ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଶିଶୁ ଦିବସ । ଏହି ଅବସରରେ ଶିଶୁମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଛି । ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ବା ଚିଲ୍ଡ୍ରେନସ୍ ଡେ’ ଭାବେ ପାଳନ କରାଯାଏ । ସ୍ୱତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଏଠାରେ ସୂଚନାଯୋଗ୍ୟ ଯେ, ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଜବାହାରଲାଲ୍ ନେହେରୁ ଜନ୍ମ ଗ୍ରହଣ କରିଥିଲେ । ସେ ଶିଶୁ ମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । ଶିଶୁମାନେ ମଧ୍ୟ ତାଙ୍କୁ ଭଲ ପାଉଥିଲେ ଓ ଚାଚା ନେହେରୁ ବୋଲି ତାଙ୍କୁ ସମ୍ବୋଧନ କରୁଥିଲେ । ଏଣୁ କରି ୧୯୬୪ ମସିହାରେ ଜବାହାରଲାଲ୍ ନେହେରୁଙ୍କ ଦେହାନ୍ତ ପରେ ଭାରତୀୟ ସଂସଦରେ ଏକ ପ୍ରସ୍ତାବ ପ୍ରେରିତ ହେଲା ଯେ, ତାଙ୍କୁ ଓ ତାଙ୍କ ଜନ୍ମ ଦିବସକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯିବ ତେଣୁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।
ଏହି ଦିବସରେ ସ୍କୁଲ ମାନଙ୍କରେ ଶିଶୁ ମାନଙ୍କ ସହ ଗୁରୁଜନ ମାନେ ଜବାହାରଲାଲ୍ ନେହେରୁଙ୍କ ଫଟୋଚିତ୍ରରେ ଫୁଲମାଳ ଦେଇ ପୂଜା କରନ୍ତି ଓ ତାଙ୍କୁ ସ୍ମରଣ କରି ତାଙ୍କ ବିଷୟରେ ଗୁରୁମାନେ ଶିଶୁ ମାନଙ୍କୁ ଅବଗତ କରାଇ ମିଠା, ଚକୋଲେଟ୍ ସହ କିଛି ଉପହାର ଦେଇ ତାଙ୍କୁ ପାଠପଢି ବଡ ମଣିଷ ହେବା ପାଇଁ ଉତ୍ସାହିତ କରିଥାନ୍ତି ।