
ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ପରିକଳ୍ପନା କେବଳ ଜିଡିପି ସଂଖ୍ୟା ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ମୁକ୍ତ କରିବା ସହିତ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ସଶକ୍ତିକରଣର ଲକ୍ଷ୍ୟ ଉପରେ ଆଧାରିତ ବୋଲି କହିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର

● ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନର ପ୍ରକ୍ରିୟା ଜରିଆରେ ପ୍ରଧାନମନ୍ତ୍ରୀ ଦେଶକୁ ଶୀର୍ଷ ସ୍ତରକୁ ନେଇଯବା ଲାଗି ଚେଷ୍ଟା କରୁଛନ୍ତି ବୋଲି କହିଲେ ଡକ୍ଟର ପି.କେ ମିଶ୍ର; ‘ଅମୃତ କାଳ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାନ ଦୃଷ୍ଟିକୋଣରୁ ପ୍ରେରଣା ନେବାକୁ ଦେଲେ ଆହ୍ୱାନ
● ସମ୍ବଲପୁର ଆଇଆଇଏମ୍ର ନବମ ବାର୍ଷିକ ସମାବର୍ତ୍ତନ ସମାରୋହରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସେମ୍ବାଧିତ କରି ‘‘ସାମ୍ପ୍ରତିକ ଭୂ-ରାଜନୈତିକ ଓ ଆର୍ଥିକ ପରିଦୃଶ୍ୟରେ ସୁଯୋଗ ଓ ଆହ୍ୱାନ’’ ଶୀର୍ଷକ ବିଷୟବସ୍ତୁ ଉପରେ ରଖିଲେ ବକ୍ତବ୍ୟ
● ବସୁଧୈବ କୁଟୁମ୍ବକମ-ସାରା ବିଶ୍ୱ ଏକ ପରିବାରର ଭାବନା ନେଇ କେବଳ ବ୍ୟବସାୟ ନୁହେଁ ମୂଲ୍ୟବୋଧ, ବିବିଧତା ଓ ପରିବର୍ତ୍ତନର ପରିଚାଳନା ପାଇଁ ମ୍ୟାନେଜର ବା ପରିଚାଳକ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଡକ୍ଟର ମିଶ୍ର
ସମ୍ବଲପୁର, (ପିଆଇବି) : ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା କେବଳ ଏକ ଜିଡିପି ସଂଖ୍ୟା ନୁହେଁ ବରଂ ଏହାର ଅର୍ଥ ହେଉଛି ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ସଶକ୍ତିକରଣ ସୁନିଶ୍ଚିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର । ଆଇଆଇଏମ୍ ସମ୍ବଲପୁରର ନବମ ବାର୍ଷିକ ସମାବର୍ତ୍ତନ ସମାରୋହରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମୃତ କାଳର ସଂକଳ୍ପରୁ ପ୍ରେରଣା ନେବାକୁ ନିବେଦନ କରିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’ ଜରିଆରେ ଦେଶକୁ ଶୀର୍ଷ ସ୍ତରକୁ ନେଇଯିବା ଲାଗି ଚାହୁଁଛନ୍ତି । ଏହି ପ୍ରୟାସରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତଙ୍କ ପ୍ରୟାସ ବଳରେ ଭାରତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ । ‘‘ସାମ୍ପ୍ରତିକ ଭୂ-ରାଜନୈତିକ ଓ ଆର୍ଥିକ ପରିଦୃଶ୍ୟରେ ସୁଯୋଗ ଓ ଆହ୍ୱାନ’’ ଶୀର୍ଷକ ବିଷୟବସ୍ତୁ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ବିଶ୍ୱ ଅର୍ଥବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିବାରୁ ଆମେ ସମସ୍ତେ ଏକ ଉତ୍ସାହଜନକ ଏବଂ ଆହ୍ୱାନପୂର୍ଣ୍ଣ ସମୟରେ କାଳାତିପାତ କରୁଛୁ । ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା ଉତ୍ପନ୍ନ ହେବା ସହିତ, ଭୂ-ରାଜନୈତିକ ଉତ୍ତେଜନା ଏବଂ ପରିବର୍ତ୍ତିତ ବିଶ୍ୱ ବାଣିଜ୍ୟ ସ୍ଥିତି ସମେତ ଅନେକ ଜଟିଳ ଆହ୍ୱାନ ବିଶ୍ୱ ଅର୍ଥବ୍ୟବସ୍ଥା ଆଗରେ ଛିଡ଼ା ହୋଇଛି । ଡକ୍ଟର ମିଶ୍ର କହିଥିଲେ ଯେ, ବର୍ତ୍ତମାନ ଆମେ ଏକ ବ୍ୟାପକ ପ୍ରଯୁକ୍ତିଗତ ଘଟଣାକ୍ରମର ସାକ୍ଷୀ ହେଉଛୁ । ଅନୁରୂପ ଭାବେ ଯୋଗାଣ ଶୃଙ୍ଖଳ ପରିବର୍ତ୍ତନ ହେଉଛି ଏବଂ ବାଣିଜ୍ୟ ସମ୍ପର୍କ ପୁନଃ ପରିଭାଷିତ ହେଉଛି । ସେ କହିଥିଲେ, ଜଳବାୟୁ ଏବଂ ଦୀର୍ଘସ୍ଥାୟୀତ୍ୱକୁ ସବୁ ଆଲୋଚନାର କେନ୍ଦ୍ରରେ ରଖାଯିବା ଉଚିତ୍ । ଭବିଷ୍ୟତ ଉତ୍ତରାଧିକାର ସୂତ୍ରରେ ମିଳିବ ନାହିଁ ବରଂ ଏଥିପାଇଁ ଆମକୁ ପ୍ରସ୍ତୁତି କରିବାକୁ ହେବ । ଆଭ୍ୟନ୍ତରୀଣ ପରିବର୍ତ୍ତନ ଏବଂ ବିଶ୍ୱ ପରିଦୃଶ୍ୟ ବଦଳିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତି ସୁଦୃଢ଼ ହେବା ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ବୋଲି ଡକ୍ଟର ମିଶ୍ର କହିବା ସହିତ ଭାରତର ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରମୁଖ ସଚିବ କହିଥିଲେ, ଆଭ୍ୟନ୍ତରୀଣ ଦୃଷ୍ଟିରୁ ଦେଖିଲେ, ଗୋଟିଏ ପଟେ ବିକାଶଶୀଳ ଅର୍ଥବ୍ୟବସ୍ଥା, ଯୁବ ଜନସଂଖ୍ୟା, ବିସ୍ତାରିତ ଭିତ୍ତିଭୂମି ଏବଂ ପ୍ରଯୁକ୍ତି ଆଧାରିତ ପ୍ରଗତି ଆମର ସାମର୍ଥ୍ୟ ହୋଇଥିବା ବେଳେ ବିଶ୍ୱସ୍ତରରେ ଭାରତର ଭୂ-ରାଜନୈତିକ ପ୍ରଭାବ, ରଣନୀତିକ ଭାଗିଦାରୀ, ପ୍ରବାସୀ ଭାରତୀୟ, ବିଶ୍ୱ ପ୍ରଭାବ ଦୃଷ୍ଟିରୁ ଭାରତର ସଫ୍ଟ ପାୱାର ଅନ୍ତର୍ଜାତୀୟ ସ୍ତରରେ ଦେଶର ସ୍ଥିତିକୁ ସୁଦୃଢ଼ କରିଛି । ଡକ୍ଟର ମିଶ୍ର ବିଶ୍ୱ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଭାରତର ଦକ୍ଷତାର ଉଦାହରଣ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ୧୦୦ ୟୁନିକର୍ଣ୍ଣ ସହ ଆମେମାନେ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ହୋଇପାରିଛୁ । ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଉପରେ ମତ ରଖି ଇଲେକ୍ଟ୍ରୋନିକ୍ସ, ଫାର୍ମା ଏବଂ ସୌର ଭଳି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ଡକ୍ଟର ମିଶ୍ର କହିଥିଲେ । ଏହା ପରିଚାଳନା, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳ ରଣନୀତି ଏବଂ ଉତ୍ପାଦନ ଉତ୍କର୍ଷତାରେ ଉତ୍ସାହଜନକ ଭୂମିକା ପାଇଁ ମାର୍ଗପ୍ରଶସ୍ତ କରିଛି ବୋଲି କହିଥିଲେ । ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ଦେଶରେ ଏବେ ୮୦ କୋଟିରୁ ଅଧିକ ଇଣ୍ଟରନେଟ ଉପଭୋକ୍ତା ରହିଛନ୍ତି । ଏଆଇ, ମସିନ ଲର୍ଣ୍ଣିଂ, ବ୍ଲକଚେନ୍ ଓ ଇଣ୍ଡଷ୍ଟ୍ରୀ ୪.୦ ଏବେ ବାସ୍ତବତାରେ ପରିଣତ ହୋଇଛି । ଭାରତର ଜଳବାୟୁ ପ୍ରତିବଦ୍ଧତାକୁ ରେଖାଙ୍କିତ କରି ଡକ୍ଟର ମିଶ୍ର ଦୃଢ଼ତାର ସହ କହିଥିଲେ ଯେ ଭାରତର ଲକ୍ଷ୍ୟ ହେଉଛି, ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବା । ଜାତୀୟ ସବୁଜ ଉଦଯାନ ମିଶ୍ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଆଦିରେ ଭାରତର ପ୍ରୟାସ ବିଷୟରେ ଆଲୋକପାତ କରି ସେ କହିଥିଲେ, ସବୁଜ ପ୍ରଯୁକ୍ତି, ସବୁ ପାଣ୍ଠିଯୋଗାଣ, ଇଭି, କାର୍ବନ ଟ୍ରେଡିଂ, ଚକ୍ରାକାର ଅର୍ଥବ୍ୟବସ୍ଥା ଆଦିରେ ପ୍ରଶିକ୍ଷିତ ଓ ଅଭିନବ ପ୍ରତିଭାଙ୍କର ଚାହିଦା ବଢ଼ିବ । ଏହି କ୍ଷେତ୍ରରେ ଦକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ୨୦୦ ବିଲିୟନ ଡଲାର ଅତିକ୍ରମ କରିଥିବା ଆମର ଆଇଟି ରପ୍ତାନୀ ଉପରେ ଆଲୋକପାତ କରିବା ସହ ଡକ୍ଟର ମିଶ୍ର କହିଥିଲେ ଯେ ଆମର ଔଷଧ ବିଶ୍ୱ ପାଇଁ ଏକ ଜୀବନରେଖା ହୋଇ ରହିଛି । ସେ କହିଥିଲେ, “ମେଡ୍ ଇନ୍ ଇଣ୍ଡିଆ” ଉପରେ ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ସହିତ, ବିଶ୍ୱ ବଜାର ପୂର୍ବ ଅପେକ୍ଷା ଅଧିକ ସୁଗମ୍ୟ ହୋଇଛି । ଏହି ପରିପ୍ରେକ୍ଷୀରେ ସେ ବିଶ୍ୱକୁ ରପ୍ତାନୀ କରୁଥିବା ବ୍ୟବସାୟର ନେତୃତ୍ୱ ନେବାକୁ କିମ୍ବା ଭାରତୀୟ ମାଟିରୁ ବିଶ୍ୱ ଯୋଗାଣ ନେଟୱାର୍କ ପରିଚାଳନା କରିବାକୁ ଆହ୍ୱାନ ଦେଇଥିଲେ । ଡକ୍ଟର ମିଶ୍ର ନିର୍ଦ୍ଦିଷ୍ଟ ଭାବେ କହିଥିଲେ, ଭାରତକୁ ବାର୍ଷିକ ୮-୧୦ ନିୟୁତ ଗୁଣବତ୍ତାପୂର୍ଣ୍ଣ ରୋଜଗାର ଏବଂ ଏହାର ଅନୁରୂପ ଦକ୍ଷତା ଓ ଶିଳ୍ପ ଆବଶ୍ୟକତା ପୂରଣ କରିବାର ଆବଶ୍ୟକତା ରହିଛି । ସରକାରଙ୍କ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ଡକ୍ଟର ମିଶ୍ର ଏହି ଘରୋଇ କ୍ଷେତ୍ରରେ ଚାମ୍ପିଅନମାନଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି ଯେଉଁମାନେ ବଞ୍ଚିତମାନଙ୍କୁ ଡିଜିଟାଲ କୌଶଳ ପ୍ରଦାନ କରିବାରେ ସାହାଯ୍ୟ କରିପାରିବେ କିମ୍ବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇପାରିବେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଉଲ୍ଲେଖ କରିଥିଲେ ଯେ ଏହି ଅନୁଷ୍ଠାନଟିର ଡିଜାଇନ ସମସାମୟିକ ସମ୍ବଲପୁରୀ କଳା ସହିତ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନିର୍ମିତ ହୋଇଛି । ସେ କହିଥିଲେ ଯେ ଆଇଆଇଏମ୍ ସମ୍ବଲପୁର ମ୍ୟାନେଜମେଣ୍ଟ ବା ପ୍ରବନ୍ଧନ ଶିକ୍ଷାରେ ଉତ୍କର୍ଷତା ହାସଲ କରିବାରେ ଖ୍ୟାତି ଅର୍ଜନ କରିଛି । ଏହାର ମୂଳ ଆଦର୍ଶ ହେଉଛି ନବସୃଜନ, ବିଶ୍ୱସନୀୟତା ଏବଂ ସମାବେଶୀତା । ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ୨୦୨୧ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଫେବୃଆରୀ ୨୦୨୪ରେ କ୍ୟାମ୍ପସକୁ ଉଦ୍ଘାଟନ କରିଥିଲେ । ପଶ୍ଚିମ ଓଡ଼ିଶାର କୁଶଳୀ ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ଆଇ.ଆଇ.ଏମ୍. ସମ୍ବଲପୁରକୁ ପ୍ରଶଂସା କରିଥିଲେ । ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି ପ୍ରତିଷ୍ଠାନ ସରକାରଙ୍କ ଆଧୁନିକ ପଦକ୍ଷେପର ଏକ ପ୍ରମୁଖ ବାହକ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉତ୍କର୍ଷତା କେନ୍ଦ୍ରର ପରିକଳ୍ପନାକୁ ଅନୁସରଣ କରିଥାଏ ଏବଂ ବୈଷୟିକ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବା ଏହାର ଲକ୍ଷ୍ୟ । ଡକ୍ଟର ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ଆଇଆଇଏମ୍ ସମ୍ବଲପୁରରେ କେବଳ ବିଶ୍ୱସ୍ତରୀୟ ଭିତ୍ତିଭୂମି ନାହିଁ, ବରଂ ଏହା ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯାହା ଆମ ଦେଶର ଇତିହାସ ଏବଂ ଐତିହ୍ୟରେ ରହିଛି । ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସମଲେଶ୍ୱରୀ ଏବଂ ଏହା ବୀର ସୁରେନ୍ଦ୍ର ସାଏଙ୍କ ଭୂମି ଯିଏ ୧୮୫୭ ସ୍ୱାଧୀନତା ସଂଗ୍ରାମର ବହୁ ପୂର୍ବରୁ ଔପନିବେଶିକ ଶାସନ ବିରୁଦ୍ଧରେ ଲଢ଼ିଥିଲେ । ଡକ୍ଟର ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ସାହସୀ ଏବଂ ସହନଶୀଳ ହେବାକୁ ଉତ୍ସାହିତ କରିଥିଲେ । ଅଧ୍ୟବସାୟ ଏବଂ ଦୃଢ଼ ସଂକଳ୍ପ ଭଳି ଗୁଣକୁ ନେଇ ସେ ସମସ୍ତଙ୍କୁ ବିଫଳତାକୁ ଶିଖିବାର ଏବଂ ଆଗକୁ ବଢ଼ିବାର ଏକ ସୁଯୋଗ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ବଡ଼ ସ୍ୱପ୍ନ ଦେଖିବା, ଏବଂ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖିବାକୁ ସେ ପରାମର୍ଶ ଦେଇଥିଲେ । ବିକାଶ, ଉତ୍ପାଦକତା ଏବଂ ନବସୃଜନକୁ ତ୍ୱରାନ୍ୱିତ କରିବା; ଆଜୀବନ ଶିକ୍ଷାକୁ ଗ୍ରହଣ କରିବା; ପ୍ରକୃତ ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗୀ ମାର୍ଗ ଗ୍ରହଣ କରିବା, ନିଯୁକ୍ତି ସୃଷ୍ଟି କରିବା, ଭାରତ ପାଇଁ ନିର୍ମାଣ କରିବା; ଏବଂ ସର୍ବୋପରି ନୈତିକ, ସମାବେଶୀ ଏବଂ ଦୀର୍ଘସ୍ଥାୟୀ ହେବା ପାଇଁ ପରିଚାଳନା ବା ମ୍ୟାନେଜମେଣ୍ଟ କୁଶଳତା ଉପରେ ଡ. ମିଶ୍ର ଗୁରୁତ୍ୱାରୋପ କରିଥିଲେ । ‘ବସୁଧୈବ କୁଟୁମ୍ବକମ-ବିଶ୍ୱ ଏକ ପରିବାର’ ଭାବନା ଅନୁରୂପ ଲାଭ ଓ ପଦବୀ ଠାରୁ ଊର୍ଦ୍ଧ୍ବରେ ଚିନ୍ତା କରୁଥିବା ବ୍ୟକ୍ତି ପ୍ରକୃତ ନେତା ହୋଇଥା’ନ୍ତି । କେବଳ ବ୍ୟବସାୟ ନୁହେଁ ମୂଲ୍ୟବୋଧ, ବିବିଧତା ଓ ପରିବର୍ତ୍ତନର ପରିଚାଳନା ପାଇଁ ମ୍ୟାନେଜର ବା ପରିଚାଳକ ହେବାକୁ ଛାତ୍ରଛାତ୍ରୀଙ୍କୁ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ ।