ଛତ୍ରପୁରରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ କରିବା ନିମନ୍ତେ ଭୋଟରମାନଙ୍କୁ ସଚେତନତା କରାଇବା ଲକ୍ଷ୍ୟ ନେଇ ଏକ ସଚେତନତା ରଥ ବାହାରିଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ସୋମବାର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଭୋଟରମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ଏହି ରଥ ସଚେତନତାର ବାର୍ତ୍ତା ପ୍ରେରଣ କରିବ ବୋଲି ଶ୍ରୀମତୀ ଖେସ୍ ସୂଚାଇଥିଲେ । ଏହି ଭୋଟର ସଚେତନତା ରଥ ଗତକାଲି ଠାରୁ ଛତ୍ରପୁର ଉପଖଣ୍ଡର ସମସ୍ତ ପୁରପଲ୍ଲୀ ଅଞ୍ଚଳ ଆଦି ପରିକ୍ରମା କରି ଭୋଟରମାନଙ୍କୁ ସଚେତନତା କରିବ ବୋଲି କହିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଉପସ୍ଥିତିରେ ଏହି ରଥ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ ପ୍ରଧାନ, ନାଜିର ସନ୍ତୋଷ କୁମାର ସାହୁ, କିରାଣୀ (ନିର୍ବାଚନ) ଦୁର୍ଗା ପଟ୍ଟନାୟକ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ପି. ପଦ୍ମାଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ନୂତନ ଭୋଟରମାନେ ଫର୍ମ- ୬ ମାଧ୍ୟମରେ ଭୋଟର ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିବା, ଫର୍ମ- ୮ରେ ସଂଶୋଧନ ନିମନ୍ତେ ଆବେଦନ କରିବା, ଆଧାର କାର୍ଡ ସହ ଭୋଟର କାର୍ଡ ସଂଯୋଗୀକରଣ କରିବା ନିମନ୍ତେ ଫର୍ମ (୬-ଖ)ରେ କରିବା, ବର୍ତ୍ତମାନ ଠାରୁ ଗୋଟାଏ ବର୍ଷ ମଧ୍ୟରେ ୪ଟି ସୁଯୋଗ (ଜାନୁୟାରୀ-୧, ଏପ୍ରିଲ-୧, ଜୁଲାଇ-୧ ଏବଂ ଅକ୍ଟୋବର-୧) ତାରିଖ ଗୁଡିକରେ ଯେଉଁ ନାଗରିକମାନଙ୍କ ବୟସ ୧୮ ବର୍ଷ ହେବ ସେମାନେ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ ଭଳି ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ସୁଦ୍ଧା ଛତ୍ରପୁର ଉପଖଣ୍ଡର ୫ଟି ନିର୍ବାଚନ ମଣ୍ଡଳୀର ମୋଟ ୧୧, ୫୧, ୭୪୯ ଜଣ ଭୋଟରଙ୍କ ମଧ୍ୟରୁ ୭,୪୭,୯୩୦ ଜଣ ଭୋଟର ଫର୍ମ- ୬(ଖ) ମାଧ୍ୟମରେ ନିଜ ଆଧାର କାର୍ଡ ସହ ଭୋଟର କାର୍ଡକୁ ସଂଯୋଗ କରିଛନ୍ତି । ଏହା ବ୍ୟତୀତ ବହୁ ଭୋଟର ଅନଲାଇନ ମାଧ୍ୟମରେ କରିପାରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.