍ୟାଳୟର ଛାତ୍ରୀ ଶାରିକା ଜୈନ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ଆଜି ମୁମ୍ବାଇ ଭଳି ସହରରେ ଜଣେ ଆୟକର ବିଭାଗର କମିଶନର ଦାୟିତ୍ୱ ତୁଲାଉଛନ୍ତି । ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନେ ଆଜି ସୁରକ୍ଷିତ କାରଣ ଓଡିଶାରେ କଲେଜ ପଢୁଆ ଛାତ୍ରୀ ଛାତ୍ରମାନଙ୍କ ଶିକ୍ଷାଦାନରେ ଡ୍ରେସ କୋର୍ଡ ନ ଥିବା ବେଳେ କଂଟାବାଜି ମହିଳା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ପ୍ରଥମ କରି ଡ୍ରେସ କୋର୍ଡ ଲାଗିଥିଲା ଯାହା ଆଜି ପ୍ରତ୍ୟେକ ମହାବିଦ୍ୟାଳୟରେ ସରକାର ଲାଗୁ କରିଛନ୍ତି । ସେହିପରି ମହିଳାମାନଙ୍କୁ ୩୦ବର୍ଷ ତଳେ ବିଧାୟକ ସାଲୁଜା ଯେଉଁ ପରିକଳ୍ପନା କରିଥିଲେ ତାହା ଓଡିଶା ସରକାର ଆଜି ଲାଗୁ କରିଥିବାରୁ ବିଧାୟକଙ୍କ ଦୂର ଦୃଷ୍ଟିକୁ ମଂଚାସୀନ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ସଭାରେ ପ୍ରତିଷ୍ଠା କମିଟିର ସଂପାଦକ ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା କଲେଜ ପ୍ରତିଷ୍ଠାର ଉଦ୍ଦେଶ୍ୟ ସହିତ କାର୍ଯ୍ୟରତ ଅଧ୍ୟାପିକା, ଅଧ୍ୟାପକ ତଥା କର୍ମଚାରୀଙ୍କ ନିଷ୍ଠା ଏବଂ କର୍ମଠକୁ ଧନ୍ୟବାଦ ଦେଇ ତାଙ୍କ ପ୍ରଚେଷ୍ଟାରେ କଂଟାବାଂଜିର ଶତାଧିକ ଯୁବତୀ ଆଜି ଦେଶର ସର୍ବୋଚ୍ଚ ସ୍ଥାନରେ ପହଂଚିଥିବା ବେଳେ ଅନେକ ସି.ଏ., ଅଧ୍ୟାପିକା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଚାକିରିରେ ନିୟୋଜିତ ହୋଇଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠା କମିଟି ସଭ୍ୟ ସମିମ ଅହମ୍ମଦ ଖାନ, ଦୁଃଖୀଶ୍ୟାମ ରାଏ, ପୂର୍ବତନ ଉପନଗରପାଳ ଘନଶ୍ୟାମ ଗୁପ୍ତା, ମହିଳା ସଦସ୍ୟା ଭାରତୀ ଦେବୀ ଶର୍ମା ମଂଚାସୀନ ଥିବା ବେଳେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପରୋହିତ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷା ରଂଜିତା ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଟା ଦିବସ ଏବଂ ନୂତନ ଛାତ୍ରୀଙ୍କୁ ସ୍ୱାଗତ ସଭାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଅଧ୍ୟାପକ ବଳରାଜ ସିଂଦେଓ ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି ଅଧ୍ୟାପକ ଭାସ୍କର ଚନ୍ଦ୍ର ମେହେର ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ପଣ୍ଡା, ଡ. ମିଲି କର ଛାତ୍ରୀମାନଙ୍କ ଶିକ୍ଷାଦାନ ଏବଂ ଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣ ଉପରେ ନିଜର ମତ ଦେଇଥିଲେ । ସଭା ପରେ ନୂତନ ଭାବେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ନାମ ଲେଖାଇଥିବା ଛାତ୍ରୀମାନଙ୍କୁ ଦ୍ୱିତୀୟ ବର୍ଷର ଛାତ୍ରୀମାନେ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁକୁନ୍ଦିଲାଲ ମହିଳା ଯୁକ୍ତ ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରୀ ଯାହା କହନ୍ତି –

ମୁଁ ପ୍ରଥମ ଚଏସ୍‌ରେ ଏହି କଲେଜର ନାମ ଦେଇଥିଲି । ଯେହେତୁ ଏହି ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ଭଲ ଭାବେ ପାଠ ପଢାଯାଏ । ଅଧ୍ୟାପିକା, ଅଧ୍ୟାପକମାନେ ଶିକ୍ଷାଦାନ ପ୍ରତି ଅଧିକ ଗୁରୁତ୍ୱ ଦେଇ ନିଜର ଛାତ୍ରୀଙ୍କ ସହ ନିଜ ଛୁଆ ଭଳି ସଂପର୍କ ରଖି ପାଠ ପଢାନ୍ତି । ମୁଁ ବାଣିଜ୍ୟରେ ପଢୁଥିଲେ ମଧ୍ୟ ଅନ୍ୟ ଅଧ୍ୟାପିକା, ଅଧ୍ୟାପିକା ମାନେ ନିଜର ଭଳି ଦୁଃଖସୁଖ ବୁଝିବା ସହିତ ଠିକ୍‌ ମାର୍ଗରେ ଯିବା ପାଇଁ କହନ୍ତି । ବାଣିଜ୍ୟ ବିଭାଗଟି ଓଡିଶାର ଦ୍ୱିତୀୟ ମହାବିଦ୍ୟାଳୟ ଭାବେ ପ୍ରତିଷ୍ଠା ହୋଇଥିବା ଜାଣି ନିଜକୁ ଏହି ବିଦ୍ୟାଳୟର ଛାତ୍ରୀ ଭାବେ ଗୌରବ ଅନୁଭବ କରେଁ ।

ଲକ୍ଷ୍ମୀ କରନ,୧ମ ବର୍ଷ ବାଣିଜ୍ୟ ଛାତ୍ରୀ

ମୁଁ ଏହି ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇଲା ପରେ ନିଜକୁ ଗର୍ବ କରେଁ କାରଣ ମୁଁ ପ୍ରଥମରୁ ହିଁ ଅନଲାଇନରେ ନାମ ଦେଇଥିଲି । କଲେଜର ଅନେକ କଥା ଜାଣିଛି । ଶୃଙ୍ଖଳିତ ପାଠପଢା ସହ ଅଧ୍ୟାପିକା ଅଧ୍ୟାପକଙ୍କ ନିଜର ସ୍ୱତନ୍ତ୍ର ପରିଚୟ ରହିଛି ଯାହା ନିଜର ଝିଅ ଭଳି ମନେ କରନ୍ତି । ଆଜି ବି ଅଧ୍ୟାପିକା ଅଧ୍ୟାପକମାନେ ଶିକ୍ଷାଦାନ ସହିତ ଜଣେ ଉତ୍ତମ ଛାତ୍ରୀ ହେବା ସହ ଜଣେ ଉତ୍ତମ ବୋହୂ କିପରି ହୋଇପାରିବେ ତାହା ଶିକ୍ଷାଦାନରୁ ହିଁ ମନେ ହୁଏ । ବିଭିନ୍ନ ସମୟରେ ଅଧ୍ୟାପକ ବଳରାଜ ସିଂଦେଓ ପ୍ରତ୍ୟେକ ଅସହାୟ ଗରିବ ଛାତ୍ରୀମାନଙ୍କୁ ଲୁକାୟିତ ଭାବେ ଆର୍ଥିକ ଏବଂ ଶିକ୍ଷାଦାନ ଦେଉଥିବାରୁ ତାଙ୍କ ସହ ଅନ୍ୟ ଅଧ୍ୟାପିକା ଅଧ୍ୟାପକମାନଙ୍କ ସହଯୋଗ ମତେ ନାମ ଲେଖାଇ ପଢିଲା ପରେ ଜଣାପଡୁଛି ଯାହା ଅନ୍ୟ କଲେଜରେ ଏପରି ନଥିବା ଅନୁଭବ ହୁଏ ।

ଝରଣା ବେହେରା, କଳା ୧ମ ବର୍ଷ ଛାତ୍ରୀ

ଆଜିକି ୩୦ବର୍ଷ ତଳେ ଯେଉଁ ଆଶା ଭରଷା ଏବଂ ପରିକଳ୍ପନା ନେଇ ପ୍ରତିଷ୍ଠା କରିଥିଲି ତାହା ଆଜି ସାକାର ହୋଇଛି । ପ୍ରତିଷ୍ଠା କମିଟିର ସମସ୍ତ ସଭ୍ୟା/ସଭ୍ୟା ଏବଂ କଲେଜର ଅଧ୍ୟାପିକା, ଅଧ୍ୟାପକଙ୍କ ସହଯୋଗ ସହିତ ଛାତ୍ରୀମାନଙ୍କ ଉଚ୍ଚମାନର ଶିକ୍ଷା ମତେ ସ୍ୱତନ୍ତ୍ର ପରିଚୟ ଦେଇଛି । ତେଣୁ କଲେଜ ତାର ୩୧ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ମୋତେ ଗୌରବ ଅନୁଭବ ଲାଗୁଛି ।

ପ୍ରତିଷ୍ଠାତା ସଭାପତି ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା,
କଂଟାବାଂଜି

Leave A Reply

Your email address will not be published.