ନୂଆଦିଲ୍ଲୀରେ ସିବିଆଇ ଦ୍ୱାରା ବିକଶିତ ଭାରତପୋଲ୍ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଭାରତପୋଲ୍’ର ଶୁଭାରମ୍ଭ ସହ ଭାରତ ଅନ୍ତର୍ଜାତୀୟ ଅନୁସନ୍ଧାନ କ୍ଷେତ୍ରରେ ଏକ ନୂତନ ଯୁଗରେ ପ୍ରବେଶ କରିଛି
- ଦେଶରେ ଅପରାଧ କରି ବିଦେଶ ପଳାୟନ କରିଥିବା ଅପରାଧୀଙ୍କୁ ଧରିବା ପାଇଁ ‘ଭାରତପୋଲ’ ଏବଂ ତିନୋଟି ନୂଆ ଅପରାଧିକ ଆଇନ ଏକ ଶକ୍ତିଶାଳୀ ବ୍ୟବସ୍ଥାଭାବେ କାମ କରିବ
- ତିନୋଟି ଅପରାଧିକ ଆଇନରେ ଥିବା ‘ଅନୁପସ୍ଥିତିରେ ବିଚାର’ ବ୍ୟବସ୍ଥା ଅନୁସାରେ ପଳାତକ ଅପରାଧୀଙ୍କ ଅନୁପସ୍ଥିତିରେ ବିଚାର ଓ ଦଣ୍ଡବିଧାନ କରାଯାଇପାରିବ
- ‘ଭାରତପୋଲ’ ସମସ୍ତ ରାଜ୍ୟର ତଦନ୍ତକାରୀ ଏଜେନ୍ସି ଓ ପୁଲିସକୁ ୧୯୫ଟି ଦେଶ ବିଶିଷ୍ଟ ଇଣ୍ଟରପୋଲ ନେଟୱାର୍କ ସହ ଯୋଡ଼ି ଅପରାଧ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
- ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ମାନବ ଚାଲାଣ କିମ୍ବା ସୀମାପାର ଅପରାଧର ମୁକାବିଲା ଲାଗି ଭାରତପୋଲ୍ ନେଟୱର୍ର୍କ ୧୯୫ ଦେଶ ମଧ୍ୟରେ ସହଯୋଗ ସୁନିଶ୍ଚିତ କରିବ
- ଇଣ୍ଟରପୋଲର ୧୯ ପ୍ରକାରର ଡାଟାବେସ ସହ ଭାରତପୋଲର ପ୍ରବେଶ ରହିବ ଯାହା ଦ୍ୱାରା ଅପରାଧ ଚିହ୍ନଟ, ବିଶ୍ଳେଷଣ ଏବଂ ଅପରାଧୀଙ୍କୁ ଧରିବା ସହଜ ହେବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ବିକଶିତ ଭାରତପୋଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅମିତ ଶାହା ୩୫ ଜଣ ପୁରସ୍କୃତ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ ପ୍ରଦାନ କରିଥିଲେ ଯେଉଁମାନେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ଗୃହ ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଡିଓପିଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତପୋଲର ଶୁଭାରମ୍ଭ ସହିତ ଭାରତ ଅନ୍ତର୍ଜାତୀୟ ତଦନ୍ତରେ ଏକ ନୂତନ ଯୁଗରେ ପ୍ରବେଶ କରିଛି । ସେ କହିଥିଲେ ଯେ, ଭାରତପୋଲ ମାଧ୍ୟମରେ ଭାରତର ପ୍ରତ୍ୟେକ ଏଜେନ୍ସି ଏବଂ ପୋଲିସ ବାହିନୀ ଅତି ସହଜରେ ଇଣ୍ଟରପୋଲ ସହ ଯୋଗାଯୋଗ କରିପାରିବେ ଏବଂ ତଦନ୍ତକୁ ତ୍ୱରାନ୍ୱିତ କରିପାରିବେ । ଅମିତ ଶାହା କହିଥିଲେ ଯେ ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନର ସମୟକୁ ଅମୃତ କାଳ ବୋଲି କହିଛନ୍ତି । ଦେଶର ୧୪୦ କୋଟି ଜନତା ଏହି ଅମୃତ କାଳକୁ ଉତ୍ସାହର ସହ ଗ୍ରହଣ କରିଛନ୍ତି ଏବଂ ଏକ ସାମୂହିକ ସଂକଳ୍ପ ନେଇଛନ୍ତି ଯେ ୨୦୪୭ ସୁଦ୍ଧା ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ ହେବ । ଏହି ସଂକଳ୍ପକୁ ସାକାର କରିବା ପାଇଁ ଅନେକ ମାଇଲଖୁଣ୍ଟକୁ ହାସଲ କରିବାକୁ ହେବ, ଏହା ମଧ୍ୟରୁ ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପ୍ରଥମ ପଦକ୍ଷେପ ହେବ ବୋଲି ସେ କହିଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେବାର ଏହି ସମୟ ବୋଲି ଶ୍ରୀ ଶାହା କହିଛନ୍ତି । ଏହି ଅମୃତ କାଳ ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଥିଲେ । ଗୃହମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏକ ଆଞ୍ଚଳିକ ଶକ୍ତିରୁ ଏକ ବିଶ୍ୱଶକ୍ତି ପର୍ଯ୍ୟନ୍ତ ଭାରତର ଯାତ୍ରା ବୈଜ୍ଞାନିକ ରୋଡମ୍ୟାପ୍ ଏବଂ ସମୟବଦ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ସାକାର ହୋଇଛି ଏବଂ ଆମେ ମଧ୍ୟ ଏହି ପଥରେ ଆଗକୁ ବଢ଼ିଛୁ । ସେ କହିଥିଲେ ଯେ ଏହି ଦିଗରେ ଆଗକୁ ବଢ଼ିବା ଏବଂ ବିଶ୍ୱ ଆହ୍ୱାନକୁ ଦୃଷ୍ଟିରେ ରଖି ଆମକୁ ଆମର ବ୍ୟବସ୍ଥାକୁ ଉନ୍ନତ କରିବାକୁ ପଡିବ ଏବଂ ଭାରତପୋଲ ଏହି ଦିଗରେ ଏକ ପଦକ୍ଷେପ । ଶ୍ରୀ ଶାହା କହିଥିଲେ ଯେ ଭାରତପୋଲର ୫ଟି ପ୍ରମୁଖ ମଡ୍ୟୁଲ-କନେକ୍ଟ, ଇଣ୍ଟରପୋଲ ନୋଟିସ, ରେଫରେନ୍ସ, ବ୍ରଡକାଷ୍ଟ ଓ ରିସୋର୍ସେସ-ଆମର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କୁ ଏକ ବୈଷୟିକ ପ୍ଲାଟଫର୍ମ ପ୍ରଦାନ କରି ସହାୟତା କରିବ । ସେ ଆହୁରି ମଧ୍ୟ କହିଥିଲେ, ଆମର ସମସ୍ତ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ଇଣ୍ଟରପୋଲର ଜାତୀୟ କେନ୍ଦ୍ରୀୟ ବ୍ୟୁରୋ (ଏନ୍ସିବି-ନୂଆଦିଲ୍ଲୀ)ର ଏକ ସଂପ୍ରସାରିତ ଅଂଗଭାବେ କାମ କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବ୍ୟବସ୍ଥା ଇଣ୍ଟରପୋଲ ନୋଟିସ୍ ପାଇଁ ଅନୁରୋଧକୁ ଶୀଘ୍ର, ସୁରକ୍ଷିତ ଏବଂ ସଂଗଠିତ ଭାବରେ ସଂଚାରଣ ସୁନିଶ୍ଚିତ କରିବ, ଯାହା ଦ୍ୱାରା ଭାରତ ଭିତରେ ଥିବା ଭାରତୀୟ ଏବଂ ସମଗ୍ର ବିଶ୍ୱର ଅପରାଧୀମାନଙ୍କୁ ତୁରନ୍ତ ଠାବ କରିବା ପାଇଁ ଏକ ବୈଜ୍ଞାନିକ ବ୍ୟବସ୍ଥା ସକ୍ଷମ ହୋଇପାରିବ । ଶ୍ରୀ ଶାହା କହିଥିଲେ ଯେ ୧୯୫ଟି ଦେଶର ଇଣ୍ଟରପୋଲ ରେଫରେନ୍ସ ବିଦେଶରେ ଅନୁସନ୍ଧାନ ପାଇଁ ଅନ୍ତର୍ଜାତୀୟ ସହାୟତା ପାଇବା ଏବଂ ପ୍ରଦାନ କରିବା ଅଧିକ ସହଜ କରିବ । ୧୯୫ଟି ଦେଶର ସହାୟତା ପାଇଁ ଅନୁରୋଧ ବ୍ରଡକାଷ୍ଟ ମଡ୍ୟୁଲ ମାଧ୍ୟମରେ ତୁରନ୍ତ ଆମ ନିକଟରେ ଉପଲବ୍ଧ ହେବ ଏବଂ ରିସୋର୍ସ ମଡ୍ୟୁଲ ମାଧ୍ୟମରେ ଦସ୍ତାବିଜର ଆଦାନପ୍ରଦାନ ଓ ପରିଚାଳନା ଏବଂ କ୍ଷମତା ନିର୍ମାଣ ସହଜ ହେବ । ଏହି ଅବସରରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଏହି ପୋର୍ଟାଲର ମୁଖ୍ୟବୈଶିଷ୍ଟ୍ୟ- ରିଅଲ ଟାଇମ୍ ଇଣ୍ଟରଫେସ୍ ସଂପର୍କରେ କହିଥିଲେ । ସେ କହିଥିଲେ ଯେ ଏହି ପୋର୍ଟାଲରେ ଏକ ରିଅଲ ଟାଇମ୍ ଇଣ୍ଟରଫେସ୍ ଅଛି ଯାହା ଅପରାଧ ନିୟନ୍ତ୍ରଣ ପାଇଁ ଆମ ଏଜେନ୍ସିଗୁଡିକ ମଧ୍ୟରେ ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ ଯୋଗାଯୋଗ ସୁନିଶ୍ଚିତ କରିବ । ସେ କହିଥିଲେ ଯେ ଏହି ପୋର୍ଟାଲ ଏକ ଅନ୍ତର୍ଜାତୀୟ ନେଟୱାର୍କ ମାଧ୍ୟମରେ ରିୟଲ ଟାଇମ ଡାଟା ସେୟାରିଂ ପାଇଁ ଘରୋଇ ଏବଂ ଅନ୍ତର୍ଜାତୀୟ ଅନୁରୋଧଗୁଡିକର ଜବାବକୁ ଯଥେଷ୍ଟ ତ୍ୱରାନ୍ୱିତ କରିବ, ଯେଉଁଥିରେ ରହିଛି ରେଡ୍ କର୍ଣ୍ଣର ନୋଟିସ୍ ଏବଂ ଅନ୍ୟାନ୍ୟ ସତର୍କ ସୂଚନା । ଶ୍ରୀ ଶାହା କହିଥିଲେ ଯେ ଅନେକ ବର୍ଷ ଧରି ଅପରାଧୀମାନେ ଭାରତରେ ଅପରାଧ କରୁଥିଲେ ଏବଂ ବିଶ୍ୱର ଅନ୍ୟ ଦେଶକୁ ପଳାଇ ଯାଇ ଭାରତୀୟ ଆଇନର ପହଞ୍ଚରୁ ଦୂରେଇ ରହୁଥିଲେ । କିନ୍ତୁ ଏବେ ଭାରତପୋଲ ପରି ଅତ୍ୟାଧୁନିକ ସିଷ୍ଟମ ଆସିବା ପରେ ଏପରି ଅପରାଧୀମାନଙ୍କୁ ଆଇନର ପରିଧି ମଧ୍ୟକୁ ଅଣାଯାଇପାରିବ । ଅମିତ ଶାହା କହିଥିଲେ ଯେ ମୋଦୀ ସରକାର ଆଣିଥିବା ତିନୋଟି ନୂତନ ଅପରାଧିକ ଆଇନରେ ‘ଅନୁପସ୍ଥିତିରେ ବିଚାର’ର ବ୍ୟବସ୍ଥା ଯୋଡ଼ାଯାଇଛି, ଯାହା ଦ୍ୱାରା ଅପରାଧୀର ଅନୁପସ୍ଥିତିରେ ବି କୋର୍ଟଙ୍କ ଆଦେଶ ଅନୁସାରେ ବିଚାର ଚାଲିପାରିବ ଓ ନ୍ୟାୟିକ ପ୍ରକ୍ରିୟାକୁ ସୁନିଶ୍ଚିତ କରିହେବ । ଏହି ବ୍ୟବସ୍ଥା ଦ୍ୱାରା ବିଦେଶରେ ଥିବା ଦୋଷୀସାବ୍ୟସ୍ତ ଭାରତୀୟ ଅପରାଧୀଙ୍କ ପ୍ରତ୍ୟାର୍ପଣ ସହଜ ହୋଇପାରିବ । ଶାହା କହିଛନ୍ତି ଭାରତପୋଲ୍ ସହ ଏହି ନୂଆ ବ୍ୟବସ୍ଥା ଯୋଗୁଁ ଭାରତୀୟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନେ ବିଶ୍ୱର ଯେକୌଣସି କୋଣରେ ଲୁଚିଥିବା ଅପରାଧୀଙ୍କୁ ଭାରତ ଆଣି ବିଚାର ବ୍ୟବସ୍ଥାର ସମ୍ମୁଖୀନ କରାଇପାରିବେ । ଭାରତପୋଲକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ତୃଣମୂଳସ୍ତରରେ ଏହାର ବ୍ୟାପକ ତାଲିମ ଲାଗି ସେ ସିବିଆଇକୁ ନିବେଦନ କରିଛନ୍ତି । ଏହା ଆମର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବ, ସ୍ବଚ୍ଛତା ବୃଦ୍ଧି କରିବ ଓ ଆଇନ ପ୍ରବର୍ତ୍ତନ ପଦକ୍ଷେପଗୁଡ଼ିକର ଦକ୍ଷତା ଓ ପ୍ରଭାବ ବୃଦ୍ଧି କରିବ । ନିଶା ଦ୍ରବ୍ୟ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମାନବ ଚାଲାଣ, ସୀମାପାର ଆତଙ୍କବାଦ ଭଳି ଅପରାଧ ମୁକାବିଲା ଦିଗରେ ଏହି ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଥିଲେ । ସେ କହିଛନ୍ତି ଯେ ଭାରତପୋଲର ନେଟୱାର୍କ ମାଧ୍ୟମରେ ୧୯୫ଟି ଦେଶର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କ ସହ ଏଭଳି ଅପରାଧ ସମ୍ପର୍କରେ ସୂଚନା ଆଦାନପ୍ରଦାନ ଏବଂ ସେମାନଙ୍କ ସହଯୋଗ ହାସଲ କରାଯିବା ଦ୍ୱାରା ରାଜ୍ୟର ପୋଲିସ ବାହିନୀମାନେ ଉପକୃତ ହୋଇପାରିବେ । ଶ୍ରୀ ଶାହା କହିଥିଲେ ଯେ ଇଣ୍ଟରପୋଲର ସମସ୍ତ ନୋଟିସ ବିଷୟରେ ଆମର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡିକ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଏହି ବ୍ୟବସ୍ଥାକୁ ସଂସ୍ଥାଗତ କରିବାର ଆବଶ୍ୟକତା ରହିଛି । ଏହାର ସବୁଠାରୁ ବଡ଼ ଫାଇଦା ହେଉଛି ୧୯ ପ୍ରକାରର ଇଣ୍ଟରପୋଲ ଡାଟାବେସର ବ୍ୟବହାର କରିହେବ, ଯାହାଦ୍ୱାରା ଆମର ଯୁବ ଅଧିକାରୀମାନଙ୍କ ପାଇଁ ବିଶ୍ଳେଷଣ, ଅପରାଧ ନିରାକରଣ ଏବଂ ଅପରାଧୀଙ୍କୁ ଧରିବା ସହଜ ହେବ । ଏହା ମାଧ୍ୟମରେ ଆମେ ସାଇବର ଅପରାଧ ପରି ନୂଆ ଚ୍ୟାଲେଞ୍ଜକୁ ଉନ୍ନତ ଓ ଦ୍ରୁତଗତିରେ ମୁକାବିଲା କରିବାରେ ସକ୍ଷମ ହୋଇପାରିବୁ ବୋଲି ସେ କହିଥିଲେ । ଏହି ନୂଆ ବ୍ୟବସ୍ଥାକୁ ବୈପ୍ଲବିକ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ତଦନ୍ତ ପ୍ରକ୍ରିୟାକୁ ବଦଳାଇବାରେ ଓ ଆଇନ ପ୍ରବର୍ତ୍ତନକୁ ଏକ ନୂଆ ଉଚ୍ଚତାକୁ ନେବାରେ ଏହାର କ୍ଷମତା ରହିଛି । ଭାରତରେ ଇଣ୍ଟରପୋଲ ପାଇଁ ଜାତୀୟ କେନ୍ଦ୍ରୀୟ ବ୍ୟୁରୋ (ଏନ୍ସିବି-ନୂଆଦିଲ୍ଲୀ) ଭାବରେ ସିବିଆଇ ଦେଶର ବିଭିନ୍ନ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ସହ ମିଶି ଅପରାଧିକ ମାମଲାରେ ଅନ୍ତର୍ଜାତୀୟ ସହଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ସମନ୍ୱୟ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ସ୍ତରରେ ଇଣ୍ଟରପୋଲ ଲିଆସନ ଅଫିସରମାନଙ୍କ (ଆଇଏଲ୍ଓ) ମାଧ୍ୟମରେ କରାଯାଏ । ଆଇଏଲ୍ଓମାନେ ୟୁନିଟ ଅଫିସରମାନଙ୍କ ସହ ସମନ୍ୱୟ ରକ୍ଷା କରି କାମ କରନ୍ତି । ଆଇଏଲ୍ଓମାନେ ସାଧାରଣତଃ ନିଜ ନିଜ ସଂଗଠନରେ ପୁଲିସ ଅଧୀକ୍ଷକ, ପୁଲିସ କମିସନର କମ୍ବା ଶାଖା ପ୍ରମୁଖ ଆଦି ପଦବୀରେ ଥାଆନ୍ତି । ବର୍ତ୍ତମାନ, ସିବିଆଇ, ଆଇଏଲ୍ଓ ଏବଂ ୟୁଓମାନଙ୍କ ମଧ୍ୟରେ ଯୋଗାଯୋଗ ପ୍ରଧାନତଃ ପତ୍ର, ଇମେଲ୍ ଏବଂ ଫ୍ୟାକ୍ସ ଆଦି ପାରମ୍ପରିକ ମାଧ୍ୟମରେ କରାଯାଉଛି ।