ଆଗକୁ ଧନତେରସ : ବାଲିଗୁଡାରେ ବୃଦ୍ଧି ପାଉଛି ବେଆଇନ ସୁନାରୁପା କାରବାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଗକୁ ଧନତେରସ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବଜାରରେ ଚାଲିଛି ନକଲି ବିଲରେ ବେଧଡ଼କ ବେଆଇନ ସୁନା ଓ଼ ରୂପା କାରବାର । ଜିଏସଟି, ଆୟକର ତଥା ସ୍ଥାନୀୟ ପ୍ରଶାସନକୁ ହାତବାରିସୀ କରି ସୁନା ବେପାରୀ ଲୁଟି ଚାଲିଛନ୍ତି ଗ୍ରାହକଙ୍କୁ । ସୁନା ବ୍ୟବସାୟୀଙ୍କ ନକଲି ଜିଏସଟି ବିଲରେ ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ । ଜିଏସଟି ଓ ଆୟକର ବିଭାଗ ଦଲାଲଙ୍କ ମଧ୍ୟସ୍ଥତାରେ ଲୁଟ ହେଉଛି ସରକାରୀ ରାଜସ୍ଵ । ଧନତେରସ୍‌ରେ ଗ୍ରାହକଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନା ଓ ରୂପା ବେପାରୀ । କିଏ କେଉଁ ରାସ୍ତାରେ ଠକେଇ କରିବ ସେଥିପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ । ଟିକସ ଅଧିକାରୀଙ୍କ ଅବହେଳାରୁ ବାଲିଗୁଡା ସହରରେ ମାଳ ମାଳ ସୁନା ଦୋକାନରୁ ବିପୁଳ ରାଜସ୍ୱ କ୍ଷତି ସହୁଛନ୍ତି ସରକାର । ମାସିକ କୋଟି କୋଟି ଟଙ୍କାର ବେପାର ସତ୍ୱେ ସରକାର ପାଉନାହାନ୍ତି ରାଜସ୍ୱ । ନକଲି ବିଲରେ ଚାଲିଛି ବେପାର । ଗାଁ ଗହଳିର ଲୋକଙ୍କୁ ଠକି ଚାଲିଛନ୍ତି ବେପାରୀ । ଗ୍ରାହକଙ୍କୁ ନା ଦିଆଯାଉଛନ୍ତି ଜିଏସଟି ବିଲ୍ ନା ଜିନିଷର କରାଯାଉଛି ମୂଲ୍ୟାୟନ । ସରକାର ବଦଳିବା ପରେ ସୁନା ଦୋକାନ ଗୁଡ଼ିକରେ ଚଢ଼ଉ କରି ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଥିବା ବେଳେ ଜିଲା ଜିଏସଟି ଓ ଆୟକର ଅଧିକାରୀ ଏବଂ ସୁନା ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ବିପୁଳ କ୍ଷତି ସହୁଛନ୍ତି ସରକାର । ୨୨ କ୍ୟାରେଟ ସୁନା ନାମରେ ୧୬/୧୭ କ୍ୟାରେଟ ସୁନା ଦେଇ ଗ୍ରାହକଙ୍କୁ ଠକେଇ କରାଯାଉଥିବା ଏକ ଗୁରୁତର ଅଭିଯୋଗ ହେଉଛି । ବାଲିଗୁଡାର ରୁପା ଓ ସୁନା ବ୍ୟବସାୟୀମାନେ ଆସିକା ଓ ବ୍ରହ୍ମପୁର ଅଞ୍ଚଳ ର କିଛି ଦଲାଲ ମାନଙ୍କୁ ଧରି ମୁମ୍ବାଇ, ରାଜକୋଟ, ଆଗ୍ରା, ଆନ୍ଧ୍ରପ୍ରଦେଶ ସାଲାମ, ମଛଲିପାଟନମ, ଚେନ୍ନାଇ ଅଞ୍ଚଳରୁ କାରରେ ଦୁଇ ନମ୍ବର ବିଲରେ ବାଲିଗୁଡା ଅଞ୍ଚଳକୁ ରୁପା ଓ ସୁନା ଆସୁଥିଲେ ମଧ୍ୟ ଏହାର ସଠିକ କ୍ରୟ ବିକ୍ରିର ହିସାବ ପାଉନାହାନ୍ତି ସରକାର । ଆୟକର ବିଭାଗ ଓ ବିକ୍ରିକର ବିଭାଗୀୟ ଅଧୂକାରୀ ଯାଞ୍ଚ କରିବାକୁ ଆସୁନଥିବା ବେଳେ ଦଲାଲଙ୍କ ମଧ୍ୟସ୍ଥତାରେ ସମସ୍ତ ମାମଲା ରଫାଦଫା କରାଯାଉଥିବା ବିଷୟ ଶୁଣିବାକୁ ମିଳୁଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.