କେଶପୁର ବସଷ୍ଟାଣ୍ଡର ଅବ୍ୟବସ୍ଥା ସୁଧିରିବ କେବେ ?

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବୃହତ୍ତର ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଖଲିକୋଟ ସହରକୁ ସିଧାସଳଖ ଯାତ୍ରୀ ପହଞ୍ଚିବାକୁ ହେଲେ ନିକଟସ୍ଥ ଏକ ବଡ଼ଗ୍ରାମ କେଶପୁର ଅଞ୍ଚଳକୁ ଯିବାକୁ ହୁଏ । କାହିଁକିନା ଖଲିକୋଟ ରେଳବାଇ ଜଙ୍କସନ ହେଉଛି କେଶପୁର । ଖଲିକୋଟ ରେଳଷ୍ଟେସନ ନାମରେ ଯେଉଁଠି ରେଳ ବିଭାଗ ସ୍ଥାପନା କରିଛନ୍ତି, ତାହା ହେଉଛି କେଶପୁର ଅଞ୍ଚଳ । ପୁନଃଶ୍ଚ ସମସ୍ତ ଦୂରଗାମୀ ବାସ୍‌ ରହଣି ସ୍ଥାନ କେଶପୁର ଅଞ୍ଚଳରେ ହିଁ ଅବସ୍ଥିତ । ଖଲ୍ଲିକୋଟ ସହର ମଧ୍ୟକୁ ସମସ୍ତ ବସ୍‌ ଚଳାଚଳ କରୁନାହିଁ । କେବଳ ଖଲ୍ଲିକୋଟ ସହରକୁ ଯିବାକୁ ହେଲେ ବସ୍‌ ହେଉ ଅବା ରେଳପଥର ସଂଯୋଗ ସ୍ଥଳ କେଶପୁର ଅଟେ । କେଶପୁର ରେଳଷ୍ଟେସନ ଅବା ବାଇପାସ ବସ୍‌ ରହଣି ସ୍ଥଳ ଠାରୁ ଯାତ୍ରୀମାନେ ଅଟୋ କରି ଅବା ଛୋଟ ବଡ଼ ଯାନରେ ଖଲ୍ଲିକୋଟ ସହରକୁ ଯାଇଥାନ୍ତି । ତେବେ ୧୬ ନମ୍ବର ଜାତୀୟ ରାଜପଥ ସଂଯୋଗ ସ୍ଥଳ କେଶପୁର ଛକ ନିକଟରେ ବାସ ରହଣି ସ୍ଥଳ ଅତି ବିପ୍ପଜନ ଅଟେ । ରୋଡ଼ ସାଇଡ୍‌ରେ ବସ୍‌ ଅଳ୍ପ କ୍ଵଚିତ ସମୟ ପାଇଁ ରହିଥାଏ । ସେହି ସମୟ ମଧ୍ୟରେ ଯାତ୍ରୀଙ୍କ ଚଡିବା ଓ ଓଲ୍ହାଇବା ହେବା ଅତି ଜଟିଳ ସମସ୍ୟା ଅଟେ । ଥରେ ଥରେ ଯାତ୍ରୀ ଦୌଡ଼ି ଆସିଲା ବେଳକୁ ବସ୍‌ ଛାଡ଼ି ଦେଇଥାଏ । କେଶପୁର ଛକ ବସ ଷ୍ଟପେଜ ସ୍ଥଳରେ ସ୍କୁଲ, କଲେଜ, ଆଇଟିଆଇ, ରାଜ୍ୟ ସରକାରଙ୍କ ଶିକ୍ଷକତାଲିମ ପ୍ରତିଷ୍ଠାନ ( ଡ଼ିଆଇଇଟି ) ଏବଂ ଖଲ୍ଲିକୋଟ ଆର୍ଟ କଲେଜରେ ଅଧ୍ୟୟନ ନିମନ୍ତେ ପ୍ରମୁଖ ଅନୁଷ୍ଠାନର ସହସ୍ରାଧିକ ଛାତ୍ରଛାତ୍ରୀ, ଅଫିସିଆଲ ଷ୍ଟାଫ ଏଠାରେ ଓହ୍ଲାଇ ଖଲ୍ଲିକୋଟ ଯାଇଥାନ୍ତି ।

