ଗୁଡିଘାଟ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୫ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସମ୍ମାନିତ ଅତିଥି ଭାବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ସ୍କୁଲ ପରିଚାଳନା କମିଟି ସଭାପତି ଶେଷଦେବ ସା, ପ୍ରଧାନଶିକ୍ଷକ ରମେଶ ପ୍ରସାଦ ସାହୁ, ଭଗତ ନାଗ, ତରୁଣ ସିଂ ଦୀପ, ମନୋରଞ୍ଜନ ଖମାରୀ ଓ ପୂର୍ବତନ ଛାତ୍ର ତଥା ସିଆର୍‌ପିଏଫ୍‌ ଯବାନ ମୁକେଶ ନାଗ ଯୋଗ ଦେଇଥିଲେ । ଗୁଡିଘାଟ କ୍ଲଷ୍ଟର ସିଆର୍‌ସିସି ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସିଆର୍‌ସିସି ଲକ୍ଷ୍ମୀକାନ୍ତ ମହାନନ୍ଦ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଅତିଥିଗଣ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଗୁଡିଘାଟ କ୍ଲଷ୍ଟରର ୧୭ଟି ସ୍କୁଲରୁ ପ୍ରାୟ ୩୦୦ ଜଣ ପ୍ରତିଯୋଗୀ ଏବଂ ୨୦ ଜଣ ସହଶିକ୍ଷକ / ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ଅଶୋକ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ । ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ପି.ଏମ୍ ପୋଷଣ, ଚିତ୍ରକଳା ଓ ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ଗଣିତ କୁଇଜ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତି ପ୍ରତିଯୋଗିତାରୁ ୩ ଜଣ ଲେଖାଁଏ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ସାର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ସମସ୍ତ ଅତିଥିଗଣ, ପ୍ରତିଯୋଗୀ ଏବଂ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଥିଲା । ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେମାନେ ଆଗାମୀ ବ୍ଳକ୍ ସ୍ତରୀୟ ସୁରଭିି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ମହାନନ୍ଦ ଜଣାଇ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ପ୍ରଧାନଶିକ୍ଷକ ଭଗତ ନାଗ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ କାର୍ଯ୍ୟକାରୀ ସଭାପତି କାର୍ଯ୍ୟକ୍ରମଟିକୁ ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.