ସୋହେଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜିତେନ୍ଦ୍ର ବେବର୍ତ୍ତିଆ, ବ୍ଲକ ଅଧ୍ୟକ୍ଷା ବବି ପଧାନ, ବିଡିଓ ସୁରେନ୍ଦ୍ର ମେହେର, ତହସିଲଦାର ହରିଓମ୍ ଭୋଇଙ୍କ ସହ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି । ସୋହେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ୍ ୪୩ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ । ସେହି ସବୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅବସରରେ ଜଣେ ଷଷ୍ଠ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରଙ୍କୁ ହ୍ବିଲଚେୟାର ପ୍ରଦାନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜନସାଧାରଣଙ୍କ ସମସ୍ୟା ଗୁଡିକୁ ପ୍ରାଧନ୍ୟ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସେସବୁର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜନଶୁଣାଣି ପୋର୍ଟାଲରେ ଅନଲାଇନ୍ ମାଧ୍ୟମରେ ଆସୁଥିବା ଅଭିଯୋଗଗୁଡିକୁ ମଧ୍ୟ ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.