ଏଠାରେ ଯାତ୍ରୀ ବିଶ୍ରାମଗାର ଟିଏ ବି ନାହିଁ । କେଶପୁର ଛକ ନିକଟରେ ଭାରତ ସରକାରଙ୍କର ଫ୍ଲାଏ ଓଭର ବ୍ରିଜ କାମ ଚାଲିଛି । ବସ ରହଣି ସ୍ଥଳ ନିକଟରେ ଆଜକୁ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେଲା ସୁଲଭ ଶୌଚାଳୟ ଭାଙ୍ଗି ଜରାଜୀର୍ଣ୍ଣ ହୋଇ ପଡିଛି । ବୁଲା ଭିକାରି, ମଦ୍ୟପ ମାନେ ସେଥିରେ ମଳମୂତ୍ର ତ୍ୟାଗକରି ଦୁର୍ଗନ୍ଧମୟ ତଥା କଳୁଷିତ କରି ରଖିଛନ୍ତି । କେଶପୁର ଛକ ନିକଟ ମୁହଁରେ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେଲା ଏକ କଂକ୍ରିଟର ତୋରଣ ନିର୍ମାଣାଧୀନରେ ରହି ବିପଦ ସଂକୁଳ ଅବସ୍ଥାରେ ରହିଛି । ଯାତ୍ରୀ ମାନଙ୍କ ପାଇଁ ଏଠାରେ ପାନୀୟ ଜଳ ବ୍ୟବସ୍ଥାର ସୁବିଧା ନାହିଁ । ଏହି ଅଞ୍ଚଳ ଅତି ଗୁରୁତ୍ତ୍ୱପୂର୍ଣ୍ଣ, ଆଖ ପାଖ ପ୍ରାୟ ୩୫ ଖଣ୍ଡ ଗ୍ରାମ ଏହି କେଶପୁର ଅଞ୍ଚଳ ଉପରେ ନିର୍ଭରଶୀଳ ଅଟନ୍ତି । ଏଠାରେ ରାଜ୍ୟ ସରକାରଙ୍କ ଯୋଜନାରେ ଏକ ଆଦର୍ଶ ବସଷ୍ଟାଣ୍ଡ ହେବା ଜରୁରୀ ଆବଶ୍ୟକତା ରହିଛି ବୋଲି ଏହି ଅଞ୍ଚଳର ବୃଦ୍ଧିଜୀବୀମାନେ ଦାବୀ କରିଛନ୍ତି । ଅର୍ଦ୍ଧ-ନିର୍ମାଣାଧୀନ ଥିବା ତୋରଣଟି ଏଠାକାର ଜନତା ଚାନ୍ଦା କରି ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ, ସେହି ଅର୍ଥ ନିଅଣ୍ଟିଆ ପଡି ଏଭଳି ଅସୁବିଧାର ସମସ୍ୟା ହୋଇଛି ବୋଲି ଏଠାକାର ଜନସାଧାରଣ କହିଛନ୍ତି । ତେଣୁ କେଶପୁର ଅଞ୍ଚଳରେ ଏକ ଆଦର୍ଶ ବସଷ୍ଟାଣ୍ଡ ସହ ସୁଲଭ ଶୌଚାଳୟ ନିର୍ମାଣ, ପାନୀୟଜଳ ବ୍ୟବସ୍ଥା, ଅର୍ଦ୍ଧ-ନିର୍ମାଣାଧୀନ କଂକ୍ରିଟ ତୋରଣକୁ ସରକାରୀ ଖର୍ଚ୍ଚରେ ସମ୍ପ‌ନ୍ନ କରିବା ପାଇଁ ଦାବୀ ହୋଇଛି । ନଚେତ ଜନଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟବାସୀ କହିଛନ୍ତି । ବିଧାନସଭାର ଜଣେ ତୁଙ୍ଗ ଓ ବରିଷ୍ଠ ବିଧାୟିକା ଭାବେ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନୀ ଦେଓ ଏଠାରୁ ପ୍ରତିନିଧିତ୍ୱ କରି ଆସୁଥିଲେ । ହେଲେ ଦୀପତଳ ଅନ୍ଧାର ଭଳି ଏସବୁ କିପରି ସମ୍ପନ ହୋଇପାରି ନଥିବା ଏକ ନିନ୍ଦନୀୟ ବିଷୟ ବୋଲି କୁହାଯାଏ । ବର୍ତ୍ତମାନର ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟ ବିଭିନ୍ନ ସଭା ସମିତିରେ ଯୋଗ ଦେବାରେ ବ୍ୟସ୍ତ । ବହୁ କାର୍ୟ୍ୟକ୍ରମରେ କେବଳ ଛତ୍ରପୁରର ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ଯୋଗ ଦେବାରେ ସମୟ ଦେଉଛନ୍ତି । ନିଜ ଅଞ୍ଚଳ ଖଲ୍ଲିକୋଟ ଓ କେଶପୁର ଅଞ୍ଚଳର ସମସ୍ୟା ଉପରେ ଧ୍ୟାନ ଦେବାକୁ ଏଠାକାର ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଅଛି ।

Leave A Reply

Your email address will not be published.