ଭୀମଡୁଙ୍ଗୁରୀରେ ଶିଶୁ ଉଦ୍ୟାନ କାମ ଆରମ୍ଭ, ଡିଏଫ୍‌ଓ ଓ ଆର୍କିଟେକଙ୍କ ଅନୁଧ୍ୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରରେ ରାଜ୍ୟସରକାର ଏକ ଶିଶୁ ଉଦ୍ୟାନ ନିର୍ମାଣ ଆରମ୍ଭ କରାଇଛନ୍ତି । ବଲାଙ୍ଗିର ବନବିଭାଗ ଏହାକୁ କରାଉଛି । ଭୀମପାହାଡର ପାଦଦେଶରେ ଥିବା ଭୀମକଟା ଓ ଓଟିଡିସି ଗେଷ୍ଟହାଉସର ମଧ୍ୟ ଭାଗରେ ଥିବା ଦେଢ ଏକର ଜମିରେ ଏହା ନିର୍ମିତ ହେବ । ଏହି କାମର ଅନୁଧ୍ୟାନ କରିବାକୁ ବଲାଙ୍ଗିର ଡିଏଫଓ ନୀତିଶ କୁମାର ଓ ଭବାନୀପାଟଣାରୁ ଆସିଥିବା ଅର୍କିର୍ଟେକ ଶୀବାନୀ ସାହୁ ପହଞ୍ଚିଥିଲେ । ପାହାଡର ପାଦଦେଶରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଶିଶୁମାନଙ୍କୁ ତଥା ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଏହାକୁ ନିର୍ମାଣ କରାଯିବାକୁ ଯୋଜନା ରହିଛି । ଆର୍କିର୍ଟେକ ଶ୍ରୀମତୀ ସାହୁ ଏହାର ଡିଜାଇନ ଦେଇଛନ୍ତି । ଏଠାରେ ବଗିଚା, ଝୂଲା, ପାଣି ଫୁଆରା ଇତ୍ୟାଦି ନିର୍ମାଣ କରାଯିବ । ଭୀମକଟାରେ ବନବିଭାଗ ବୋଟିଂର ସୁବିଧା କରାଇଥିବା ବେଳେ ପାହାଡ ଉପରକୁ ପାହାଚ ନିର୍ମାଣ କରାଯାଇଛି ଓ ହିଲ ଭ୍ୟୁ କରିଛି । ଏବେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଏଠାରେ ଜମୁଛି । ପାହାଡ ଉପରେ ଥିବା ଗୁମ୍ଫା ତଥା ଗୁମ୍ଫାମନ୍ଦିରକୁ ପାହାଚ ନିର୍ମାଣ କରାଯାଇଛି । ଏହା ସହିତ ଏଠାରେ ତଳେ ଓ ପାହାଡ ଉପର ପର୍ଯ୍ୟନ୍ତ ପାନୀୟଜଳର ବ୍ୟବସ୍ଥା, ଆଲୋକିକରଣ କରାଯାଇଛି । ପୂର୍ବରୁ ବନବିଭାଗ ପକ୍ଷରୁ ୨୦ଲକ୍ଷ ଓ ଏବେ ୭୦ଲକ୍ଷ ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ଚାଲିଛି । ଏବେ ପୁଣି ବନବିଭାଗ ପକ୍ଷରୁ ୧କୋଟି ଟଙ୍କାର ଅନୁଦାନ ରାଜ୍ୟସରକାରଙ୍କୁ ମଗାଯାଇଛି ବୋଲି ବନବିଭାଗ ସୂତ୍ରରୁ ସୂଚନା ମିଳିଛି । ଠିକ୍‌ ସେହିପରି ଭୀମଡୁଙ୍ଗୁରୀ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨.୫କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ଏବେ ୨ କୋଟି ୯୭ଲକ୍ଷ ଟଙ୍କାର ଅନୁଦାନ ପୁଣି ପଠାଇଛନ୍ତି । ତେବେ ପୂର୍ବରୁ ଆସିଥିବା ଅଢେଇ କୋଟି ଟଙ୍କାକୁ ଓଟିଡିସି ଖର୍ଚ୍ଚ କରିଥିବା ବେଳେ ସେଥିରେ ବ୍ୟାପକ ଅନୀୟମିତତା କରାଯାଇଥିବା ଅଭିଯୋଗ ଉଠିଥିଲା । ମୁଖ୍ୟତଃ ଭୀମକଟାର ଉନ୍ନତିକରଣରେ କରାଯାଇଥିବା କଂକ୍ରିଟ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ଉଠିଥିଲା । ତେଣୁ ପର୍ଯ୍ୟଟନ ବିଭାଗରୁ ଆସିଥିବା ଅନୁଦାନକୁ ବନବିଭାଗ ଜରିଆରେ ସ୍ଥାନୀୟ ଲୋକଙ୍କ ତତ୍ୱାବଧାନରେ କରାଇବାକୁ ସ୍ଥାନୀୟ ଲୋକେ ଦାବୀ କରୁଛନ୍ତି । ଜିଲ୍ଲାପାଳ ଓ ବଲାଙ୍ଗିର ଡିଏଫ୍‌ଓ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ଡିଏଫ୍‌ଓଙ୍କ ଏହି ପରିଦର୍ଶନ ସମୟରେ ବରିଷ୍ଠ ନେତା ଲକ୍ଷ୍ମଣକୁମାର ମେହେର, ବଲାଙ୍ଗିର ରେଞ୍ଜ ଅଫିସର କେସବ କିଶୋର ନାୟକ,ଫରେଷ୍ଟର ଜେନା ରାଉତ, ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ, ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.