
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜଗନ୍ନାଥପଡ଼ାରେ ଗତ ରାତିରେ ମଂଚସ୍ଥ ହୋଇଛି ସୀତା ବିବାହ ଓ ପର୍ଶୁରାମ ଭେଟ । ଜଗନ୍ନାଥପଡ଼ାର ରାମଲୀଳା ସାରା ବଲାଙ୍ଗିର ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଖୁବ୍ ଉତ୍ସବମୁଖର ଅନୁଭବ ହୁଏ ରାମଲୀଳା ନାଟକ । ଗତ ରାତିରେ ଦର୍ଶକମାନଙ୍କ ପ୍ରଚୁର ଭିଡ଼ ଦେଖିବାକୁ ମିଳିଥିଲା । ଜଗନ୍ନାଥପଡ଼ାର ରାମଲୀଳାରେ ବେଶପୋଷାକ, ସାଜସଜ୍ଜା ଖୁବ୍ ନିଆରା । ସିନେମା ଜଗତରେ ସୁନାମ ଅର୍ଜନ କରିଥିବା ତଥା ଶଲାବୁଢ଼ା ଚଳଚ୍ଚିତ୍ର ପାଇଁ ଉତ୍ତମ ବେଶପୋଷାକ, ସାଜସଜ୍ଜା ନିମନ୍ତେ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ଚୈତନ୍ୟ ମଟାରୀ ଜଗନ୍ନାଥପଡ଼ାର ରାମଲୀଳାରେ ବେଶପୋଷାକ, ସାଜସଜ୍ଜା ଦାୟିତ୍ୱରେ ରହିଛନ୍ତି । ୧୯୭୩ ମସିହାରୁ ଚୈତନ୍ୟ ଏହି ଦାୟିତ୍ୱ ସୁଚାରୁ ରୂପ ତୁଳାଇ ଆସୁଥିବା ବେଳେ ତାଙ୍କ ମନରେ ଏଥି ସକାଶେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥାଏ ।