ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶ୍ରୀସତ୍ୟସାଇଙ୍କ ଜ୍ୟୋତିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ପରିକ୍ରମଣରେ ବାହାରି ଗୁରୁବାର ଶ୍ରୀ ସତ୍ୟସାଇ ବାବାଙ୍କ ଜ୍ୟୋତି ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଧ୍ୟାତ୍ମିକ ସନ୍ଦେଶ ପ୍ରଦାନ କରିଛି । ପ୍ରଶାନ୍ତି ନିଲୟମ୍‌ରୁ ବାହାରିଥିବା ଶ୍ରୀ ସତ୍ୟସାଇ ବାବାଙ୍କ ଏହି ଅଖଣ୍ଡ ଜ୍ୟୋତି ଗୁରୁବାର ଛତ୍ରପୁର ସହର ପରିକ୍ରମଣ କରିଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଶାନ୍ତି ନିଲୟମ୍‌ରୁ ବାହାରିଥିବା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ସ୍ୱରୂପ ଏହି ଦିବ୍ୟ ଜ୍ୟୋତି ଓଡ଼ିଶା ପରିକ୍ରମାରେ ବାହାରିଛି । ଏହି ଅଖଣ୍ଡ ଦିବ୍ୟ ଜ୍ୟୋତି ଓଡ଼ିଶାର ସମସ୍ତ ସତ୍ୟସାଇ ବିଦ୍ୟାଳୟକୁ ଯାଇ ଦିବ୍ୟ ଆଧ୍ୟାତ୍ମିକ ଜାଗରଣର ନିଆରା ସନ୍ଦେଶ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଛି । ବାବାଙ୍କ ସ୍ୱରୂପ ଭଗବାନଙ୍କ ଏହି ଅଖଣ୍ଡ ଜ୍ୟୋତି ନଭେମ୍ୱର ୧୦ ତାରିଖରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ସତ୍ୟସାଇ ବିଦ୍ୟାଳୟରେ ରହି ପୂଜାର୍ଚ୍ଚନା କରାଯାଇଥିଲା । ଛତ୍ରପୁର ସହରରେ ଏହି ଜ୍ୟୋତି ପହଞ୍ଚିବା ପରେ ଭଗବାନ ସତ୍ୟସାଇବାବାଙ୍କ ସ୍ୱରୂପ ଭକ୍ତିପୂତ ପ୍ରଣାମ ଜଣାଇ ଦିବ୍ୟ ଅଖଣ୍ଡ ଜ୍ୟୋତିକୁ ସସମ୍ମାନର ସହ ଛତ୍ରପୁର ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଛତ୍ରପୁର ଶାଖା ସତ୍ୟସାଇ ସେବା ସମିତି ପ୍ରତିଷ୍ଠା କାର୍ଯ୍ୟାଳୟ ତଥା ଶ୍ରୀସତ୍ୟସାଇ ବିଦ୍ୟାଭବନରେ ଏହି ଅଖଣ୍ଡ ଜ୍ୟୋତିଙ୍କ ପ୍ରତୀକ ରହଣୀ ସମୟରେ ଭଜନ କୀର୍ତ୍ତନ, ପୂଜା ଆରାଧନା ସହ ଯଥାରୀତିରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନଭେମ୍ବର ୧୦ ତାରିଖ ଦିନ ବିଦ୍ୟା ଭବନର ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଭବ୍ୟ ସ୍ଵାଗତ କରି ଭଗବାନଙ୍କୁ ବିଦ୍ୟାଳୟକୁ ଆଣିଥିଲେ । ଏହି ୪ ଦିନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଅଭିଭାବକ ପାଠ ଚକ୍ର, ଅଭିଭାବକଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା, ଛତ୍ରପୁରର ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ୍ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଆଧ୍ୟାତ୍ମିକ ଆଲୋଚନା, ପୂର୍ବତନ ଛାତ୍ରଛାତ୍ରୀ ଓ ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଦୈନିକ ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବାଳବିକାଶ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନଭେମ୍ୱର ୧୩ ତାରିଖ ଦିନ ଏକ ମୂଲ୍ୟବୋଧ ରାଲି କରି ବିଦ୍ୟାଭବନର ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ, ଶ୍ରୀ ସତ୍ୟସାଇ ସେବା ସଂଗଠନ ଗଞ୍ଜାମର ଜିଲ୍ଲା ସଭାପତି, କର୍ମକର୍ତ୍ତା ଓ ସମସ୍ତ ଯୁବ ଭାଇମାନେ ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କୁ ପ୍ରଶାନ୍ତି ମାନବୀୟ ମୂଲ୍ୟବୋଧ ସ୍ମାରକପତ୍ର ପ୍ରଦାନ କରିଥିଲେ । ପରେ ବାଇକ୍ ରାଲି ସହ ଏକ ବିଶାଳ ଶୋଭାଯାତ୍ରାରେ ବ୍ରହ୍ମପୁର ସହର ଅଭିମୁଖେ ଏହି ଜ୍ୟୋତି ପରିକ୍ରମଣରେ ବାହାରିଥିଲା । ୧୦୦ଟି ବାଇକ୍ ରାଲିରେ ବାବାଙ୍କ ଏହି ଅଖଣ୍ଡ ଜ୍ୟୋତି ସ୍ୱରୂପ ଭଗବାନଙ୍କୁ ନେଇ ବ୍ରହ୍ମପୁର ସହରରେ ଆଧ୍ୟାତ୍ମିକ ଜାଗରଣର ଏକ ନିଆରା ଯାତ୍ରା ବାହାରିଥିଲା ।

Leave A Reply

Your email address will not be published.