ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ବିଭାଗର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ସ୍ନାତକୋତ୍ତର ଇଂରାଜୀ ବିଭାଗର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାହିତ୍ୟ ଓ ଭାଷାତତ୍ତ୍ୱର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା । ଅଧ୍ୟକ୍ଷ ଶ୍ରୀ ଦାଶ ନିଜର ସଭାପତିତ୍ୱ ଅଭିଭାଷଣ ସହ ସ୍ୱାଗତ ଭାଷଣ ପ୍ରଦାନ କରି ଇଂରାଜୀ ସାହିତ୍ୟ ପଠନର ଆବଶ୍ୟକତା ଓ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀକାନ୍ତ କୁମାର ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସାରସ୍ୱତ ସଭାରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଫେସର କାଳିଦାସ ମିଶ୍ର ଯୋଗଦେଇ ପାଠକୀୟ ରୁଚି ଓ ପୁସ୍ତକ ଅଧ୍ୟୟନର ଶୈଳୀ ସମ୍ପର୍କରେ ବୁଝାଇ ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଲେଖକ ପୋପ୍, ଡକ୍ଟର ଜନସନଙ୍କ ଠାରୁ ଆରମ୍ଭ କରି କବି ଜନ୍ କିଟ୍‌ସଙ୍କ ପର୍ଯ୍ୟନ୍ତ ବିଭିନ୍ନ କାଳଜୟୀ ସ୍ରଷ୍ଟାଙ୍କ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ଏଲିଅଟ ଓ ୱାର୍ଡସୱାର୍ଥଙ୍କ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କରି ୱାର୍ଡସୱାର୍ଥଙ୍କ ସରଳ ଓ ସାଧାରଣ ମଣିଷର ଭାଷାକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାଷାତାତ୍ତ୍ୱିକ ପ୍ରଫେସର କୁଞ୍ଜବନ ପଟେଲ ଯୋଗଦେଇ ବିଭିନ୍ନ ଭାଷାର ଧ୍ୱନିତତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ତଥା ଅଧ୍ୟାପିକା ଅଳ୍ପନା ରାୟ ଚୌଧୁରୀ ‘କୃଷ୍ଣକାୟ ନାରୀବାଦ’ ଉପରେ ଏକ ଚମତ୍କାର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ତୋଷାବନ୍ତ ବାରିକଙ୍କ ସହଯୋଗରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଶେଷ ସାହିତ୍ୟିକ କୃତି ପାଇଁ ଯୁକ୍ତ ଦୁଇ ବିଭାଗରୁ ସାଙ୍କେତିକା ପାଣିଗ୍ରାହୀ ଓ ଯୁକ୍ତ ତିନି ବିଭାଗରୁ ଆଦିତ୍ୟ ବନଛୋରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ଶୃତି, ଅନିତା, ପ୍ରତିମା, କିରଣ୍ମୟୀ, ଝିଲି, ଆର୍ଯ୍ୟନ, ଚିନ୍ମୟ, ଅଭିନାଶ ଓ ରିତେଶଙ୍କ ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳିତ ହୋଇଥିଲା । ପରିଶେଷରେ ଅଧ୍ୟାପକ ସମୀର ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକକର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.